ନୂଆଦିଲ୍ଲୀ: ୱିଚାଟକୁ ନେଇ ଚୀନର ଆମେରିକାକୁ ଖୋଲା ଧମକ । ଭାରତ ପକ୍ଷରୁ ଲଗାତାର ଚୀନ ଉପରେ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ଆମେରିକା ମଧ୍ୟ ଏଥିରେ ସାମିଲ ହୋଇଛି। ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଅଭିଯୋଗରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକ୍-ଟକ୍ ଏବଂ ୱିଚାଟ୍ ଆପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଧମକ ଦେଇଛି। ଆମେରିକା ଏହାକୁ ଖୁବ୍ ଶୀଘ୍ର ବନ୍ଦ କରିପାରେ ବୋଲି ସମ୍ଭାବନା ରହିଛି । ତେବେ ଏ ମଧ୍ୟରେ ଚୀନ୍ ମଧ୍ୟ ଆମେରିକାକୁ ଖୋଲା ଧମକ ଦେଇଛି। ଯଦି ଆମେରିକା ‘ୱିଚାଟ୍’ ଉପରେ ପ୍ରତିବନ୍ଧକ ଲଗାଏ, ତେବେ ଚୀନବାସୀ ମଧ୍ୟ ଆପଲ୍ କମ୍ପାନୀକୁ ବହିଷ୍କାର କରିବେ ବୋଲି ଚୀନ୍ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜାଓ ଲିଜିଆନ୍ ଶୁକ୍ରବାର ଦିନ ଚେତାବନୀ ଦେଇଛନ୍ତି ।
ଜାଓ କହିଛନ୍ତି ଯେ, ଆମେରିକା ଯଦି ୱିଚାଟ ଉପରେ ପ୍ରତିବନ୍ଧକ ଲଗାଏ, ତେବେ ଚୀନବାସୀ ଆଇଫୋନ୍ ବ୍ୟବହାର ମଧ୍ୟ ବନ୍ଦ କରିଦେବେ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ୍ବିଚାଟ୍ ଏବଂ ଭିଡିଓ ଆପ୍ ଟିକ୍-ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାର ଧମକ ଦେଇ ଆପକୁ ବିକ୍ରି କରିବା ପାଇଁ କହିଛନ୍ତି। ଯଦି ଆପ ବିକ୍ରି ନହୁଏ, ତେବେ ସେପ୍ଟେମ୍ବର ମାସରେ ଏହି ଦୁଇଟି ଆପ୍ ଆମେରିକାରେ ନିଷେଧ ହୋଇପାରେ ।
ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, ଏଭଳି ଆପ୍ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଟ୍ରମ୍ପଙ୍କ ଘୋଷଣା ପରେ ଆମେରିକା ଏବଂ ଚୀନ ମଧ୍ୟରେ ଏହି ଆଲୋଚନା ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଚୀନ୍ ଆଇଫୋନ୍ ବା ଆପଲ ଉପରେ ଆମେରିକାକୁ ଚେତାବନୀ ଦେଇ ଏହି ମାମଲାକୁ ଅଧିକ ଗୁରୁତର କରି ଦେଇଛି ।