ଚଣ୍ଡିଗଡ଼: ଶେଷରେ ବାରମ୍ବାର ଚିଠି ଲେଖିବା ପରେ କରତାରପୁର କରିଡର ଉଦ୍ଘାଟନୀ ଉତ୍ସବରେ ସାମିଲ ହେବା ପାଇଁ ସିଦ୍ଧୁଙ୍କୁ ଅନୁମତି ମିଳିଛି । ଗୁରୁବାର ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କୁ ଅନୁମତି ପାଇଁ ପତ୍ର ଲେଖିଥିଲେ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ । ଏହା ତାଙ୍କର ତୃତୀୟ ଚିଠି ଥିଲା । ଏବେ ତାଙ୍କୁ କରତାରପୁର ସାହିବ ଦର୍ଶନ ଲାଗି ପାକିସ୍ତାନ ଯିବା ପାଇଁ ଅନୁମତି ମିଳିଛି ।
କରତାରପୁର ସାହିବ ଗୁରୁଦ୍ବାରା ପାଇଁ ଆସନ୍ତା ନଭେମ୍ବର ୯ ତାରିଖରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଦିନ ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ କରିଡର ଖୋଲିବାକୁ ଘୋଷଣା କରିଛି ପାକିସ୍ତାନ । ଏହି ଉଦ୍ଘାଟନୀ ଉତ୍ସବରେ ସାମିଲ ହେବା ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁମତି ପ୍ରଦାନ କରାଯିବା ଲାଗି ଚିଠି ଲେଖିଥିଲେ ସିଦ୍ଧୁ । ଏବେ ତାଙ୍କୁ କରତାରପୁର କରିଡର ଯିବା ପାଇଁ ରାଜନୀତିକ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହା ପୂର୍ବରୁ ଭାରତ ସରକାର କରତାରପୁର କରିଡର ଉଦ୍ଘାଟନୀ ଉତ୍ସବରେ ସାମିଲ ହେବା ପାଇଁ ଅନେକ ଭିଆଇପିଙ୍କ ତାଲିକା ଜାରି କରିଥିଲା ।
ଏଠାରେ ସୂଚନା ଯୋଗ୍ୟ ଯେ ଗୁରୁବାର ନବଜୋତ ସିଂହ ସିଦ୍ଧୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଚିଠି ଲେଖିଥିଲେ । ଏଥିରେ ପାକିସ୍ତାନରେ ଥିବା କରତାରପୁର ଯିବା ପାଇଁ ଅନୁମତି ଦାବି କରିଥିଲେ । ଏହାସହ ଚିଠିର ଉତ୍ତର ନମିଳୁଥିବାରୁ ବିରକ୍ତି ପ୍ରକାଶ କରିବା ସହ ଉତ୍ତର ନଦେଲେ ଅନୁମତି ବିନା ସେ କରତାରପୁର ଯିବେ ବୋଲି କହିଥିଲେ ।