ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥାକୁ ନେଇ ପୁଣିଥରେ ମୋଦି ସରକାରଙ୍କୁ ଘେରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ । ଆର୍ଥିକ ମାନ୍ଦାବସ୍ଥା ଉପରେ ଲେଖକଙ୍କ ନିଷ୍କର୍ଷକୁ ନୈରାଶ୍ୟଜନକ ଦର୍ଶାଇ ଏହା ସାମାନ୍ୟ ମାନ୍ଦାବସ୍ଥା ନୁହେଁ ବରଂ ଏହା ଭାରତର ସବୁଠୁ ବଡ ମାନ୍ଦାବସ୍ଥା ବୋଲି ଚିଦାମ୍ବରମ କହିଛନ୍ତି । ଏହା ସହିତ ଅର୍ଥବ୍ୟବସ୍ଥା ଆଇସିୟୁ ଚାଲିଯାଇଥିବା ସେ କହିଛନ୍ତି ।
ଚିଦାମ୍ବରମ ପୂର୍ବରୁ ମଧ୍ୟ ଅର୍ଥ ବ୍ୟବସ୍ଥାକୁ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି । ଏହା ବ୍ୟତୀତ କଂଗ୍ରେସ ନିକଟରେ ଏହି ପ୍ରସଙ୍ଗକୁ ନେଇ ଦେଶବ୍ୟାପି ଆନ୍ଦୋଳନ କରିଥିଲା ଏବଂ ମୋଦି ସରକାରଙ୍କ ନୀତି ବିରୋଧରେ ସ୍ବର ଉତ୍ତୋଳନ କରିଥିଲା । ଦେଶ ବଞ୍ଚାଅ ଆନ୍ଦୋଳନ ଜରିଆରେ କଂଗ୍ରେସର ସମସ୍ତ ବରିଷ୍ଠ ନେତା ରାଜରାସ୍ତାକୁ ଓହ୍ଲାଇ ଆର୍ଥିକ ମାନ୍ଦାବସ୍ଥା ନେଇ ମୋଦି ସରକାରଙ୍କୁ ଘେରିଥିଲେ ।
ଦେଶର ଅର୍ଥବ୍ୟବସ୍ଥାକୁ ନେଇ ମୋଦି ସରକାରରେ ମୁଖ୍ୟ ଆର୍ଥିକ ପରାମର୍ଶଦାତା ରହିଥିବା ଅରବିନ୍ଦ ସୁଭ୍ରମଣ୍ୟମ ମଧ୍ୟ କିଛି ଏଭଳି ହିଁ ମନ୍ତବ୍ୟ ଦେଇଥିଲେ । ଦେଶର ଅର୍ଥବ୍ୟବସ୍ଥା ଆଇସିୟୁ ଆଡକୁ ଗତି କରୁଥିବା ସେ କହିଥିଲେ । ଏହା ସହିତ ସରକାରଙ୍କୁ ଚେତାବନୀ ଦେଇ କହିଥିଲେ, ଏହାକୁ ବର୍ତ୍ତମାନ ନ ସୁଧାରିଲେ ସ୍ଥିତି ଆହୁରି ଗମ୍ଭୀର ହେବ ।