ହାଇଦ୍ରବାଦ: ମହାମାରୀ କୋରୋନା ବିରୋଧରେ ଯୁଦ୍ଧ ଲଢୁଛି ଭାରତ । ସମସ୍ତଙ୍କୁ ଏକଜୁଟ ହୋଇ ମହାମାରୀ ବିରୋଧରେ ଏହି ଲଢେଇକୁ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି ସରକାର । ଲକଡାଉନ ଯୋଗୁଁ ଦେଶକୁ ବ୍ୟାପକ କ୍ଷତି ସହିବାକୁ ପଡୁଛି । ଫଳରେ ଏହି ଦୀର୍ଘକାଳୀନ ଯୁଦ୍ଧ ଲଢଇବା ପାଇଁ ସରକାରଙ୍କ ପାଣ୍ଠିକୁ ଆବଶ୍ୟକ ରହିଛି ପ୍ରଚୁର ଅର୍ଥ । ଏଥିପାଇଁ ସରକାର ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି । ହେଲେ କୋରୋନା ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିରୋଧି କଂଗ୍ରେସ । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ରୋକ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଦଳର ବରିଷ୍ଠ ନେତା । ତେବେ ଏପରି ଘଡିସନ୍ଧି ମୁହୂର୍ତ୍ତରେ କେଉଁଠି ନା କେଉଁଠି ବିରୋଧୀଙ୍କ ରାଜନୀତି ଓ ପ୍ରତ୍ୟାରୋପ ଦେଖିବାକୁ ମିଳୁଛି ।
କୋରୋନା ସଂକ୍ରମଣ ମଧ୍ୟରେ ମୋଦି ସରକାର ରିଲିଫ୍ ଯୋଗାଇବା ପରିବର୍ତ୍ତେ 1.1କୋଟି କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ଉପରେ ବୋଝ ଲଦି ଦେଇଥିବା କଥା କହିଛନ୍ତି କଂଗ୍ରେସ ନେତା | କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପ ପରି ଅପଚୟ ଖର୍ଚ୍ଚ କାଟିବା ପରିବର୍ତ୍ତେ ସରକାରୀ କର୍ମଚାରୀଙ୍କ ମହଙ୍ଗାଭତ୍ତା ଉପରେ ରୋକ୍ ଲଗାଇବା ଅମାନବୀୟ ବୋଲି କହିଛନ୍ତି ଏହି ନେତାମାନେ । ତେବେ ସରକାରୀ କର୍ମଚାରୀଙ୍କ ଡିଏ ଉପରେ କେନ୍ଦ୍ର ସରକାରଙ୍କ ରୋକ ଲଗାଇବାକୁ ଭାରତୀୟ ଜାତୀୟ କଂଗ୍ରେସର ଟ୍ବିଟର ହ୍ୟାଣ୍ଡେଲ୍ରେ ଏକ ଭିଡିଓ ଜାରି କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲଗାନ୍ଧୀ ଓ କଂଗ୍ରେସର ଅନ୍ୟ ବରିଷ୍ଠ ନେତା ସମାଲୋଚନା କରିଛନ୍ତି ।
ରାହୁଲ ଗାନ୍ଧୀଙ୍କ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ମନମୋହନ ସିଂ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ସରକାରୀ କର୍ମଚାରୀଙ୍କୁ ଆର୍ଥିକ ଅସୁବିଧାରେ ପକାଇବା ଅନାବଶ୍ୟକ। ଏହାପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ଅମାନବୀୟ ଏବଂ ସମ୍ବେଦନଶୀଳ ବୋଲି କହିଥିଲେ।
କେନ୍ଦ୍ର ସରକାର ଗୁରୁବାର ଦିନ 50 ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ 61 ଲକ୍ଷ ପେନସନ ହିତାଧିକାରୀଙ୍କୁ ଦିଆଯିବାକୁ ଥିବା ମହଙ୍ଗାଭତ୍ତା ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। କୋରୋନା ସଙ୍କଟ ମଧ୍ୟରେ ଦେଶ ଉପରେ ଆର୍ଥିକ ବୋଝ ଯୋଗୁଁ ଏପରି ନିଷ୍ପତ୍ତି ନିଆଯାଇଥିବା କହିଥିଲେ ସରକାର । କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ ହୀତାଧିକାରୀଙ୍କ ଏହି ଡିଏ ଉପରେ ଲାଗିଥିବା ରୋକ ଆସନ୍ତା ଜୁଲାଇ 2021 ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ନିଷ୍ପତ୍ତି ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷରେ ପ୍ରାୟ 1.25 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିବ ।
କର୍ମଚାରୀମାନେ 17 ପ୍ରତିଶତ ପରିବର୍ତ୍ତେ 21 ପ୍ରତିଶତ DA ପାଇବେ ବୋଲି କୁହାଯାଇଥିଲା, କିନ୍ତୁ ବର୍ତ୍ତମାନ ସରକାର ଏହି ମହାଙ୍ଗାଭତ୍ତା ବୃଦ୍ଧି ଉପରେ ରୋକ ଲଗାଇ ଦେଇଛନ୍ତି । ଏହି କାରଣରୁ, ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ପ୍ରାୟ 18 ମାସ ପାଇଁ ମାତ୍ର 17 ପ୍ରତିଶତ ହାରରେ ମହଙ୍ଗାଭତ୍ତା ପାଇବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ