ନୂଆଦିଲ୍ଲୀ: ପିଆଜ ଦର ଦାମ ଆକାଶ ଛୁଆଁ । ହୁ ହୁ ହୋଇ ଦିନକୁ ଦିନ ବଜାରେ ବଢି ଚାଲିଛି ପିଆଜ ଭାଉ । ସାମାନ୍ୟ ଖାଉଟି ପିଆଜ କିଣିବାକୁ ଡରିଲେଣି । ପିଆଜ ମୂଲ୍ୟ ଶତକ ପାର ହୋଇ ଏବେ 150 ଆଡକୁ ମାଡିଲାଣି । ସାଧାରଣ ଲୋକେ ପିଆଜ ଦର ବୃଦ୍ଧି ନେଇ ହତାଶା ଓ ଚିନ୍ତା ରହିଛନ୍ତି । ମାତ୍ର ବଜାଦରକୁ ନିୟନ୍ତ୍ରଣ କରିବାରେ ବିଫଳ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଅଚିନ୍ତାରେ । ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣଙ୍କ ଅଜବ ବୟାନ ପରେ ଏବେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବୀନ ଚୌବେଙ୍କ ଅଜବ ମନ୍ତବ୍ୟ ପିଆଜ ଦର ବୃଦ୍ଧିକୁ ନେଇ ଆସିଛି । ସେ କହିଛନ୍ତି ମୁଁ ପିଆଜ ଆଜି ଯାଏଁ ଚାଖି ନାହିଁ, ତେଣୁ ପିଆଜ ଦର କଥା କେମିତି ବା ଜାଣିବି ?
କେନ୍ଦ୍ର ମନ୍ତ୍ରୀ ଅଶ୍ବୀନ ଚୌବେ କହିଛନ୍ତି ଯେ, ମୁଁ ଶୁଦ୍ଧ ଶାକାହାରୀ, କେବେ ହେଲେ ପିଆଜ ଚାଖିନାହିଁ । ତେଣୁ ମୋ ଭଳି ଲୋକଙ୍କୁ ପିଆଜ ମୂଲ୍ୟ କେମିତି ଅବା ଜଣାପଡିବ ?
ପିଆଜର ଅହେତୁକ ଭାବରେ ବର୍ଦ୍ଧିତ ଦରକୁ ନେଇ ସଂସଦ ହୁଲସ୍ତୁଲ ହୋଉଛି । ଲୋକସଭାରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ କହିଥିଲେ ଯେ, ‘‘ ମୁଁ ଏତେ ରସୁଣ , ପିଆଜ ଖାଏନାହିଁ , ଏଣୁ ଚିନ୍ତା କରନ୍ତୁ ନାହିଁ । ମୁଁ ଏପରି ପରିବାରରୁ ଆସିଛି ଯେଉଁଠି ପିଆଜ ଓ ରସୁଣର ଅର୍ଥ କିଛି ନାହିଁ ’’ । ଏହାକୁ ନେଇ ବିରୋଧୀ ଅର୍ଥ ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଘେରିଛନ୍ତି ।