ନୂଆଦିଲ୍ଲୀ: ଆବୁଧାବିର କ୍ରାଉନ ପ୍ରିନ୍ସଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଇଦ୍ ଉଲ ଫିତୁରର ଶୁଭେଚ୍ଛା ଦେଇଛନ୍ତି । ସୋମବାର ଟେଲିଫୋନ ମାଧ୍ୟମରେ ମୋଦି ଏହି ଶୁଭେଚ୍ଛା ଦେଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଆବୁଧାବି ଯୁବରାଜ ଶେଖ ମହମ୍ମଦ ବିନ୍ ଜାୟେଦ ଅଲ ନାହୟାନଙ୍କୁ ମୋଦି ଇଦ୍ ଶୁଭେଚ୍ଛା ଦେଇଥିଲେ । ଏହାସହ ସେ ସମସ୍ତ ୟୁଏଇବାସୀଙ୍କୁ ମଧ୍ୟ ଏହି ଅବସରରେ ଅଭିନନ୍ଦନ ଜଣାଇଥିଲେ । ମହାମାରୀ ସମୟରେ ସମସ୍ତଙ୍କ ସୁଖ ଓ ଶାନ୍ତି କାମନା କରିଥିଲେ ପ୍ରଧାନମନ୍ତ୍ରୀ ।
ଏହାସହ ଉଭୟ ନେତା କୋଭିଡ-19 ପରିସ୍ଥିତି ଏହାର ମୁକାବିଲା ନେଇ ଆଲୋଚନା କରିଥିଲେ । ୟୁଏଇରେ ଥିବା ଭାରତୀୟଙ୍କୁ ସାହାଯ୍ୟ କରିଥିବାରୁ ମୋଦି ପ୍ରିନ୍ସଙ୍କୁ ଧନ୍ୟବାଦ ଦେଇଥିଲେ । ସେହିପରି ଉଭୟ ନେତା ଏହି ମହାମାରୀ ମୁକାବିଲା ପାଇଁ ପରସ୍ପରକୁ କରିଥିବା ସାହାଯ୍ୟ ପରିପ୍ରେକ୍ଷୀରେ ସନ୍ତୋଷବ୍ୟକ୍ତ କରିଥିଲେ ।
ମୋଦି ନିଜ ଟ୍ବିଟରେ ଏହା ଉଲ୍ଲେଖ କରି କହିଥିଲେ ଯେ ଭାରତ-ୟୁଏଇ ମଧ୍ୟରେ ସମ୍ପର୍କ ଦିନକୁ ଦିନ ଦୃଢ ହେବାରେ ଲାଗିଛି । ଉଭୟ ଦେଶ ପରସ୍ପରକୁ ଏହି ମହାମାରୀ ସମୟରେ ଯଥେଷ୍ଟ ସହଯୋଗ କରିଛନ୍ତି । ସେହିପରି ସେ ୟୁଏଇ ରାଜପରିବାର ସୁଖ, ସମୃଦ୍ଧି ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରିଥିଲେ ।