ନୂଆଦିଲ୍ଲୀ: ଭାରତ ଓ ସର୍ବଶେଷରେ ବିଶ୍ବଚାପରେ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମୁକ୍ତ କରିଛି ପାକିସ୍ତାନ । କିନ୍ତୁ ଦାରିଦ୍ର୍ୟତା ସହ ଲଢେଇ ଜାରି ରଖିଥିବା ପାକିସ୍ତାନ ପାଇଲଟଙ୍କ ଜିନିଷ ପତ୍ର ଫେରାଇବାକୁ ଭୁଲି ଯାଇଛି । ଅଭିନନ୍ଦନଙ୍କ ଘଡି, ମୋଜା ଓ ଚଷମା ଯଦିଓ ଫେରାଇଛି ପାକିସ୍ତାନ କିନ୍ତୁ ଦେଇନି ଅସଲି ସାମଗ୍ରୀ । ତାଙ୍କ ପିସ୍ତଲ, ମ୍ୟାପ ଓ ସର୍ଭାଇଭାଲ କିଟ୍ ଫେରାଇ ନାହିଁ ପାକିସ୍ତାନ ।
ଶୁକ୍ରବାର ଦିନ ୱାଘା-ଅଟାରୀ ସୀମା ଦେଇ ଅଭିନନ୍ଦନ ଭାରତ ପହଞ୍ଚିଥିଲେ । ସେତେବେଳେ ସେ ସାଧା ପୋଷାକରେ ଫେରିବା ସହ ତାଙ୍କ ହାତରେ ନଥିଲା କୌଣସି ବ୍ୟାଗ । ଖାଲି ହାତରେ ଭାରତ ଫେରିଥିଲେ ଏହି ବୀର ଯୋଦ୍ଧା । ପାକିସ୍ତାନ ଯୁଦ୍ଧ ବିମାନ ଏଫ-16କୁ ଧ୍ୱଂସ କରି ପିଓକେରେ ପହଞ୍ଚିଥିଲେ ଅଭିନନ୍ଦନ । ସ୍ଥାନୀୟ ବାସିନ୍ଦା ତାଙ୍କ ପିଛା କରିବା ପରେ ନିଜ ପିସ୍ତଲରୁ ଫାୟାରିଂ କରିଥିଲେ ସେ । ସେତେବେଳେ ସେ ବାୟୁସେନା ୟୁନିଫର୍ମରେ ଥିଲେ ।
ତାଙ୍କ ପାଖରେ ଥିଲା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । କିନ୍ତୁ ଶତ୍ରୁଙ୍କ ଅଞ୍ଚଳରେ ପହଞ୍ଚିବା ଜାଣି ସେସବୁ ନଷ୍ଟ କରି ଦେଇଥିଲେ ଅଭିନନ୍ଦନ । ସେପଟେ ତାଙ୍କୁ ପାକିସ୍ତାନରେ ଅଟକାଇବା ପାଇଁ ସମସ୍ତ ପ୍ରୟାସ କରାଯାଇଥିଲା । ଏନେଇ ଇସଲାମବାଦ ହାଇକୋର୍ଟରେ ଯାଚିକା ମଧ୍ୟ ଦାଏର କରାଯାଇଥିଲା । ମାତ୍ର ପାକିସ୍ତାନର ସବୁ ଚାଲ ଫେଲ ମାରିଥିଲା । ଶୁକ୍ରବାର ରାତି 9ଟା 20 ମିନିଟରେ ଅଟାରୀ-ୱାଘା ସୀମା ଦେଇ ଭାରତରେ ପହଞ୍ଚିଥିଲେ ଅଭିନନ୍ଦନ ।