ନୂଆଦିଲ୍ଲୀ: ଜେଏନୟୁ ଏବେ ଏକ ବିପଦଶଙ୍କୁଳ ଅବସ୍ଥା ଦେଇ ଗତି କରୁଛି । ଶୃଙ୍ଖଳିତ ଓ ପ୍ରଶଂସନୀୟ ସେ ଛାତ୍ରସଂଘ ନିର୍ବାଚନ ହେଉ କି ଛାତ୍ରହିଂସା ଭଳି ବଡ଼ ବଡ଼ ଅଘଟଣକୁ ସଫଳତାର ସହ ଏଡାଇବା ହେଉ ଅଥବା ଉଚ୍ଚମାନର ଏକାଡେମିକ ରେକର୍ଡ ବଜାୟ ରଖିବାରେ ଏକଦା ସୁନାମ ଅର୍ଜନ କରିଥିବା ଏହିବିଶ୍ବବିଦ୍ୟାଳୟ ଆଜି ହିଂସା ଓ ରକ୍ତପାତ ଭଳି ଭୟଙ୍କର ଅଘଟଣର ସାମନା କରିଛି ।
ଜାନୁଆରୀ ୫ ତାରିଖ ସଂଧ୍ୟାରେ ବିଶ୍ବବିଦ୍ୟାଳୟ ପରିସରରେ ରକ୍ତମୁଖା ଯୁବକଙ୍କ ଆତଙ୍କ କ୍ୟାମେରାରେ ବନ୍ଧା ହୋଇଛି । ଗଣମାଧ୍ୟମ ଜରିଆରେ ଏହାକୁ ସାରା ଦେଶ ଏପରିକି ବିଶ୍ବବାସୀ ଦେଖିଛନ୍ତି । ମୋଦି ସରକାରଙ୍କ ଜନବିରୋଧୀ ନିଷ୍ପତ୍ତି ବିରୋଧରେ ଚାଲିଥିବା ଆନ୍ଦୋଳନରେ ଜେଏନୟୁର ଛାତିଥରା ଅଘଟଣ ନିଆଁ ଲଗେଇଛି । ବଲିଉଡ ଜଗତର ସେଲିବ୍ରିଟିମାନେ ଜେଏନୟୁ ଘଟଣାକୁ ନିନ୍ଦା କରି ଛାତ୍ରମାନଙ୍କ ସମର୍ଥନରେ ଛିଡ଼ା ହୋଇଛନ୍ତି । ବିଶେଷ କରି ବଲିଉଡ୍ ଷ୍ଟାର ଦୀପିକା ପାଦୁକୋନ କ୍ୟାମ୍ପସ୍ କୁ ଯାଇ ଆହତ ଛାତ୍ରସଂଘ ସଭାପତି ଐଶ୍ ଘୋଷଙ୍କୁ ଭେଟିବା ହଲଚଲ ସୃଷ୍ଟି କରିଛି । ଜେଏନୟୁ ସମସ୍ୟାର ମୁକାବିଲା ପାଇଁ ମୋଦି ସରକାର ଦୃଢ଼ ସଂକଳ୍ପ ସହ ଆଗକୁ ବଢ଼ୁଥିବା ଜଣାପଡୁଛି । ସମସ୍ୟାର ସମାଧାନ ପାଇଁ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ।
୩ ସପ୍ତାହ ତଳେ ଏମିତି ରବିବାରରେ ଜାମିଆ ମିଲିଆ ବିଶ୍ବବିଦ୍ୟାଳୟରେ ପୋଲିସର ନିଷ୍ଠୁର ଓ ଉଗ୍ରଚେହେରା ସମସ୍ତଙ୍କ ଆଖିରେ ନାଚୁଛି । ଜେଏନୟୁ ଘଟଣାରେ କିନ୍ତୁ ପୁଲିସର ବିପରୀତ ଆଚରଣ ଦେଖିବାକୁ ମିଳିଛି । ଜାମିଆରେ ଛାତ୍ରମାନଙ୍କୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ଛାଡ଼ିବାକୁ ବଳ ପ୍ରୟୋଗ କରାଯାଇଥିବା ବେଳେ ଜେଏନୟୁ କ୍ୟାମ୍ପସ୍ ରେ ପଶି ହିଂସାକାଣ୍ଡ କରିଥିବା ବାହାରର ମୁଖାପିନ୍ଧା ଯୁବକମାନଙ୍କୁ ପୁଲିସ ବିନା ବାଧା, ଦ୍ବିଧାରେ ଛାଡ଼ିଦେଇଛି ।
ଜେଏନୟୁ ଭଳି ଗାରିମାମୟ ବିଶ୍ବବିଦ୍ୟାଳୟରେ ଏଭଳି ଘଟଣା ସମସ୍ତଙ୍କୁ ବାରମ୍ବାର ଚିନ୍ତା କରିବାକୁବାଧ୍ୟ କରୁଛି । ଜେଏନୟୁ କ୍ୟାମ୍ପସ୍ ରେ ହିଂସାକାଣ୍ଡ ଘଟୁଥିବା ବେଳେ କ୍ୟାମ୍ପସ୍ ବାହାରେ ଆକ୍ରମଣରଶିକାର ହୋଇଥିବା ସ୍ବରାଜ ଅଭିଯାନର ଯୋଗେନ୍ଦ୍ର ଯାଦବ ଏହାକୁ ଜେଏନୟୁ ଉପରେ ବୁଦ୍ଧିଜୀବୀଆକ୍ରମଣର ଆଖ୍ୟା ଦେଇଛନ୍ତି । ତାଙ୍କ ମତରେ ରାଜନୈତିକ ଆକ୍ରମଣର ଏହା ନୂଆ ତରିକା ହୋଇଛି ।ସରକାର ବିରୋଧୀ ସ୍ବର ଉଠାଉଥିବା ବିଶ୍ବବିଦ୍ୟାଳୟର ନିର୍ଦ୍ଦିଷ୍ଟ ଛାତ୍ରଗୋଷ୍ଠୀକୁ ଟାର୍ଗେଟ୍କରାଯାଉଛି । ଯାହା ବାକଯୁଦ୍ଧରେ ସୀମିତ ନ ରହି ଶାରୀରିକ ହିଂସାକାଣ୍ଡ ଆଡକୁ ଚାଲିଯାଇଛି । ପଛକୁ ଫେରିଲେ, ଭଲ ଇଂରାଜୀ କହିପାରୁଥିବା ବିଜେପି ମାର୍କା ବୁଦ୍ଧିଜୀବୀ ସ୍ବପ୍ନ ଦାସଗୁପ୍ତା ଏବଂଚନ୍ଦନ ମିତ୍ରଙ୍କ ଆଡୁ ଜେଏନୟୁ ଆକ୍ରମଣର ଶୁଭାରମ୍ଭ ହୋଇଥିଲା । କୁଆଡ଼େ ଜେଏନୟୁରବାମପନ୍ଥୀମାନେ ଦକ୍ଷିଣପନ୍ଥୀ ବୁଦ୍ଧିଜୀବୀମାନଙ୍କୁ ସେଠାକୁ ପୂରାଇ ଦେଉନାହାନ୍ତି । ସେମାନଙ୍କ ପଥଅବରୋଧ କରାଯିବାରୁ ବୁଦ୍ଧି, ଚିନ୍ତାଧାରାର ପରିବ୍ୟାପ୍ତ ହୋଇପାରୁନାହିଁ । ଧରାଯାଉ, ଏହି ଅଭିଯୋଗଟି କେତେକାଂଶରେ ସତ୍ୟ ।
ତେବେ କିଏ ସେହି ଦକ୍ଷିଣପନ୍ଥୀ ବିଶ୍ବସଯୋଗ୍ୟ ବୁଦ୍ଧିଜୀବୀ ଯିଏଗୁରୁତ୍ବପୂର୍ଣ୍ଣ ଏକାଡେମିକ ଆଲୋଚନା ଜରିଆରେ ଜେଏନୟୁର ସ୍ବାଧୀନ ବାମପନ୍ଥୀମାନଙ୍କୁ ଚାଲେଞ୍ଜଦେଇପାରିବେ? ଜାତୀୟତାବାଦ, ଖୋଲା ବଜାର, ପାଣିପାଗ ପରିବର୍ତ୍ତନ ଏବଂ ନରେନ୍ଦ୍ର ମୋଦିଙ୍କ ଭଳି ଟାଣୁଆ ନେତାଙ୍କ ସମ୍ପର୍କରେ ଆଲୋଚନା କରିପାରିବେ? ଜଣାପଡୁଛି, ବୌଦ୍ଧିକ ଜ୍ଞାନକୁ ନେଇ ବିଜେପି ନିଜେ ସମସ୍ୟାରେ ଅଛି । ଯାହା ଜେଏନୟୁ ଉପରେ ରାଜନୈତିକ ଆକ୍ରମଣର ପରବର୍ତ୍ତୀ ସୋପାନକୁ ନେଇଯାଇଛି । କୌତୁହଳର କଥା ହେଲା ଜେଏନୟୁର ବୌଦ୍ଧିକ ଗାରିମାକୁ ତାତ୍ସଲ୍ୟ କରୁଥିବା ଲୋକମାନେ ଏହାର ଶିକ୍ଷାଦାନ ଉପରେ ସନ୍ଦେହ ପ୍ରକାଶ କରୁଛନ୍ତି । ଏଠାରେ ପାଠ ପଢ଼ାପଢ଼ି ଠିକ୍ ଚାଲି ନ ଥିବା ଭଳି ଅଜବ ଅଭିଯୋଗ ଅଣାଯାଉଛି । ସତ୍ତା ବିରୋଧରେ ସ୍ବର ଉଠାଇ ବିଶ୍ବବିଦ୍ୟାଳୟ ସମ୍ଭବତଃ ଠିକ୍ ରାସ୍ତା ଆପଣେଇଛି । ଗତ ୪ ବର୍ଷ ଧରି ଜେଏନୟୁ ଉପରେ ଆକ୍ରମଣ ହୋଇଚାଲିଛି । ସଂଯୋଗକୁ ବର୍ତ୍ତମାନର କୁଳପତି ପ୍ରଫେସର ମାମିଦାଲା ଜଗଦୀଶ କୁମାରଙ୍କ ସମୟରେ ବିଶ୍ବବିଦ୍ୟାଳୟ ହିଂସାର ଶୀର୍ଷରେ ପହଞ୍ଚିଛି । ବିଗତ ୭୦ ଦିନ ଧରି ବିଶ୍ବବିଦ୍ୟାଳୟରେ ନିୟମିତ ଏକାଡେମିକ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି । ମାତ୍ର ଏହି ସଙ୍କଟ ଟାଳିବା ପାଇଁ କୁଳପତି ସେଭଳି ଆଖିଦୃଶିଆ ଉଦ୍ୟମ କରିନାହାନ୍ତି । ଗଲା ଡିସେମ୍ବର ମାସରେ ମାମଲା ସମାଧାନର ସମ୍ଭାବନା ସୃଷ୍ଟି ହୋଇଥିଲା । ଜେଏନୟୁର ପୂର୍ବତନ ଛାତ୍ର ତଥା ଉଚ୍ଚଶିକ୍ଷା ସଚିବ ଆର.ସୁବ୍ରମଣ୍ୟମ୍ ସେଥିପାଇଁ ଆପ୍ରାଣ ଚେଷ୍ଟା ଚଳାଇଥିଲେ । ମାତ୍ର ଅଚାନକ ତାଙ୍କୁ ବଦଳି କରିଦିଆଗଲା ।
ଜେଏନୟୁ କୁଳପତି ତାଙ୍କର ଏହି କାର୍ଯ୍ୟକାଳ ଭିତରେ ନା ଉତ୍ତରଦାୟିତ୍ବବୋଧ ମୁଣ୍ଡାଇଛନ୍ତି ନାକାହାରି ଉପରେ ନୈତିକ ଦାୟିତ୍ବ ଛାଡ଼ିଛନ୍ତି । କ୍ୟାମ୍ପସ୍ ରେ ହିଂସାକାଣ୍ଡ ଘଟଣା ପରେ ତଳିଆକର୍ମଚାରୀମାନେ ମଧ୍ୟ ତାଙ୍କଠାରୁ ଭରସା ତୁଟାଇଛନ୍ତି । ଦୁର୍ଭାଗ୍ୟର କଥା, ଏତେବଡ଼ କାଣ୍ଡ ପରେ ଦୁଇଦିନ ଯାଏଁ ତାଙ୍କ ପାଟି ଫିଟିଲା ନାହିଁ । ସେଥିପାଇଁ ପ୍ରବଳ ସମାଲୋଚନାକୁ ମଧ୍ୟ ଖାତିର କଲେ ନାହିଁ ତେବେ ଦୀପିକା ପାଦୁକୋନ କ୍ୟାମ୍ପସ୍ କୁ ଆସି ଆହତ ଛାତ୍ରଙ୍କୁ ଭେଟିବା ପରେ ତାଙ୍କର ‘ବିରାଟ ବ୍ୟକ୍ତିତ୍ୱ’ ଉପରେ ଆଞ୍ଚ ଆସିଲା । ପାଟି ଖୋଲି ନିଜ ବିଷୟରେ ଏବଂ ତାଙ୍କର ପ୍ରାଥମିକତାସମ୍ପର୍କରେ ଗୁଡ଼ାଏ କଥା କହିଲେ । ହେଲେ ନୈତିକ ଦୃଷ୍ଟିରୁ ତାଙ୍କଠାରୁ ଇସ୍ତଫା ଆଶା ବହୁ ଦୂରରେ
ରହିଗଲା ।
କୁଳପତି ଏହି ବିଶ୍ବବିଦ୍ୟାଳୟର ମାନ ଅକ୍ଷୂର୍ଣ୍ଣ ରଖି ତାହାକୁ ଆଗକୁ ବଢ଼ାଇବା ପାଇଁ ଆଦୌ ଆଗ୍ରହୀ ନୁହଁନ୍ତି ବରଂ ଏହାକୁ ରସାତଳଗାମୀ କଲେଣି ବୋଲି ସମାଲୋଚନା ହେଉଛି । ଅନ୍ୟପକ୍ଷରେ, କିଛି ସମର୍ଥକ ତାଙ୍କ ସପକ୍ଷରେ ଯୁକ୍ତି ଦର୍ଶାଉଛନ୍ତି ଯେ ଜେଏନୟୁ ବାତାବରଣକୁ ଆହୁରି ଉଚ୍ଚମାନରେ ପହଞ୍ଚାଇବା କାମରେ କୁଳପତି ଲାଗିପଡ଼ିଛନ୍ତି । ତେବେ ଆଶ୍ଚର୍ଯ୍ୟ ଲାଗେ କି ବିଶ୍ବବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷକନିଯୁକ୍ତି ଦିଗକୁ ଅଣଦେଖା କରୁଥିବା କୁଳପତିଙ୍କର ଏହା କିଭଳି କାର୍ଯ୍ୟ? ବିଭିନ୍ନ ମିଡ଼ିଆ ରିପୋର୍ଟ ଦେଖିଲେ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼େ । ବିଶ୍ବବିଦ୍ୟାଳୟର ସାମ୍ପ୍ରତିକ ପରିସ୍ଥିତିରେ କୁଳପତିଙ୍କ ମୁଣ୍ଡକୁ ଏକ ଉଦ୍ଭଟ ଚିନ୍ତା ପଶିଥିଲା । ପୂର୍ବବର୍ତ୍ତୀ ସେମିଷ୍ଟାର ପରୀକ୍ଷାଗୁଡ଼ିକ ଇ-ମେଲ ଯୋଗେ କରିବାକୁ କୁଳପତି ଚାହୁଁଥିଲେ । ଅର୍ଥାତ୍ ପ୍ରଶ୍ନପତ୍ରଗୁଡ଼ିକ ଇ-ମେଲ୍ ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଏବଂ ଉତ୍ତର ମଧ୍ୟ ସେହି ଇ-ମେଲ୍ କିମ୍ବା ହ୍ବାଟସ୍ ଆପ୍ ଯୋଗେ ଅଣାଯିବ । ଧନ୍ୟବାଦର କଥା, ଅଧିକାଂଶ ଶିକ୍ଷକ ଏହି ପ୍ରସ୍ତାବକୁ ବିରୋଧ କଲେ ଶେଷରେ, ଜେଏନୟୁରେ ଚାଲିଥିବା ଏହି ଲମ୍ବା କାହାଣୀର ସବୁଠାରୁ ଖରାପ ଅଧ୍ୟାୟଟି ହେଉଛି ‘ଟୁକୁଡ଼େ ଟୁକୁଡ଼େ ଗ୍ୟାଙ୍ଗ୍’ ଉପାଖ୍ୟାନ । ଟେଲିଭିଜନ୍ ଷ୍ଟୁଡ଼ିଓରେ ବଡ଼ ପାଟିରେ ବସି ଚିଲ୍ଲାଉଥିବା ଆଙ୍କର ଅର୍ଣ୍ଣବ ଗୋସ୍ୱାମୀଙ୍କ ମାଧ୍ୟମରେ ଏହି ‘ଟୁକୁଡ଼େ ଟୁକୁଡ଼େ ଗ୍ୟାଙ୍ଗ’ ସଂଜ୍ଞାଟିକୁ ଜେଏନୟୁ ସହିତ ଅଙ୍ଗାଙ୍ଗୀ ଭାବେ ଯୋଡି ଦିଆଯାଇଛି । ଜେଏନୟୁ ବିରୋଧରେ ଘୃଣିତ ପ୍ରଚାରର ଆୟୁଧ ସାଜିଛନ୍ତି ଅର୍ଣ୍ଣବ ଗୋସ୍ୱାମୀ । ବିଶ୍ବବିଦ୍ୟାଳୟର ସୁନାମକୁ ଆଞ୍ଚ ଆଣୁଥିବା ଏଭଳି ଅମୂଳକ ଘୃଣିତ ଅପପ୍ରଚାରକୁ ପ୍ରତିହତ କରିବା ପାଇଁ କୁଳପତି ସାମାନ୍ୟତମ ଉଦ୍ୟମ କରିନାହାନ୍ତି । ଏଭଳି କୁଳପତିଙ୍କଠାରୁ କ’ଣ ଆଉ ଆଶା କରାଯିବ?
ଅମୀର ଅଲ୍ଲୀ, ସେଣ୍ଟର ଫର୍ ପଲିଟିକାଲ୍ ଷ୍ଟଡିଜ୍, ଜେଏନୟୁ, ନୂଆଦିଲ୍ଲୀ