ହାଇଦ୍ରାବାଦ: ଦେଶରେ କୋରୋନା ରୋଗୀଙ୍କ ଚିକିତ୍ସା ଓ ରୋଗୀଙ୍କ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । କୋରୋନା ରୋଗୀମାନେ ଶୋଚନୀୟ ପରିବେଶ ଏବଂ ପଶୁଠାରୁ ହୀନ ଦୁର୍ଦ୍ଦଶା ଭୋଗୁଛନ୍ତି । ସେମାନଙ୍କୁ ସମାଜରେ ହୀନମାନରେ ଦେଖାଯାଉଛି । ଏଭଳି ଏକ ଚିତ୍ର ପୁଣିଥରେ ସାମ୍ନାକୁ ଆସିଛି ହାଇଦ୍ରାବାଦରେ ।
ହାଇଦ୍ରାବାଦ ଦିଲସୁଖନଗର ଅଞ୍ଚଳରେ ଜଣେ ସଫ୍ଟୱେୟାର କର୍ମଚାରୀ ଶୁକ୍ରବାର ଦିନ କୋରୋନା ସଂକ୍ରମିତ ହୋଇଥିଲେ । ତେବେ ସେ ଡାକ୍ତରଖାନାକୁ ଯିବାପରେ ତାଙ୍କୁ ଡାକ୍ତର ଭର୍ତ୍ତି କରିବାକୁ ମନା କରିଦେଇଥିଲେ ଏବଂ ଘରେ ଆଇସୋଲେସନରେ ରହିବାକୁ କହିଥିଲେ । କିନ୍ତୁ ତାଙ୍କ ଘର ମାଲିକ ତାଙ୍କୁ ଘର ଖାଲି କରିବାକୁ ବାଧ୍ୟ କରିଥିଲେ। ଏହାପରେ ସେ ବାଧ୍ୟ ହୋଇ ରାତି ପର୍ଯ୍ୟନ୍ତ ସ୍ଥାନୀୟ ମେଟ୍ରୋ ଷ୍ଟେସନରେ ଅପେକ୍ଷା କରିଥିଲେ। ତେବେ ଏଭଳି ଦୁର୍ଦ୍ଦଶା ସମୟରେ ତାଙ୍କ ବନ୍ଧୁମାନେ ତାଙ୍କୁ ସାହାଯ୍ୟ କରିବେ ଭାବି ସେ ନିଜ ବନ୍ଧୁଙ୍କ ପାଖକୁ ଯାଇଥିଲେ । ହେଲେ ସେଠାରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । ଏବେ କର୍ମଚାରୀ ଜଣକ ପାହାଚରେ ରାତି କାଟୁଛନ୍ତି ।
ତେବେ ହାଇଦ୍ରାବାଦର ଭଡ଼ାଟିଆ ମାନଙ୍କୁ ଏଭଳି ଦୁର୍ଦ୍ଦିନର ସମ୍ମୁଖୀନ ହେବାକୁ ପଡୁଛି । କୋରୋନାରେ ସଂକ୍ରମିତ ହେବାପରେ ସେମାନଙ୍କୁ ଘର ଖାଲି କରିବାକୁ ବାଧ୍ୟ କରାଯାଉଛି । କୋରୋନାରେ ସଂକ୍ରମିତ ହେବା ପରେ ଏବେ ଘରେ ଆଇସୋଲେଶନରେ ରହିବାକୁ ପରାମର୍ଶ ଦିଆଯାଉଥିଲେ ମଧ୍ୟ ଏନେଇ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ପଡ଼ୋଶୀମାନଙ୍କ ମନରେ ଲୁଚି ରହିଥିବା ଭୟ ଏବଂ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ସେମାନଙ୍କ ପାଇଁ ଅଭିଶାପ ପ୍ରମାଣିତ ହେଉଛି । ସେମାନେ ନା ଘରକୁ ଯାଇପାରିବେ ନା ଡାକ୍ତରଖାନାରେ ଭର୍ତ୍ତି ହୋଇପାରିବେ ।
ତେବେ କୋରୋନା ରୋଗୀଙ୍କ ଯତ୍ନର ଅଭାବ ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଯେଉଁମାନଙ୍କ ଘରେ ଆଇସୋଲେଶନର ସୁବିଧା ଅଛି ସେମାନେ ଘରକୁ ଯାଉଛନ୍ତି । କିନ୍ତୁ ଯେଉଁମାନେ ଭଡାଘରେ ରୁହନ୍ତି ସେମାନେ କେଉଁଠାକୁ ଯିବେ ସେନେଇ ବିବାଦ ଲାଗି ରହିଛି ।