ଚେନ୍ନାଇ: ତାମିଲନାଡୁର ତିରୁଚିରାପଲ୍ଲୀ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ଶୁକ୍ରବାର ସନ୍ଧ୍ୟା ସମୟରେ ୨ବର୍ଷର ଶିଶୁପୁତ୍ର ସୁଜିତ ଘର ନିକଟରେ ଖେଳୁଥିବାବେଳେ ବୋରୱେଲ ଗର୍ତ୍ତରେ ଖସିପଡ଼ିଥିଲା । ୯୦ ଫୁଟ ଗଭୀରରେ ପିଲାଟି ଅଟକି ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତିନି ଦିନ ଧରି ଅକ୍ଲାନ୍ତ ପରିଶ୍ରମ ପରେ ବି ପିଲାଟିକୁ ଉଦ୍ଧାର କରାଯାଇ ପାରିନାହିଁ। ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ସୁଜିତକୁ ସୁରକ୍ଷିତ ଭାବରେ ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି ।
ପିଏମ ଯୁବ ଓ ସାହାସୀ ସୁଜିତ ୱିଲସନଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । ଏହାସହ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀଙ୍କ ସହ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ କଥା ହୋଇଥିବା କହିଛନ୍ତି । ପିଲାଟିକୁ ଯେଣତେଣ ପ୍ରକାରରେ ଉଦ୍ଧାର କରିବା ପାଇଁ ଉଦ୍ୟମ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ଗତ ଶୁକ୍ରବାର ସନ୍ଧ୍ୟା ସାଢ଼େ ପାଞ୍ଚଟା ବେଳେ ପିଲାଟି ଗର୍ତ୍ତ ମଧ୍ୟକୁ ଖସି ପଡ଼ିଥିଲା । ସୋମବାରକୁ ମିଶାଇ ଉଦ୍ଧାର କାର୍ଯ୍ୟ ଚତୁର୍ଥ ଦିନରେ ପହଞ୍ଚିଛି । ପ୍ରଥମେ ସେ ୩୦ ଫୁଟ୍ ଗଭୀରରେ ଲାଖି ରହିଥିଲା ପରେ ଆହୁରି ତଳକୁ ଖସି ୯୦ ଫୁଟ୍ ଗଭୀରରେ ଲାଖିଛି । ପଥୁରିଆ ଅଞ୍ଚଳ ହୋଇଥିବାରୁ ଶୀଘ୍ର ଗର୍ତ୍ତ ଖନନ ହୋଇ ପାରୁ ନାହିଁ।