ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଦେଶର ଅର୍ଥନୀତିକୁ କିପରି ପୁନଃରୁଦ୍ଧାର କରିହେବ ସେ ନେଇ ବିଶେଷଜ୍ଞଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହି କ୍ରମରେ ଶୁକ୍ରବାର ସେ ବାଂଲାଦେଶର ଲୋକପ୍ରିୟ ଅର୍ଥନୀତିଜ୍ଞ ତଥା ବାଂଲାଦେଶ ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା ମହମ୍ମଦ ୟୁନୁସଙ୍କ ସହ ଆଲୋଚନା କରିଛନ୍ତି । କୋରୋନା ସଙ୍କଟ ଯୋଗୁଁ ଅର୍ଥନୀତି, ବ୍ୟାଙ୍କିଙ୍ଗ କ୍ଷେତ୍ର ଏବଂ ସାଧାରଣ ଲୋକଙ୍କ ଜୀବନର ପ୍ରଭାବ ଉପରେ ଆଲୋଚନା କରିଥିଲେ ରାହୁଲ ଗାନ୍ଧୀ ।
ଏହି ସମୟରେ ଉଭୟ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଗଠିତ ଅଣଔପଚାରିକ କ୍ଷେତ୍ରକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ସହମତି ପ୍ରକାଶ କରିଥିଲେ। ଏନେଇ ରାହୁଲ ଗାନ୍ଧୀ କହିଥିଲେ, ପ୍ରବାସୀ ଶ୍ରମିକମାନେ ଆମ ସହରର ଗଠନ କରନ୍ତି। ସେମାନେ ଆମ ଭିତ୍ତିଭୂମି ଯାହା ଉପରେ ଆମର ଅର୍ଥନୀତି ନିର୍ଭରଶୀଳ । ଆମେ ସେମାନଙ୍କୁ ଉନ୍ନତ ଜୀବନ ଦେବା ପାଇଁ ଯଥେଷ୍ଟ କାର୍ଯ୍ୟ କରୁନାହୁଁ । ଅଣଔପଚାରିକ କ୍ଷେତ୍ରକୁ ଅଣଦେଖା କରିହେବ ନାହିଁ ବୋଲି ରାହୁଲ ଗାନ୍ଧୀ କହିଥିଲେ ।
ସେପଟେ କଂଗ୍ରେସ ନେତାଙ୍କ ସହ କଥାବାର୍ତ୍ତାରେ ପ୍ରଫେସର ୟୁନୁସ କହିଛନ୍ତି, ଆର୍ଥିକ ବ୍ୟବସ୍ଥା ଏକ ଭୁଲ ରୂପରେ ପରିକଳ୍ପନା କରାଯାଇଛି। କୋରୋନା ଭାଇରସ ସମାଜର କୁସଂସ୍କାର ଉପରୁ ପରଦା ଉଠାଇଛି । ଗରିବ, ପ୍ରବାସୀ ଶ୍ରମିକମାନେ ଆମ ମଧ୍ୟରେ ଅଛନ୍ତି । କିନ୍ତୁ କୋରୋନା ସଙ୍କଟ ସେମାନଙ୍କୁ ସାମ୍ନାକୁ ଆଣିଛି । ସେମାନଙ୍କୁ ଅଣଔପଚାରିକ କ୍ଷେତ୍ରର ଅଂଶ ଭାବରେ ବିବେଚନା କରାଯାଏ । ଯାହା ଅର୍ଥନୀତିର ଅଂଶ ନୁହେଁ । ଯଦି ଆମେ ସେମାନଙ୍କୁ ସାହାଯ୍ୟ କରୁ, ସମଗ୍ର ଅର୍ଥନୀତିକୁ ଆଗକୁ ନିଆଯାଇପାରିବ । କିନ୍ତୁ ଆମେ ଏହା କରୁନାହୁଁ ବୋଲି ସେ କହିଛନ୍ତି ।
ପ୍ରଫେସର ୟୁନୁସ କହିଛନ୍ତି ଯେ, ଭାରତ ଏବଂ ବାଂଲାଦେଶର ଆର୍ଥିକ ବ୍ୟବସ୍ଥା ପାଶ୍ଚାତ୍ୟ ରୂପରେ କାର୍ଯ୍ୟ କରିଆସୁଛି ଏବଂ ଅଣଔପଚାରିକ କ୍ଷେତ୍ରକୁ ଅଣଦେଖା କରିଛି। ଆମେ ଅର୍ଥନୈତିକ ବ୍ୟବସ୍ଥାରେ କାର୍ଯ୍ୟ କରିବା ପାଇଁ ପାଶ୍ଚାତ୍ୟ ମାର୍ଗ ଅନୁସରଣ କରିଥିଲୁ। ତେଣୁ ଆମେ ଭାରତ, ବାଂଲାଦେଶ ପରି ଦେଶଗୁଡିକର କ୍ଷମତା ବିଷୟରେ ଚିନ୍ତା କରିନାହୁଁ। କାର୍ଯ୍ୟ କରିବା ପାଇଁ ଶ୍ରମିକଙ୍କର ଅହେତୁକ ଦୃଢତା ରହିଛି ଏବଂ ସେହି ସୃଜନଶୀଳତାକୁ ପ୍ରଶଂସା ଏବଂ ସମର୍ଥନ କରିବାକୁ ପଡିବ। କିନ୍ତୁ ସରକାର ଏଦିଗରେ ଧ୍ୟାନ ନଦେଲେ ଏହା ଅସମ୍ଭବ ବୋଲି ସେ କହିଛନ୍ତି।
ପ୍ରଫେସର ୟୁନୁସ ଆହୁରି କହିଛନ୍ତି ଯେ, ଗ୍ରାମୀଣ ଅଞ୍ଚଳର ଅର୍ଥନୀତିକୁ ଆମେ କାହିଁକି ସମାନ୍ତରାଳ ଅର୍ଥନୀତି, ସ୍ବୟଂଶାସିତ ଅର୍ଥନୀତି ଭାବରେ ନିର୍ମାଣ କରିପାରିବା ନାହିଁ। ଆଜି ପରି ପରିଶିଷ୍ଟ ହେବା ପରିବର୍ତ୍ତେ ଟେକ୍ନୋଲୋଜି ଆମକୁ ଏପରି ସୁବିଧା ଦେଇଛି ଯାହା ପୂର୍ବରୁ କେବେ ହୋଇ ନଥିଲା । ଆମକୁ ଏହାର ଖୁବ ଫାଇଦା ଉଠାଇବା ଉଚିତ ବୋଲି ସେ କହିଛନ୍ତି ।
ମହମ୍ମଦ ୟୁନୁସ ବାଂଲାଦେଶର ଗରିବଙ୍କ ସୁବିଧାକାରୀ ଭାବରେ ବିବେଚନା କରାଯାଏ। ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ସେ ବାଙ୍ଗଲାଦେଶର ଗ୍ରାମୀଣ ବ୍ୟାଙ୍କକୁ ନେଇ ଅର୍ଥନୈତିକ କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟି କରିଥିଲେ, ଯାହା ମାଧ୍ୟମରେ ଗରିବ ଲୋକଙ୍କୁ ବିନା ବନ୍ଧକରେ ଋଣ ଦେବା କାର୍ଯ୍ୟ ଆରମ୍ଭ ହୋଇଥିଲା।