ନୂଆଦିଲ୍ଲୀ: ଇଟିଭି ଭାରତର ସ୍ବତନ୍ତ୍ର ଭିଡିଓକୁ 7 ଲୋକ କଲ୍ୟାଣ ମାର୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାତ୍ମାଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ ଇଟିଭି ଭାରତ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ଏହି ସ୍ବତନ୍ତ୍ର ଭିଡିଓ । ରାମୋଜୀ ଗ୍ରୁପର ଚେୟାରମ୍ୟାନ ରାମୋଜୀ ରାଓ ଇଟିଭି ଭାରତ ଦ୍ବାରା ପ୍ରସ୍ତୁତ ବାପୁଙ୍କ ପ୍ରିୟ ଭଜନର ମ୍ୟୁଜିକାଲ ଭିଡିଓକୁ 150ତମ ଜୟନ୍ତୀରେ ଲଞ୍ଚ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ବାପୁଙ୍କ 150ତମ ଜୟନ୍ତୀ ଅବସରରେ ବଲିଉଡର ବିଭିନ୍ନ କ୍ଷେତ୍ରର କଳାକାରଙ୍କୁ ନିମନ୍ତ୍ରିତ କରିଥିଲେ । ଏହି ଅବସରରେ ମୋଦି କଳାକାରଙ୍କୁ ଇଟିଭି ଭାରତ ଦ୍ବାରା ପ୍ରସ୍ତୁତ ଗାନ୍ଧୀଙ୍କ ପ୍ରିୟ ଭଜନର ମ୍ୟୁଜିକାଲ ଭିଡିଓ ଦେଖାଇଛନ୍ତି । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଇଟିଭିର ଏହି ପ୍ରୟାସକୁ ପ୍ରଶଂସା କରିସାରିଛନ୍ତି । ମୋଦି ଟ୍ବିଟ କରି ଲେଖିଥିଲେ, 'ପୂଜ୍ୟ ବାପୁଙ୍କ ପ୍ରିୟ ଭଜନର ଅଦ୍ଭୁତ ପ୍ରସ୍ତୁତି ପାଇଁ @Eenadu_Hindi ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।'
ଇଟିଭି ଭାରତ ଦ୍ବାରା ନିର୍ମିତ 'ବୈଷ୍ଣବ ଜନ ତୋ ତେନେ କହିୟେ, ଯେ ପୀଡ ପରାୟେ ଜାନେରେ, ପର ଦୁଖେ ଉପକାର କରେ ତୋୟେ ମନ ଅଭିମାନ ନା ଆନେରେ' ହେଉଛି ବାପୁଙ୍କ ପ୍ରିୟ ଭଜନ । ପ୍ରତିପାଦିତ ଏହି ସଙ୍ଗୀତକୁ ସାରା ଭାରତର କଳାକାରଙ୍କୁ ନେଇ ଇଟିଭି ଭାରତ ପ୍ରସ୍ତୁତ କରିଥିଲା । ଏହି ଭଜନ ମାନବତା ଓ ପ୍ରେମର ବାର୍ତ୍ତା ଦେଇଥାଏ ।
ମୋଦି ଇଟିଭି ଭାରତର ଏହି ଭିଡିଓ ସହ ଆଉ ତିନୋଟି ଭିଡିଓକୁ ମଧ୍ୟ ପ୍ରଦର୍ଶିତ କରିଛନ୍ତି । ଏହି ତିନୋଟି ଭିଡିଓରେ ଗାନ୍ଧୀଙ୍କ 150ତମ ଜୟନ୍ତୀ କେନ୍ଦ୍ରୀଭୂତ । ଏହାକୁ ରାଜକୁମାର ହିରାନୀ, ତାରକ ମେହେଟା ଗ୍ରୃପ ଓ ସଂସ୍କୃତି ମନ୍ତ୍ରାଳୟ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । 7 ଲୋକ କଲ୍ୟାଣ ମାର୍ଗରେ ଆୟୋଜିତ କାର୍ଯ୍ୟକ୍ରମରେ ବଲିଉଡ ଫିଲ୍ମ ଜଗତର ବଡ ବଡ କଳାକାର ଯୋଗ ଦେଇଥିଲେ । ଯେଉଁଥିରେ ଅମିର ଖାନ, ଶାହରୁଖ ଖାନ, ରାଜକୁମାର ହିରାନୀ, କଙ୍ଗନା, ସୋନମ କପୁର, ସୋନୁ ନିଗମ ପ୍ରମୁଖ ସାମିଲ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ