ନୂଆଦିଲ୍ଲୀ: ଦେଶ ବିଭାଜନ ସମୟରେ ପାକିସ୍ତାନରୁ ଭାରତ ଆସିଥିବା ପାକିସ୍ତାନୀ ଶରଣାର୍ଥୀ ଧାରା-370 ଉଚ୍ଛେଦ ନେଇ ଖୁସ । ଏବେ ସୀମାବର୍ତ୍ତୀ ଜିଲ୍ଲା ସାମ୍ବାରେ ପ୍ରାୟ 21 ହଜାର ଲୋକ ବାସ କରୁଛନ୍ତି ଏବଂ ଏମାନଙ୍କ ପାଇଁ ଧାରା 370 ଉଚ୍ଛେଦ ଆଶାର ଏକ କିରଣ ସାଜିଛି ।
ବିଭାଜନ ଯୋଗୁଁ ସୃଷ୍ଟି ହୋଇଥିବା ଧାର୍ମିକ ହିଂସା ଯୋଗୁଁ ପଶ୍ଚିମ ପାକିସ୍ତାନର କିଛି ଲୋକମାନେ ସୀମାବର୍ତ୍ତୀ ଜିଲ୍ଲା ସାମ୍ବାରେ ନିଜ ଜନବସତି ଆରମ୍ଭ କରିଥିଲେ । କିନ୍ତି ସେମାନଙ୍କୁ ନିଜ ଅଧିକାର ପ୍ରାପ୍ତ ହୋଇନଥିଲା । ପାଠପଢା ଠାରୁ ଆରମ୍ଭ କରି ସରକାରୀ ଚାକିରୀ ଏବଂ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ଥିଲେ ଏମାନେ । ଏପରିକି ଜମି ଖଣ୍ଡେ ପାଇଁ ମଧ୍ୟ ସେମାନଙ୍କୁ ସଙ୍ଘର୍ଷ କରିବାକୁ ପଡୁଥିଲା । ଦୀର୍ଘ 70 ବର୍ଷ ପର୍ଯ୍ୟନ୍ତ ସେମାନେ କୌଣସି ଦେଶର ନାଗରିକତ୍ବ ପାଇପାରିନଥିଲେ ।
ତେବେ ଜମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ହଟିବା ପରେ ସେମାନଙ୍କ ମଧ୍ୟରେ ଖୁସିର ଲହରି ସଞ୍ଚାରିତ ହୋଇଛି । ଭବିଷ୍ୟତରେ ଏକ ପ୍ରତିଷ୍ଠିତ ଜୀବନ ଯାପନର ଆଶା ବାନ୍ଧିଛନ୍ତି ସେମାନେ । ବର୍ତ୍ତମାନ ସେମାନଙ୍କୁ ସମସ୍ତ ସୁବିଧା ମିଳିବ ବୋଲି ଆଶା ବାନ୍ଧିଛନ୍ତି । ଏଥିପାଇଁ ଖୁସି ପ୍ରକାଶ କରିବା ସହ ମୋଦିଙ୍କ ଜୟଗାନ କରିଛନ୍ତି ଏହି ପାକ ଶରଣାର୍ଥୀ ।
ଦୀମା ଚନ୍ଦ ନାମକ ଜଣେ ବ୍ୟକ୍ତି ଏନେଇ ଖୁସୀ ପ୍ରକାଶ କରି କହିଛନ୍ତି, ପାକିସ୍ତାନର ମୁସଲମାନ ଆମକୁ ସେଠାରେ ରହିବାକୁ ଦେଲେନାହିଁ । ସେଥିପାଇଁ ଆମେ ଭାରତ ଆସିଲୁ । କିନ୍ତୁ ଏଠାରେ ମଧ୍ୟ ଆମ ଅବସ୍ଥା ପାକିସ୍ଥାନ ଭଳି ହୋଇଗଲା । ପିଲାଙ୍କ ପାଠ ପଢା ହେଉ ଅବା କୌଣସି ସରକାରୀ ଚାକିରୀ ସବୁଠି ଆମକୁ ନିବାସ ପ୍ରମାଣ ପତ୍ର ମଗାଯାଉଥିଲା । ଆଉ ଯେତେବେଳେ ନିବାସ ପ୍ରମାଣ ପତ୍ର ପାଇଁ କୌଣସି ଅଫିସକୁ ଯାଉଥିଲୁ, ସେମାନେ ଆମକୁ ପଶ୍ଚିମି ପାକିସ୍ତାନୀ କହି ପ୍ରମାଣ ପତ୍ର ଦେଉନଥିଲେ । କିନ୍ତୁ ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଆମକୁ ଏକ ଆଶାର କିରଣ ଦେଖାଦେଇଛି । ମୋଦିଙ୍କ ଏହି ନିଷ୍ପତ୍ତିରେ ଆମେ ବହୁତ୍ ଖୁସି ଅଛୁ ବୋଲି ସେ କହିଛନ୍ତି।