ହାଇଦ୍ରାବାଦ: ମୋ ପିଲା, ମୋ ପରିବାର ଭିତରେ ଆଜି ସୀମିତ ଆମ ଚିନ୍ତା, ଚେତନା ଆଉ ଆମ ଜୀବନ । କିନ୍ତୁ ସେ ଦିନର ସେ ଲୋକଟିର କଣ ପରିବାର ନଥିଲା ? କଣ ନଥିଲା ତାର ପୁଅ ଆଉ ପତ୍ନୀ ? ରୋଗାଗ୍ରସ୍ତ ପୁଅକୁ ଘରେ ଛାଡ଼ି ଯେତେବେଲେ ଅନାହାର, ଦୁର୍ଭିକ୍ଷ ଓ ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଘରୁ ଗୋଡ଼ କାଢିଥିଲେ । ସେତେବେଳେ ପତ୍ନୀ ପଣତ କାନି କାଢି ନିଜ ପୁଅର ଜୀବନ ଭିକ୍ଷା କରିଥିଲା । କିନ୍ତୁ ସେହି ସମୟରେ ସେ ଲୋକଟିର ବାକ୍ୟ ଥିଲା ‘ ଗୋଟିଏ ସନ୍ତାନକୁ ବଞ୍ଚାଇବାକୁ ଚାହିଁ ମୁଁ କୋଟିଏ ସନ୍ତାନଙ୍କର ଜୀବନ ସାରିବାକୁ ଚାହେଁ ନାହିଁ ।’ ସେଥିପାଇଁ ତ ସେ କୋଟି କୋଟି ହୃଦୟର ସ୍ପନ୍ଦନ । ଅଗଣିତ ଉତ୍କଳବାସୀଙ୍କ ମସ୍ତକର ମଣି । ଦୀନ, ହିନ ଦରିଦ୍ରର ଆଜୀବନ ବନ୍ଧୁ ‘ଗୋପବନ୍ଧୁ’ ।
1877 ମସିହା ଅକ୍ଟୋବର 9 ତାରିଖ । ପୁରୀ ଜିଲ୍ଲାର ସୁଆଣ୍ଡୋରେ ଦୈତାରୀ ଦାସ ଓ ସ୍ବର୍ଣ୍ଣମୟୀ ଦେବୀଙ୍କ ଔରସରୁ ଜନ୍ମିତ ସେ ସନ୍ତାନ ଜଣକ ଯେ କାଳଜୟୀ ସ୍ରଷ୍ଟା ହେବ, ଏ କଥା କେହି କେବେ ବିଶ୍ବାସ କରିନଥିଲେ । ସାକ୍ଷୀଗୋପାଳର ସତ୍ୟବାଦୀରେ ବକୁଳବନ ବିଦ୍ୟାଳୟ ହେଉ କିମ୍ବା ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କ ପାଇଁ ପୁରୀ ସେବା ସମିତି । ଶିକ୍ଷାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ । ସମସ୍ତେ ଯେମିତି ସମାନ ସୁବିଧା ପାଇପାରିବେ ସେଥିପାଇଁ ପ୍ରତିଷ୍ଠା କରିଯାଇଛନ୍ତି ଅନେକ କୀର୍ତ୍ତିରାଜ । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କ ଅବଦାନ ସର୍ବାଗ୍ରେ ଅତୁଳନୀୟ ।
ରାଜନୀତିରେ ରୁଚି ରଖୁଥିବା ଏହି ବ୍ୟକ୍ତି ଜଣଙ୍କ ଏକାଧାରାରେ ଓଡିଶାର ସାହିତ୍ୟ, ସାମ୍ବାଦିକତା, ଶିକ୍ଷାବ୍ୟବସ୍ଥା, ଜନ ଆନ୍ଦୋଳନ ସହିତ ସାମଗ୍ରୀକ ଭାବେ ଓଡିଆ ଜାତିର ଅବଚେତନରେ ଆପଣାର ଅନତିକ୍ରାନ୍ତ ପ୍ରଭାବ ବିସ୍ତାର କରିଥିଲେ । ଲେଖନୀ ମୁନରେ ସାମଜର ବୈପ୍ଳବିକ ପରିବର୍ତ୍ତନ ଓ ଗରିବଙ୍କ ସ୍ବରକୁ ସରକାରଙ୍କ ପାଖରେ ପହଞ୍ଚାଇବାକୁ ପ୍ରତିଷ୍ଠା କରିଥିଲେ ‘ସତ୍ୟବାଦୀ’ ଭଳି ସାପ୍ତାହିକ ସମ୍ବାଦପତ୍ର ଯାହା ଆଜି ଦୈନିକ ‘ସମାଜ’ ରୂପରେ ଅବତୀର୍ଣ୍ଣ ।
ଗୋପବନ୍ଧୁ ଉତ୍କଳର ସୁଖ-ଦୁଃଖ, ଭଲ-ମନ୍ଦ, ଆଶା- ନିରାଶା ଓ ଜଡ଼ତା- ଜାଗରଣ ମଧ୍ୟରେ ନିଜକୁ ହଜାଇ ଅବିରତ ଉଜ୍ବଳ, ସ୍ବାବଲମ୍ବୀ ଆଉ ସମୃଦ୍ଧ ଓଡ଼ିଶାର ସ୍ବପ୍ନ ଦେଖୁଥିବା ଦରଦୀ ବନ୍ଧୁ I
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ