ଭୋପାଲ: ନିଜର ପ୍ରିୟ ସେଲିବ୍ରେଟୀଙ୍କୁ ପାଖରୁ ଟିକେ ଦେଖିବା ପାଇଁ ସମର୍ଥକ ବିଭିନ୍ନ ହରକତ କରିବା କିଛି ନୂଆ ଘଟଣା ନୁହେଁ । ଧୋନୀଙ୍କ ପାଦ ଛୁଇଁବା ପାଇଁ ଷ୍ଟାଡିୟମ ଭିତରେ ଫ୍ୟାନ୍ସଙ୍କ ପିଲାଳିଆମି ଆମେ ଦେଖିଛେ । କୌଣସି ଅଭିନେତାଙ୍କୁ ଦେଖିବା ପାଇଁ ସୁରକ୍ଷା ଡେଇଁ ପାଖକୁ ଚାଲିଯିବା ଘଟଣା ଆମ ନଜରକୁ ଆସିଥାଏ । ମୋଦି, ନବୀନଙ୍କ ପରି ହେଭିୱେଟ ନେତାଙ୍କ କ୍ଷେତ୍ରରେ ମଧ୍ୟ ସମର୍ଥକ ଏପରି କିଛି କରିଥାନ୍ତି । ହେଲେ ଏଠି ଚିତ୍ର ଟିକେ ଓଲଟା । ସମର୍ଥକଙ୍କୁ ଭେଟିବା ପାଇଁ ବ୍ୟାରିକେଡ ଡେଇଁଲେ ଭିଭିଆଇପି ନେତ୍ରୀ ।
ଆମେ କହୁଛୁ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ କଥା । ଏବେ ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି ପ୍ରିୟଙ୍କା । ଗତକାଲି ମଧ୍ୟପ୍ରଦେଶ ରତଲାମରେ ପ୍ରିୟଙ୍କା କରିଛନ୍ତି ଏପରି କିଛି ହରକତ । ଏକ ସାଧାରଣ ସଭାରେ ଯୋଗ ଦେବାକୁ ଆସିଥିବା ପ୍ରିୟଙ୍କା ସମର୍ଥକଙ୍କୁ ଭେଟିବା ପାଇଁ ବ୍ୟାରିକେଡ ଡେଇଁଥିଲେ । ଅତି ନିକଟତର ହେବାକୁ ଚେଷ୍ଟା କରିଥିଲେ ପ୍ରିୟଙ୍କା । ଏପଟେ ପ୍ରିୟଙ୍କାଙ୍କ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ ସୁରକ୍ଷାକୁ ନେଇ ପୁରା ନାକେଦମ ହୋଇଯାଇଥିଲେ ।
ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏମିତି କିଛି ହରକତ କରିଥିବା ନଜରକୁ ଆସିଛି । ବିଭିନ୍ନ ସମୟରେ ପ୍ରୋଟକଲ ଭାଙ୍ଗି ସମର୍ଥକଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି ମୋଦି । 2017ରେ ଭୁବନେଶ୍ବରରେ ଆୟୋଜିତ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ସାମିଲ ହେବାକୁ ଆସିଥିବା ବେଳେ ସମର୍ଥକଙ୍କ ପ୍ରେମରେ ମୋଦି ପ୍ରୋଟକଲ ଭାଙ୍ଗିଥିଲେ । ଜୟଦେବ ବିହାର ଛକ ନିକଟରେ ଚାଲି ଚାଲି ସମର୍ଥକଙ୍କ ପାଖକୁ ପଳାଇଥିଲେ ପ୍ରଧାନମନ୍ତ୍ରୀ । ଆଉ ଏବେ ପ୍ରିୟଙ୍କା ବ୍ୟାରିକେଡ ଡେଇଁବା ପାଇଁ ବି ପଛାଇନାହାଁନ୍ତି ।