ନୂଆଦିଲ୍ଲୀ: ଦେଶ ବ୍ୟାପି ଲକଡାଉନ ଜାରି ରହିଛି । ଏନେଇ ସମସ୍ତେ ନିଜକୁ ଘରେ ତାଲାବନ୍ଦ କରି ରଖୁଛନ୍ତି। ତେବେ ଏଭଳି ସ୍ଥିତିରେ ଭାରତ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବୈଠକ ଅନୁଷ୍ଠିତ କରିଛନ୍ତି।
ଏହି ବୈଠକରେ କୋଭିଡ୍ ମହାମାରୀ ସଙ୍କଟ ସମୟରେ ଅର୍ଥନୀତିର ପୃଷ୍ଠଭୂମିକୁ ସୁଦୃଢ କରିବାକୁ ଓ ଖଣି ଓ କୋଇଲା କ୍ଷେତ୍ରରେ ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ଆଣିବା ପାଇଁ ଆଲୋଚନା କରାଯାଇଛି।
ତେବେ ବୈଠକରେ ମୁଖ୍ୟତଃ ଘରୋଇ ଉତ୍ସରୁ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାର ଖଣିଜ ଦ୍ରବ୍ୟର ସହଜ ସୁଲଭ ଉପଲବ୍ଧି ପାଇଁ ଅନୁସନ୍ଧାନ ବୃଦ୍ଧି କରିବା, ପୁଞ୍ଜି ବିନିଯୋଗ ଏବଂ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ଉପରେ ଗୁରୁତ୍ବ ଦିଆଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ।
ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଖଣିଜ ଉତ୍ପାଦନ ତଥା ସେମାନଙ୍କ ଦେଶ ପ୍ରକ୍ରିୟାକରଣରେ ଦେଶର ଆତ୍ମନିର୍ଭରଶୀଳତାକୁ ସୁଦୃଢ କରିବା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି।