ଭୋପାଲ: ଦିନକୁ ଦିନ ସକ୍ରିୟ ହେଉଛନ୍ତି ସାଇବର ଠକ । ନୂଆ ନୂଆ ବୁଦ୍ଧି ଆପଣାଇ ଲୋକଙ୍କୁ ଠକିବାରେ ଓସ୍ତାଦ ପାଲଟୁଛନ୍ତି ଏମାନେ । ଆଉ ଏହାର ଶିକାର ହେଉଛନ୍ତି ସାଧାରଣ ଲୋକେ । ଆଖିପିଛୁଳାକେ ଆକାଉଣ୍ଟରୁ ଗୋଲ ହୋଇଯାଉଛି ଟଙ୍କା । ଏହି ପରିପ୍ରେକ୍ଷୀରେ ସାଇବର ଠକାମୀର ଶିକାର ହୋଇଛନ୍ତି ଜଣେ ଯୁବକ । ଗୋଟିଏ ପିଜା ବଦଳରେ ତାଙ୍କୁ ଗଣିବାକୁ ପଡିଛି 27 ହଜାର ଟଙ୍କା ।
ମଧ୍ୟପ୍ରଦେଶ ଗ୍ବାଲିୟର ଡିଡି ନଗରର ବ୍ରଜରାଜ ଶର୍ମା ନାମକ ଜଣେ ଯୁବକ ଅନଲାଇନରେ ପିଜା ଅର୍ଡର କରିଥିଲେ । ଏଥିସହ ବ୍ରଜରାଜ ମଧ୍ୟ ଅନଲାଇନ ପେମେଣ୍ଟ କରିଥିଲେ । ଏହାର କିଛି ସମୟ ପରେ ହଠାତ୍ ତାଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । କଲ କରିଥିବା ବ୍ୟକ୍ତି ଜଣକ ନିଜକୁ ପିଜା ଅର୍ଡର କମ୍ପାନୀର କର୍ମଚାରୀ ଦର୍ଶାଇ ବ୍ରଜରାଜଙ୍କ ଅର୍ଡର କ୍ୟାନ୍ସଲ ହୋଇଯାଇଛି ଆଉଥରେ ଅର୍ଡର କରନ୍ତୁ ବୋଲି କହିଥିଲେ ।
ମାତ୍ର ବ୍ରଜରାଜ ତାଙ୍କୁ ପେମେଣ୍ଟ ହୋଇସାରିଛି ବୋଲି କହିବାରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ସମ୍ପୂର୍ଣ୍ଣ ହୋଇପାରିନାହିଁ, ଆମେ ଏକ ଲିଙ୍କ ପଠାଉଛୁ ଆପଣ ସେ ଲିଙ୍କକୁ ଓପନ କରନ୍ତୁ, ସେହି ଲିଙ୍କ ମାଧ୍ୟମରେ ଆପଣ ଆପଣଙ୍କ ପଇସା ଫେରି ପାଇବେ ବୋଲି ସେ କହିଥିଲେ । ଏହାପରେ ବ୍ରଜରାଜ ଲିଙ୍କ ଓପନ କରିବାରୁ ତାଙ୍କ ମୋବାଇଲରେ ଅଟୋମେଟିକ୍ ଏକ ଆପ୍ ଇନଷ୍ଟଲ ହୋଇଯାଇଥିଲା ଏବଂ ମୋବାଇଲ୍ ଆପ୍ ଅପଡେଟ୍ ହେବା ସହ ବ୍ରଜରାଜଙ୍କ ଆକାଉଣ୍ଟରୁ 27 ହଜାର ଟଙ୍କା କଟି ଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ