ଭୋପାଳ: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁବେଳେ ବିବାଦ ଲାଗି ରହୁଛି, କିନ୍ତୁ ପାକିସ୍ତାନରେ ରହୁଥିବା ଏକ ଭଉଣୀ ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ରହୁଥିବା ତାର ଏକ ହିନ୍ଦୁ ଭାଇକୁ ଗତ 30 ବର୍ଷ ଧରି ରାକ୍ଷୀପୂର୍ଣ୍ଣମୀ ଅବସରରେ ରାକ୍ଷୀ ପଠାଇ ଆସୁଛି।

ପାକିସ୍ତାନର କରାଚିରେ ରହୁଥିବା ଶାହିଦା ଖଲିଲ ହରଦାସ୍ଥିତ ଟକିଜ ଅପରେଟର ପଙ୍କଜ ବଫନାଙ୍କୁ ଚଳିତବର୍ଷ ମଧ୍ୟ ରାକ୍ଷୀ ପଠାଇବାକୁ ଭୁଲି ନାହାଁନ୍ତି। 2013 ମସିହାରେ ଶାହିଦା ଭାଇ ପଙ୍କଜଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଭାରତ ଆସିଥିଲେ, ଚଳିତଥର ମଧ୍ୟ ପାକିସ୍ତାନରେ ରହୁଥିବା ଏହି ଭଉଣୀ ରାକ୍ଷୀ ବାନ୍ଧିବାକୁ ଭାରତ ଆସିବାକୁ ଇଚ୍ଛା କରିଥିଲେ, କିନ୍ତୁ କୋରୋନା ଭାଇରସ କାରଣରୁ ଏହା ସମ୍ଭବ ହୋଇପାରି ନାହିଁ । ଯେଉଁଥିପାଇଁ ଭିଡିଓ କଲ ମାଧ୍ୟମରେ ସେ ପଠାଇଥିବା ରାକ୍ଷୀକୁ ତାଙ୍କ ଭାଇଙ୍କ ହାତରେ ପିନ୍ଧାଉଥିବା ସମୟରେ ଫୋନ ମାଧ୍ୟମରେ ଦେଖିଥିଲେ ।

ଶାହିଦା ଖଲିଲ ମୂଳତଃ ଏମପିର ହରଦାପୁରରେ ରହୁଥିଲେ, ହେଲେ ସେ ପରେ ପାକିସ୍ତାନ ଚାଲିଯାଇଥିଲେ, ଆଜି ବି ତାଙ୍କ ଭାଇ ହରଦାର ମାନପୁରାରେ ରୁହନ୍ତି, ତାଙ୍କ ଭାଇ ଦିଲୀପ ଖାନଙ୍କ ବନ୍ଧୁ ଭାବରେ ହରଦାରେ ରହୁଥିବା ପଙ୍କଜ ବଫନାଙ୍କ ହାତରେ ପିଲା ଦିନୁ ରାକ୍ଷୀ ବାନ୍ଧି ଆସୁଛନ୍ତି। ଶାହିଦା ରାକ୍ଷୀ ବାନ୍ଧିବାକୁ ଭାରତକୁ ଆସିପାରୁ ନ ଥିବାରୁ ପଙ୍କଜ ବଫନାଙ୍କୁ ପାକିସ୍ତାନରେ ରହୁଥିବା ତାଙ୍କ ଭଉଣୀ ପଠାଇଥିବା ରାକ୍ଷୀକୁ ଭଉଣୀ ନମ୍ରତା ଲୋଢା ବାନ୍ଧିଛନ୍ତି। ମୁମ୍ବାଇର ବାସିନ୍ଦା ଅମୃତା ଲୋଢା କହିଛନ୍ତି ଯେ, 'ସେ ତାଙ୍କ ଭାଇଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ମୁମ୍ବାଇରୁ ହରଦା ଆସିଛନ୍ତି, କିନ୍ତୁ ପାକିସ୍ତାନର କରାଚିରେ ରହୁଥିବା ତାଙ୍କ ଭଉଣୀ ଶାହିଦା ଖଲିଲଙ୍କ ଦ୍ୱାରା ପଠାଯାଇଥିବା ରାକ୍ଷୀକୁ ବାନ୍ଧିବାର ସୁଯୋଗ ପାଇଲେ ସେ ବହୁତ ଖୁସି ଅଛନ୍ତି । ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ହୋଇଥିଲେ ମଧ୍ୟ ଭାଇଭଉଣୀଙ୍କ ପ୍ରେମର ଏହା ଏକ ନିଆରା ଉଦାହରଣ'।
ପଙ୍କଜ କହିଛନ୍ତି ଯେ, ଆମର ଉଭୟ ଭାଇଭଉଣୀଙ୍କ ଏହି ପ୍ରେମ ହିନ୍ଦୁ ମୁସଲମାନ ଏକତାକୁ ମଜବୁତ କରିବା ପାଇଁ ସମଗ୍ର ଦେଶ ପାଇଁ ଭାଇଚାରା ଏବଂ ପାରସ୍ପରିକ ସୌହାର୍ଦ୍ଦ୍ୟର ଚିହ୍ନ ଅଟେ'।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ