ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 21 ରୁ 27 ତାରିଖ ମଧ୍ୟରେ ଆମେରିକା ଗସ୍ତ କରିବେ । ଯୁକ୍ତରାଷ୍ଟ୍ର ମହାସଭାର ବାର୍ଷିକ ଅଧିବେଶନରେ ମୋଦି ସମ୍ବୋଧିତ କରିବା ସହ ନ୍ୟୁୟର୍କରେ ଦ୍ବିପାକ୍ଷିକ ଏବଂ ବହୁପାକ୍ଷିକ ଆଲୋଚନାରେ ସାମିଲ ହେବେ ।
ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବିଶ କୁମାରଙ୍କ କହିବା କଥା ହେଲା ମୋଦି ହ୍ୟୁଷ୍ଟନରେ ଭାରତୀୟ ସମୁଦାୟଙ୍କ କାର୍ଯ୍ୟକ୍ରମରେ ସାମିଲ ହେବେ । ମୋଦି ସେପ୍ଟେମ୍ବର 21 ସନ୍ଧ୍ୟାରେ ଆମେରିକା ଗସ୍ତରେ ବାହାରିବେ । ସେ ଆମେରିକାରେ 27 ତାରିଖ ପର୍ଯ୍ୟନ୍ତ ରହିବେ । ଯୁକ୍ତରାଷ୍ଟ୍ର ମହାସଭାର 74ତମ ଅଧିବେଶନରେ ବକ୍ତାଙ୍କ ସୂଚୀ ମୁତାବକ ମୋଦି ସେପ୍ଟେମ୍ବର 27 ସକାଳ ସମ୍ବୋଧନ କରିବେ । ଚଳିତ ବର୍ଷ ମୋଦି ପୁଣିଥରେ ନିଜ ଗାଦିକୁ ଫେରିବା ପରେ ଆମେରିକାରେ ମୋଦିଙ୍କ ଏହା ପ୍ରଥମ ଭାଷଣ ହେବ ।
ଯୁକ୍ତରାଷ୍ଟ୍ର ମହାସଭା ଅଧିବେଶନ ମୁତାବକ ମୋଦିଙ୍କ ଭାଷଣ ଦେବାର କିଛି ସମୟ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାଷଣ ଦେବେ । ସାରାଦେଶ ମହାତ୍ମାଗାନ୍ଧୀଙ୍କ 150ତମ ଗାନ୍ଧୀ ଜୟନ୍ତୀ ପାଳିବାକୁ ଯାଉଛି । ଏହି ଅବସରରେ ମୋଦି ସେପ୍ଟେମ୍ବର 24 ରେ ଯୁକ୍ତରାଷ୍ଟ୍ର ମୁଖ୍ୟାଳୟରେ ଆର୍ଥୀକ ସାମାଜିକ ପରିଷଦରେ ବିଶେଷ କାର୍ଯ୍ୟକ୍ରମ ‘ଲିଡରସିପ ମେଟର୍ସ: ରେଲବଂସ ଅଫ ଗାନ୍ଧୀ ଇନ ଦ କଣ୍ଟେମ୍ପରେରୀ ୱାର୍ଲ୍ଡ’ରେ ହୋଷ୍ଟିଂ କରିବେ ।