ନୂଆଦିଲ୍ଲୀ: ଚୀନ ସମେତ ପୁରା ବିଶ୍ବ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି କୋରୋନା ଭାଇରସ । ଏହି ମାରାତ୍ମକ ଭାଇରସ୍ ଏବେ ରାଜଧାନୀ ଦିଲ୍ଲୀରେ ମଧ୍ୟ ପ୍ରବେଶ କରିଛି । ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲରେ 5 ଜଣ ରୋଗୀଙ୍କ ଠାରେ କୋରୋନା ଭାଇରସ୍ର ଲକ୍ଷଣ ଦେଖାଯାଇଛି । ସେମାନଙ୍କ ମଧ୍ୟରେ 4 ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ସେମାନଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଛି । ସେମାନେ ନିକଟରେ ଚୀନରୁ ଫେରିଥିଲେ ।
ଅନ୍ୟପକ୍ଷେ ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଜାନୁଆରୀ 28 ସୁଦ୍ଧା 4846 ଲୋକଙ୍କର ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ମହାରାଷ୍ଟ୍ରର 12 ଯାତ୍ରୀଙ୍କ ମଧ୍ୟରେ ଜ୍ବର ଏବଂ ସର୍ଦ୍ଦିର ଲକ୍ଷଣ ଦେଖାଯାଇଛି । ସମସ୍ତଙ୍କୁ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି ।
ସମଗ୍ର ଚୀନରେ କରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା 212ରେ ପହଞ୍ଚିଛି । ସେହିପରି 9356 ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହି ଭାଇରସ୍ ଏବେ ଚୀନ ସମେତ ବିଶ୍ବର 17ଟି ଦେଶରେ ପ୍ରବେଶ କରିଛି । ଚୀନରେ ବ୍ୟାପୁଥିବା କୋରୋନା ଭାଇସକୁ ଦୃଷ୍ଟିରେ ରଖି ଭାରତ ସରକାର ଉହାନ ପ୍ରଦେଶରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି । ଏନେଇ ଆଜି 2ଟି ସ୍ବତନ୍ତ୍ର ବିମାନ ଚୀନ ଅଭିମୁଖେ ଉଡାଣ ଭରିବ ।