- ଲଦାଖ, ଲକଡାଉନ ଓ ଶ୍ରମିକ
ଲଦାଖର ପୂର୍ବ ସେକ୍ଟରରେ ଭାରତ ଓ ଚୀନ ମଧ୍ୟରେ ଉତେଜନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରନ୍ତୁ ବୋଲି ଦାବି କରିଥିଲେ ଅଧୀର ରଂଜନ ଚୌଧୁରୀ। ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାରରେ ଅଧୀର କହିଛନ୍ତି ଯେ, ଗତ ଏକ ମାସ ଧରି ଏଭଳି ଏକ ଅତି ସମ୍ବେଦନଶୀଳ ଷ୍ଟ୍ରାଟେଜି ପ୍ରସଙ୍ଗରେ ସରକାର ନୀରବ ରହିଛନ୍ତି । ଅତିକ୍ରମଣ ସଂଘଟିତ ହୋଇଛି । ସାମରିକ ବିଶେଷଜ୍ଞମାନେ ମଧ୍ୟ ଏ ପ୍ରସଙ୍ଗରେ ଚେତାବନୀ ଦେଇଥିଲେ । କେନ୍ଦ୍ର ସରକାର ଏ ପ୍ରସଙ୍ଗରେ ଲୋକଙ୍କ ଉଦବେଗ ବି ବୁଝିବା ଦରକାର ବୋଲି ଅଧୀର କହିଛନ୍ତି । ସଂପୃକ୍ତ ଅଂଚଳରେ ପ୍ରକୃତରେ କଣ ଘଟୁଛି ତାହା ଲୋକେ ଜାଣିବାକୁ ଚାହାନ୍ତି । ଦେଶ ସମ୍ମୁଖୀନ ହେଉଥିବା ସବୁ ଗୁରୁତ୍ବପୂର୍ଣ୍ଣ ସମସ୍ୟା ଉପରେ ଯଦି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି, ତାହା ହେଲେ ଏହା ବି ସମାନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବୋଲି କହିଛନ୍ତି ଅଧୀର ।
ଲକଡାଉନ ବେଳେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବା ପାଇଁ ସରକାର ଚଳାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନର ଅବ୍ୟବସ୍ଥା ଉପରେ ପ୍ରବଳ ବର୍ଷିଛନ୍ତି ଅଧୀର ରଂଜନ । ଏପରିକି ଶ୍ରମିକ ସ୍ପେଶାଲ ଟ୍ରେନଗୁଡିକୁ ସେ ‘ଡେଥ୍ ପାର୍ଲର’ ଭାବେ ଅଭିହିତ କରିଛନ୍ତି । ପ୍ରବାସୀ ଶ୍ରମିକଙ୍କ କ୍ଷେତ୍ରରେ ରେଳବାଇ ଠିକ୍ ରୂପେ ପଦକ୍ଷେପ ନେଇନାହିଁ । କୌଣସି ଯୋଜନା ନାହିଁ । ରେଳବାଇ ଘୋର ଅବ୍ୟବସ୍ଥା କରିଛି । ଗୋଟିଏ ପ୍ରଶ୍ନର ଉତ୍ତରରେ ଅଧୀର କହିଛନ୍ତି ଯେ, ପ୍ରତିଦିନ ଅଢେଇ କୋଟି ଲୋକଙ୍କୁ ନେବା ଆଣିବା କରିଥାଏ । ଯେତେବେଳେ ସରକାର ଚାପରେ ପଡି ସରକାର ଗରିବ ଓ ଦୁବର୍ଳ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଟ୍ରେନ ଯୋଗେ ଘରକୁ ପଠାଇବା ଆରମ୍ଭ କଲେ, ସେତେବେଳେ, ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଇ ନ ଥିଲା । ଦିନ ଦିନ, ଘଂଟା ଘଂଟା ଧରି ଟ୍ରେନ ବିଳମ୍ବିତ ହୋଇଛି । ଯାହା ଫଳରେ କି ପ୍ରଚଣ୍ଡ ଗ୍ରୀଷ୍ମରେ ଶ୍ରମିକମାନଙ୍କୁ ହଟହଟା ହେବାକୁ ପଡିଛି । ଫଳରେ ପାଖାପାଖି ୯୦ ଲୋକଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ହୋଇଛି । ତେଣୁ ଏସବୁ ଟ୍ରେନକୁ ଡେଥ୍ ପାର୍ଲର ଛଡା ଆଉ କିଛି ଶବ୍ଦ ନାହିଁ ବୋଲି ଅଧୀର ରଂଜନ ଇଟିଭି ଭାରତକୁ କହିଛନ୍ତି ।
- ପ୍ରବାସୀ ଶ୍ରମିକ
ଲକଡାଉନ୍ ଓ ପ୍ରବାସୀ ଶ୍ରମିକଙ୍କୁ ନେଇ ସଠିକ ଯୋଜନା କରାଯାଇ ନ ଥିଲା ବୋଲି କହି ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ଅଧୀର ଚୌଧୁରୀ । ଏଥିପାଇଁ କୌଣସି ରୋଡମ୍ୟାପ ପ୍ରସ୍ତୁତ ହୋଇ ନ ଥିଲା । ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ବାଦରେ କେନ୍ଦ୍ର କେବେ ବି ଗମ୍ଭୀର ନ ଥିଲେ । ଅସହାୟ ପ୍ରବାସୀ ଶ୍ରମିକମାନେ ଚାଲି ଚାଲି ଘରକୁ ଫେରୁଛନ୍ତି । ଯଦି ସେମାନେ ରହିଥାନ୍ତେ, ତାହା ହେଲେ ଦୁର୍ଦ୍ଦଶା ଭୋଗିବେ ବୋଲି ସେମାନେ ଭାବିଥିଲେ । ସରକାରଙ୍କ ପକ୍ଷରୁ କେହି ବି ସେମାନଙ୍କୁ ଆଶ୍ବାସନା ଦେବାକୁ ନ ଥିଲେ ବୋଲି ଅଧୀର କହିଛନ୍ତି । ସେ କହିଛନ୍ତି ଯେ, ଭୟ ଓ ଆଶଙ୍କାରେ ପ୍ରବାସୀ ଶ୍ରମିକମାନେ ଘର ଅଭିମୁଖେ ବାହାରିଲେ । କିଏ ଚାଲି ଚାଲି ତ ଆଉ କିଏ ସାଇକେଲରେ ନିଜ ନିଜ ଘରେ ପହଂଚିଲେ । ଏମିତି କାହିଁକି ହେଲା ବୋଲି ଅଧୀର ଚୌଧୁରୀ ପ୍ରଶ୍ନ କରିଛନ୍ତି । ବିନା ଯୋଜନାର ଲକ୍ଡାଉନ ଏହାର କାରଣ ବୋଲି ସେ କହିଛନ୍ତି । ସରକାର ଏ ଦିଗରେ ସଂପୂର୍ଣ୍ଣ ବିଫଳ ହୋଇଥିବା କହିଛନ୍ତି ଅଧୀର । ଏଭଳି ଲକଡାଉନ ଯୋଗୁଁ ଭାରତର ଛବିରେ ଆଂଚ ଆସିଛି । ଏପରିକି ସବ୍ ସାହାରା ଆଫ୍ରିକାରେ ମଧ୍ୟ ଅସହାୟ ଲୋକଙ୍କ ଏଭଳି ମାସ ମୁଭମେଂଟ୍ ହୁଏନାହିଁ । କୋଭିଡ-୧୯ ମହାମାରୀ ଯୋଗୁଁ ୨ ଶହ ଦେଶରେ ଲକ୍ଡାଉନ ଘୋଷଣା କରାଯାଇଥିଲା । କିନ୍ତୁ ଆମଦେଶ ଭଳି ସ୍ଥିତି କେଉଁଠି ବି ସୃଷ୍ଟି ହୋଇନାହିଁ ବୋଲି ଅଧୀର କହିଛନ୍ତି । ସେ ଆହୁରି ବି କହିଛନ୍ତି ଯେ, କିଛି ଅଭାଗାଙ୍କ ଉପରେ ଟ୍ରେନ ମାଡିଗଲା । ଆଉ କିଛିଙ୍କ ଉପରେ ଟ୍ରକ୍ ମାଡିଗଲା। ଆଉ କିଛି ଅନାହାରରେ ମଲେ । ମୃତ୍ୟୁର ପଟୁଆର ଆମେ ଦେଖିଲେ । ଦେଶ କଣ ଏହା ଚାହୁଁଥିଲା କି ବୋଲି ପ୍ରଶ୍ନ କରିଛନ୍ତି ଅଧୀର । ବିଭାଜନ ପୁଣି ଦେଖିଲା ଭଳି ଲାଗୁଛି । ଇଣ୍ଡିଆ ଓ ଭାରତ ନେଇ ଦେଶରେ ମତଭେଦ ସୃଷ୍ଟି ହେବା ଦୁର୍ଭାଗ୍ୟଜନକ ବୋଲି ଅଧୀର ରଂଜନ କହିଛନ୍ତି ।
- ଭାରତୀୟ ଅର୍ଥନୀତିର ସ୍ଥିତି
ଇଟିଭି ଭାରତ ସହ ଆଲୋଚନା ବେଳେ ଅଧୀର ଚୌଧୁରୀ ମୋଦି ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ଆତ୍ମ ନିର୍ଭର ଭାରତ ପ୍ୟାକେଜକୁ ଜୋରଦାର ସମାଲୋଚନା କରିଛନ୍ତି । କୋଭିଡ-୧୯ ମହାମାରୀ ଓ ଲକଡାଉନ ଯୋଗୁଁ ମାନ୍ଦା ପଡିଥିବା ଅର୍ଥନୀତିର ପୁନରୁଦ୍ଧାର ଉଦ୍ଦେଶ୍ୟରେ ମୋଦି ସରକାର ଆତ୍ମ ନିର୍ଭର ପ୍ୟାକେଜ ଘୋଷଣା କରିଥିଲେ । ତେବେ, ପ୍ୟାକେଜ ପାଇଁ ମୋଦି ସରକାରଙ୍କୁ କଡା ସମାଲୋଚନା କରି ଅଧୀର କହିଛନ୍ତି ଯେ, ସରକାର କେବଳ ବଡ ବଡ କଥା ଓ ପ୍ରତିଶ୍ରୁତି ଦେବାରେ ହଁ ବିଖ୍ୟାତ । ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜକୁ ହସରେ ଅଧିକାଂଶ ବିଶେଷଜ୍ଞ ହସରେ ଉଡାଇ ଦେଇଛନ୍ତି । ଏହି ପ୍ୟାକେଜ ଆଢୁଆଳରେ ଅର୍ଥନୀତିର ମୁକାବିଲା ପାଇଁ ଜିଡିପିର ମାତ୍ର ୧ ପ୍ରତିଶତ ହିଁ ସେମାନେ ଆବଂଟନ କରୁଛନ୍ତି ବୋଲି ଅଧୀର କହିଛନ୍ତି । ଏହି ପ୍ୟାକେଜ , ପୂର୍ବରୁ ଘୋଷଣା ହୋଇଥିବା ପ୍ୟାକେଜର ରିପ୍ୟାକେଜ ବୋଲି କହିଛନ୍ତି ଅଧୀର । ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା କରାଯାଇଛି । ସବୁ ଗରିବ ଲୋକଙ୍କ ଖାତାକୁ ଏକକାଳିନ ୧୦ ହଜାର ଟଙ୍କା ଟ୍ରାନ୍ସଫର କରିବା ସହ ଆଉ ୬ ମାସ ପାଇଁ ମାସିକ ୭ ହଜାର ୫ ଶହ ଦେବାକୁ କଂଗ୍ରେସ ବାରମ୍ବାର ସରକାରଙ୍କୁ କହିଛି । ଏଭଳି ହେଲେ ସ୍ଥିତି ସାମାନ୍ୟ ହୋଇପାରିବ । ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ବାରମ୍ବାର ଏ କଥା କହି ଆସୁଛନ୍ତି ବୋଲି ଅଧୀର କହିଛନ୍ତି ।
ଦେଶର ଅର୍ଥନୈତିକ ସ୍ଥିତି ଓ କେନ୍ଦ୍ରର ଭୂମିକା ବାବଦରେ ଅଧୀରଙ୍କ ମତ ହେଲା ଯେ, ବର୍ତମାନ ଅର୍ଥନୈତିକ ସ୍ଥିତିର କାରଣ କୋରୋନା ଭାଇରସ ନୁହେଁ । ସେ କହିଛନ୍ତି ଯେ, କୋରୋନା ମହାମାରୀର ବହୁ ପୂର୍ବରୁ ଆମ ଅର୍ଥନୀତିର ଦୁର୍ଗତି ଆରମ୍ଭ ହୋଇଯାଇଥିଲା । କୋରୋନା ଆଗରୁ ଅର୍ଥନୌତିକ ଅଭିବୃଦ୍ଧି ହାର ୩ ଦଶମିକ ୧ ପ୍ରତିଶତ ଥିଲା । ଏହାଛଡା ପ୍ରାକ୍ କୋରୋନା ବେକାରୀ ହାର ଥିଲା ୮ ଦଶମିକ ୫ ପ୍ରତିଶତ ,ଯାହା କି ଗତ ୪୨ ବର୍ଷ ମଧ୍ୟରେ ସର୍ବାଧିକ । କୋରୋନା ପରେ ବେକାରୀ ହାର ୨୭ ପ୍ରତିଶତରେ ରହିଛି । ରପ୍ତାନିର ଗତି ମନ୍ଥର ରହିଛି । କେବଳ କୃଷି କ୍ଷେତ୍ରରେ ହିଁ ସାମାନ୍ୟ ଅଭିବୃଦ୍ଧି ଘଟିଛି ବୋଲି ଅଧୀର କହିଛନ୍ତି । ଆମେ ଆମର ଆର୍ଥିକ ସ୍ଥିତିକୁ ପ୍ରାକ୍ କୋରୋନା ଓ ପୋଷ୍ଟ୍ କୋରୋନା ଭାବେ ଦୁଇ ଭାଗ କରିବା ଦରକାର । ସମସ୍ତଙ୍କ ପାଇଁ ଡାଟା ଉପଲବ୍ଧ ଅଛି , ଯାହା କୁ ଦେଖି ସମୀକ୍ଷା କରିହେବ ।