ରାୟପୁର: ଆଧୁନିକ ଯୁଗରେ ଟେକ୍ନୋଲୋଜି ଜୀବନ ବଞ୍ଚିବାର ଶୈଳୀକୁ ସହଜ ଓ ସରଳ କରିଦେଉଛି । ବିଭିନ୍ନ କ୍ଷେତ୍ରରେ ଏହି ଟେକ୍ନୋଲଜିର ବ୍ୟବହାର ବଢିବାରେ ଲାଗିଛି । ତେବେ ଏପରି ସ୍ଥଳେ ରାୟପୁରର ଟ୍ରିପଲ ଆଇଟି ମାଇକ୍ରୋସଫ୍ଟ ରିସର୍ଚ୍ଚ ଓ ସିଜିନେଟ ସହ ମିଶି ଏକ ନୂଆ ଆପ ପ୍ରସ୍ତୁତ କରିଛନ୍ତି । ଯାହା ନିଜର ଆଞ୍ଚଳିକ ଭାଷା ମଧ୍ୟ କହିପାରିବ । ଏପରିକି ଆଞ୍ଚଳିକ ଭାଷାର ଖବର ମଧ୍ୟ ଏହା କହିପାରିବ । ଗୌଣ୍ଡ ସମାଜ ପାଇଁ ନୂଆ ଆପ ଆସିବାକୁ ଯାଉଛି । ଯାହା ବିଭିନ୍ନ ଭାଷାରେ ଖବର ଦେଖାଇବ ।
ମିଳିଥିବା ସୂଚନା ମୁତାବକ ଏନେଇ ସିଜିନେଟର ଶୁଭାଂଶୁ ଚୌଧୂରୀ କୁହନ୍ତି, ଛତିଶଗଡ଼ର ଗୌଣ୍ଡ ଏବଂ ଅନ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଶିକ୍ଷିତ ନୁହଁନ୍ତି । ଫଳରେ ସେମାନେ ଦୁନିଆର କୌଣସି ଖବର ସମ୍ପର୍କରେ ଜାଣିପାରିନଥାନ୍ତି । ଏପରିକି ସରକାରୀ ସ୍ତରରେ ଆସୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜାଣି ପାରିନଥାନ୍ତି । ତେବେ ଏହି ଆପ ଖବର ଗୁଡ଼ିକୁ ପଢି ଶୁଣାଇବ । ବିଭିନ୍ନ ଯୋଜନା ଗୁଡ଼ିକ ସମ୍ପର୍କରେ ମଧ୍ୟ ସୂଚନା ଦେବ । ଫଳରେ ସେମାନେ ଉପକୃତ ହେବେ ବୋଲି ସେ କହିଛନ୍ତି ।
ଅନୁବାଦ କରିବାରେ ସାହାଯ୍ୟ କରିବ
ଏହି ଆପ କୌଣସି ଖବରକୁ ଆଞ୍ଚଳିକ ଭାଷାରେ ମଧ୍ୟ ଅନୁବାଦ କରିବାର କ୍ଷମତା ରଖିଛି । ତେବେ ଏହି ଆପ ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ନିଶ୍ଚିତ ଭାବେ ସହାୟକ ହେବ ବୋଲି ରିସର୍ଚ୍ଚ ଟିମର ସଦସ୍ୟମାନେ କହିଛନ୍ତି ।
400 ଗପର ଅନୁବାଦ
ଏହି ଆପ ମାଧ୍ୟମରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପାଖାପାଖି 400 ଗପର ଅନୁବାଦ କରାଯାଇଛି । ଏହି ଗପ ସବୁକୁ ହିନ୍ଦୀରୁ ଗୌଣ୍ଡ ସମ୍ପ୍ରଦାୟ ଭାଷାକୁ ଅନୁବାଦ କରାଯାଇଛି । ଏହା ପରେ ବିଭିନ୍ନ ଭାଷାକୁ ଗୌଣ୍ଡ ଏବଂ ହିନ୍ଦୀକୁ ଅନୁବାଦ ପାଇଁ ପ୍ରୟାସ ଜାରି ରଖାଯାଇଥିବା ଜଣାପଡ଼ିଛି ।
ବାହାର ଦୁନିଆ ସହିତ ଯୋଡିହେବେ ଆଦିବାସୀ
ଆଦିବାସୀଙ୍କ କ୍ଷେତ୍ରରେ ଅଧିକାଂଶ ଲୋକେ କମ ଶିକ୍ଷିତ ଥାଆନ୍ତି । ଫଳରେ ବାହାର ଦୁନିଆ ସହିତ ବିଶେଷ ଭାବେ ସାମିଲ ହୋଇନଥାନ୍ତି । ମାତ୍ର ଏହି ଆପ ମାଧ୍ୟମରେ ସେମାନେ ବାହାର ଦୁନିଆ ସମ୍ପର୍କରେ ଜାଣିପାରିବେ ।
ଅନୁରାଗ ଶୁକ୍ଲାଙ୍କ ପ୍ରୟାସ
ଟ୍ରିପଲ ଆଇଟିର କମ୍ପ୍ୟୁଟର ସାଇନ୍ସର ଛାତ୍ର ଅନୁରାଗ ଶୁକ୍ଳା ଏହି ଆପକୁ ପ୍ରସ୍ତୁତ କରିଛନ୍ତି । ଏହି ଆପକୁ ପ୍ରସ୍ତୁତ କରିବା ପାଇଁ ମାଇକ୍ରୋସଫ୍ଟ ରିସର୍ଚ୍ଚରମାନେ ଅନୁରାଗଙ୍କୁ ସହାୟତା କରିଥିଲେ । ଆପ ପାଇଂ ସିଜିନେଟ ହିନ୍ଦୀରୁ ଗୌଣ୍ଡ ଭାଷାକୁ ଅନୁବାଦ କରିବାରେ ସହାୟତା କରିଥିଲେ । ଅନୁରାଗ କହିଛନ୍ତି କି ଗୌଣ୍ଡ ସମ୍ପ୍ରଦାୟ ବାହାର ଦୁନିଆ ସହିତ ସମ୍ପୃକ୍ତ ନାହାଁନ୍ତି । ସେମାନଙ୍କୁ ବାହାର ଦୁନିଆ ସମ୍ପର୍କରେ ଜଣାଇବା ପାଇଁ ଏହି ଆପକୁ ପ୍ରସ୍ତୁତ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।