ନୂଆଦିଲ୍ଲୀ: ଦେଶର କୋରୋନା ରୋଗୀଙ୍କ ମଧ୍ୟରୁ ମାତ୍ର 20 ପ୍ରତିଶତ ଆଇସିୟୁ ଆବଶ୍ୟକ କରନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଯୁଗ୍ମ ସଚିବ କହିଛନ୍ତି, ‘ଗତ ମାର୍ଚ୍ଚ 29ରେ, ଭାରତରେ 979 ପଜିଟିଭ ମାମଲା ରହିଥିଲା, ଏହା ବର୍ତ୍ତମାନ 8356ରେ ପହଞ୍ଚିଛି । ଏଥିମଧ୍ୟରୁ 20% ମାମଲା ଗୁଡ଼ିକରେ ICU ଆବଶ୍ୟକ। ତେଣୁ ଆଜି ମଧ୍ୟ 1671 ରୋଗୀ ଅମ୍ଳଜାନ ସହାୟତା ଏବଂ ଜରୁରୀ ଚିକିତ୍ସା ଆବଶ୍ୟକ କରନ୍ତି । ସରକାର ଏହାକୁ ସମ୍ମୁଖୀନ ହେବା ପାଇଁ ଅଧିକ ପ୍ରସ୍ତୁତ ହେଉଛନ୍ତି । ’
ସେ ଆହୁରି ମଧ୍ୟ କହିଛନ୍ତି, ‘କୋରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ହେତୁ ଆମେ ଦେଶରେ ଅଧିକ ସ୍ବତନ୍ତ୍ର କୋରୋନା ଡାକ୍ତରଖାନା ଓ ଦେଶରେ କ୍ବାରେଣ୍ଟାଇନ କେନ୍ଦ୍ରର ସଂଖ୍ୟା ବୃଦ୍ଧି କରୁଛୁ ।’
ସେହିପରି ମେଡିକାଲ କର୍ମଚାରୀଙ୍କୁ ଭେଣ୍ଟିଲେଟର ପରିଚାଳନା, ବର୍ଜ୍ୟବସ୍ତୁ, ପରିଷ୍କାର ପରିଚ୍ଛନ୍ନତା ଓ ସଂକ୍ରମଣ ବିସ୍ତାର ରୋକିବା ଇତ୍ୟାଦି ଉପରେ ଉପଯୁକ୍ତ ତାଲିମ ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।
ଗତ କିଛି ଦିନ ମଧ୍ୟରେ ଚାଇନା, ଜାପାନ ଏବଂ କୋରିଆରେ କୋରୋନା ଭୂତାଣୁର ପୁନଃ ସଂକ୍ରମଣ ସଂପର୍କରେ ମତ ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଯୁଗ୍ମ ସଚିବ କହିଛନ୍ତି , ‘ଏହା ମଧ୍ୟ ଆମ ପାଇଁ ଚିନ୍ତାର କାରଣ, ତେଣୁ ଆମକୁ ସାମାଜିକ ଦୂରତା ଅନୁସରଣ ନିଶ୍ଚିତ କରିବାକୁ ପଡିବ ଓ କଣ୍ଟେନମେଣ୍ଟ ମଧ୍ୟ ବଜାୟ ରଖିବାକୁ ପଡିବ । ’
@ANI