ମୁମ୍ବାଇ: କୋରୋନା ଭାଇରସ ମହାମାରୀ ଯୋଗୁଁ ଭାରତର ସ୍ଥିତି ଅସମ୍ଭାଳ ହେଲାଣି । ଏବେସୁଦ୍ଧା ଦେଶର 10 କୋଟି ଲୋକ ନିଜର ଜୀବିକା ହରାଇଛନ୍ତି । ଏହି ସଙ୍କଟ 40 କୋଟି ପରିବାରକୁ ପ୍ରଭାବିତ କରିଛି । ଏହା ବ୍ୟତୀତ ମଧ୍ୟ ଦେଶରେ ଅନେକ ସମସ୍ୟା ରହିଛି । ତେବେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସମାଧାନ ଶୀଘ୍ର ନକରିନ୍ତି ଇସ୍ରାଏଲ ଭଳି ଭାରତର ଜନତା ମଧ୍ୟ ମୋଦିଙ୍କ ଇସ୍ତଫା ଦାବି କରିବେ ବୋଲି ଶିବସେନା ମୁଖପାତ୍ର ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତ କହିଛନ୍ତି ।
ଶିବସେନାର ମୁଖପାତ୍ର 'ସାମାନା'ରେ ଏଭଳି ଦାବି କରିଛନ୍ତି ରାଉତ । ସେ କହିଛନ୍ତି, ବେତନ ପ୍ରାପ୍ତ ମଧ୍ୟବିତ୍ତ ଲୋକମାନେ ଚାକିରୀ ହରାଇଥିବାବେଳେ ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରରେ ପ୍ରାୟ ଚାରି ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି । ଏହି ସମସ୍ୟାର ସମାଧାନ କଣ ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟ ରାଉତ । ସେ କହିଛନ୍ତି, ଲୋକଙ୍କ ଧର୍ଯ୍ୟର ଏକ ସୀମା ଅଛି । ସେମାନେ କେବଳ ଆଶା ଏବଂ ଆଶ୍ୱାସନାରେ ବଞ୍ଚିପାରିବେ ନାହିଁ। ବର୍ତ୍ତମାନର ପରିସ୍ଥିତି କଷ୍ଟସାଧ୍ୟ। ପୂର୍ବରୁ କେହି ଏପରି ଅନୁଭବ କରି ନ ଥିଲେ ବୋଲି ରାଉତ କହିଛନ୍ତି।
ଇସ୍ରାଏଲର ଉଦାହରଣ ଦେଇ ରାଉତ କହିଛନ୍ତି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମୋଦିଙ୍କ ବନ୍ଧୁ । ଆର୍ଥିକ ସଙ୍କଟ ଏବଂ କୋରୋନା ମୁକାବିଲାରେ ବିଫଳ ହେବାପରେ ନେତାନ୍ୟାହୁଙ୍କ ବିରୋଧରେ ଶହ ଶହ ଲୋକ ପ୍ରଦର୍ଶନ କରିଥିଲେ । ଇସ୍ରାଏଲର ଜନତା ନେତାନ୍ୟାହୁଙ୍କ ଇସ୍ତଫା ଦାବି କରୁଛନ୍ତି । ଏଭଳି ସମୟ ଭାରତରେ ମଧ୍ୟ ଆସିପାରେ ବୋଲି ରାଉତ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆପଣାଯାଇଥିବା ଉପାୟ ଏବଂ ଯୋଜନାକୁ ସମାଲୋଚନା କରି ରାଉତ କହିଛନ୍ତି, ପାଞ୍ଚଟି ରାଫେଲେ ବିମାନକୁ ସୁରକ୍ଷା ଦେବା ପାଇଁ ଅମ୍ବାଲା ବାୟୁସେନା ବେସ ଚାରିପାଖରେ ଧାରା 144 ଲାଗୁ କରାଯାଇଛି। ରାଫେଲ ପୂର୍ବରୁ ସୁଖୋଇ ଏବଂ ମିଗ ବିମାନ ଭାରତ ଆସିଛନ୍ତି, କିନ୍ତୁ ଏଭଳି ଉତ୍ସବ ପୂର୍ବରୁ କେବେ କରାଯାଇ ନାହିଁ ବୋଲି ସେ କହିଛନ୍ତି। ବୋମା ଏବଂ କ୍ଷେପଣାସ୍ତ୍ର ପରିବହନ କ୍ଷମତା ଥିବା ରାଫେଲ ବିମାନ ବେକାରୀ ସମସ୍ୟା ଏବଂ ଅର୍ଥନୈତିକ ସମସ୍ୟା ଦୂର କରିବାରେ ସକ୍ଷମ ହେବ କି ବୋଲି ରାଉତ ପ୍ରଶ୍ନ କରିଛନ୍ତି ।
ରାଜସ୍ଥାନର ରାଜନୈତିକ ସଙ୍କଟକୁ ନେଇ ମଧ୍ୟ ବିଜେପିକୁ କଡା ସମାଲୋଚନା କରିଛନ୍ତି ସଞ୍ଜୟ ରାଉତ । ଏହା ସହିତ ସେ ବେରୋଜଗାର ସମସ୍ୟାକୁ ନେଇ କହିଛନ୍ତି, ବିଭିନ୍ନ ସଙ୍କଟ, ରୋଜଗାର ବିଷୟରେ କେହି କହୁନାହାଁନ୍ତି। ସଙ୍କଟ ସୁଯୋଗ ସୃଷ୍ଟି କରେ ବୋଲି କହିବା ସହଜ ଅଟେ । କିନ୍ତୁ ଲୋକମାନେ କିପରି ସଙ୍କଟ ସହିତ ମୁକାବିଲା କରୁଛନ୍ତି ତାହା କେହି ଜାଣନ୍ତି ନାହିଁ ବୋଲି ସେ କହିଛନ୍ତି ।