କୋଭିଡ୍ 19 ପ୍ରତିଷେଧକ ଟିକାର ସନ୍ଧାନ ଲାଗି ସାରା ବିଶ୍ବର ସଂଘର୍ଷ ସହିତ ଦ୍ବିତୀୟ ପର୍ଯ୍ୟାୟ ଭୂତାଣୁ ସଂକ୍ରମଣ ଲାଗି କେତେକ ଦେଶ ପ୍ରସ୍ତୁତ ହେଉଥିବା ସମୟରେ, ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରରେ ବିପର୍ଯ୍ୟସ୍ତ ସ୍ଥିତି ଆଗକୁ ମଧ୍ୟ ଅବ୍ୟାହତ ରହିବ ଏବଂ ଅନ୍ତର୍ଜାତୀୟ ଯାତ୍ରା ଖର୍ଚ୍ଚ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଅନୁଭବ କରୁଛନ୍ତି । ହେଲେ, କେତେକ ଦେଶରେ ଘରୋଇ ପର୍ଯ୍ୟଟନ ଆରମ୍ଭ ହେଲାଣି ଏବଂ ମାଳଦ୍ବୀପ ଭଳି ଅନେକ ଦେଶରେ ଏ ମାସରେ ଅନ୍ତର୍ଜାତୀୟ ପର୍ଯ୍ୟଟକମାନଙ୍କୁ ସ୍ବାଗତ କରାଯାଉଛି ।
ଏହି କ୍ଷୁଦ୍ର ଦ୍ବୀପ ରାଷ୍ଟ୍ରର 80 ପ୍ରତିଶତ ଅର୍ଥନୀତି ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ ଭାବରେ ପର୍ଯ୍ୟଟନ ଉପରେ ନିର୍ଭର କରେ ଏବଂ ତେଣୁ ଏହା ଏବେ ବିଦେଶୀ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଓ ପରିମଳ ବ୍ୟବସ୍ଥାର ପ୍ରତିଶ୍ରୁତି ଦେଇ ଆମନ୍ତ୍ରଣ କରିବାରେ ଲାଗିଛି । କିନ୍ତୁ ଭାରତ ସହିତ ସୀମା ବନ୍ଦ ରହିଥିବା କାରଣରୁ ସଂଖ୍ୟାଧିକ ଭାରତୀୟ ପର୍ଯ୍ୟଟକ ଏଠାକୁ ଆସିନାହାନ୍ତି । ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହିତ ଏକ ଏକ୍ସକ୍ଲୁସିଭ୍ ବାର୍ତ୍ତାଳାପରେ ରାଜଧାନୀ ମାଲେରୁ ଭାରତୀୟ ହାଇ କମିଶନର ସଞ୍ଜୟ ସୁଧୀର କହିଛନ୍ତି ଯେ, ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ସ୍ଥିତିରେ ଥିବା ମାଳଦ୍ବୀପର ଅନ୍ତର୍ଜାତୀୟ ପର୍ଯ୍ୟଟନ ଶିଳ୍ପକୁ ପୁଣି ଆରମ୍ଭ କରିବା ଦିଗରେ ଏ ଦେଶର ଭୌଗୋଳିକ ସ୍ଥିତି ଖୁବ୍ ଗୁରୁତ୍ବପୂର୍ଣ୍ଣ ।
ସଞ୍ଜୟ ସୁଧୀର କହିଲେ, “ପୃଥିବୀର ଏହି ଭାଗରେ ମାଳଦ୍ବୀପ ହେଉଛି ପ୍ରଥମ ଦେଶ, ଯେଉଁଠି ପର୍ଯ୍ୟଟନ ଆରମ୍ଭ ହୋଇଛି ଏବଂ ଜୁଲାଇ 15ରୁ ପର୍ଯ୍ୟଟକମାନେ ଏଠାକୁ ଆସିବା ଆରମ୍ଭ କରିଦେଇଛନ୍ତି । ଏଠାରେ ରହିଥିବା 200ଟି ରିସୋର୍ଟ ମଧ୍ୟରୁ ପ୍ରାୟ 57ରୁ 60ଟି କାମ ଆରମ୍ଭ କରିଛି । ଯେହେତୁ ଏଠାକାର ଦ୍ବୀପଗୁଡ଼ିକ ବିକ୍ଷିପ୍ତ ଭାବରେ ଅବସ୍ଥିତ, ତେଣୁ ଏହା ଉପରେ ନିୟନ୍ତ୍ରଣ ରଖିବା ହିଁ ଭଲ ହେବ । ସେଇ ଏକା ସମୟରେ ଦେଖିବାକୁ ଗଲେ, ରାଜଧାନୀ ମାଲେ ଏକ ଜନଗହଳିପୂର୍ଣ୍ଣ ନଗରୀ । ଏଠି ଥରେ କୋଭିଡ୍ ସଂକ୍ରମଣ ହେଲେ ଏହାକୁ ନିୟନ୍ତ୍ରଣ କରିବା ଖୁବ୍ କଷ୍ଟକର ହୋଇପଡ଼ିବ । କିନ୍ତୁ, ସେମାନେ ବିମାନ ବନ୍ଦରରେ ଅବତରଣ କରୁଥିବା ଯାତ୍ରୀମାନଙ୍କ ପାଇଁ ଏକପ୍ରକାର ସୁରକ୍ଷିତ ଯାତ୍ରାପଥ ପ୍ରସ୍ତୁତ କରିଛନ୍ତି । ସେମାନେ ସିଧାସଳଖ ବିଭିନ୍ନ ଦ୍ବୀପକୁ ଯାଆନ୍ତି, ସେଠାରେ ଛୁଟି କାଟନ୍ତି, ପୁଣି ସେମାନେ ବିମାନ ବନ୍ଦରକୁ ଆସି ଫେରିଯାଆନ୍ତି ।”
ମାତ୍ର 500,000 ଜନସଂଖ୍ୟା ବିଶିଷ୍ଟ ମାଳଦ୍ବୀପ ଗତ ବର୍ଷ 17 ଲକ୍ଷ ପର୍ଯ୍ୟଟକଙ୍କୁ ସ୍ବାଗତ କରିଥିଲା । ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ବିତୀୟ ସର୍ବାଧିକ । ଆସନ୍ତା ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ଭାରତର ପର୍ଯ୍ୟଟକଙ୍କୁ ନେଇ ମୁମ୍ବାଇ ଓ କୋଚିନରୁ ବାଣିଜ୍ୟିକ ବିମାନ ଚଳାଚଳ କରିବ ବୋଲି ସଂପ୍ରତି ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ଲାଗି ସଂଘର୍ଷରତ ମାଳଦ୍ବୀପ ଆଶାବାଦୀ । ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ସକାଶେ ଏକ ସମ୍ଭାବ୍ୟ ‘ଆକାଶ ପଥ ବୁଝାମଣା’ ସଂପର୍କରେ ଆଲୋଚନା ଜାରି ରହିଛି ବୋଲି ସଞ୍ଜୟ ସୁଧୀର ନିଶ୍ଚିତ ସୂଚନା ଦେଇଛନ୍ତି । ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି, “ଆମେ 5 ନମ୍ବର ସ୍ଥାନରେ ଥିଲୁ, ପରେ ଆମ ପର୍ଯ୍ୟଟକଙ୍କ ସଂଖ୍ୟା ଦୁଇଗୁଣ ହେଲା ଏବଂ ଏବେ ଆମେ ଦୁଇ ନମ୍ବର ସ୍ଥାନରେ ରହିଛୁ । କିନ୍ତୁ ସଂଯୋଗ ସ୍ଥାପନ ବ୍ୟବସ୍ଥାର ଅଭାବ ଏବଂ ଆମ ନିଜ ଦେଶରେ କୋଭିଡ୍ ପରିସ୍ଥିତି ଯୋଗୁଁ ଏଠାକୁ ଆଗମନକାରୀ ଆମ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି । ଏବେ ଦୁଇ ଦେଶର ଆକାଶ ପଥରେ ଯାତାୟାତ ଜାରି ରଖିବା ଲାଗି ଏକ ପ୍ରକାରର ଆକାଶ ପଥ ବୁଝାମଣା ସୃଷ୍ଟି କରିବାକୁ ଆମେ ଚେଷ୍ଟା କରୁଛୁ । ଏଥିପାଇଁ ଆମେ ବିମାନ ଚଳାଚଳ ମନ୍ତ୍ରାଳୟ ଏବଂ ଏୟାର ଇଣ୍ଡିଆ ସହିତ ସଂପର୍କ ରଖିଛୁ ଏବଂ ଯଦି ସବୁ କିଛି ଠିକ୍ ବାଟରେ ଯାଏ, ତେବେ ଆମେ ଭାରତ ଓ ମାଳଦ୍ବୀପ ମଧ୍ୟରେ ଅତି କମ୍ରେ ସୀମିତ ସଂଖ୍ୟକ ବିମାନ ଚଳାଚଳ କରାଇପାରିବୁ ।”
ସେ ଆହୁରି କହିଛନ୍ତି ଯେ, “ଆରମ୍ଭରୁ ଆମର ଉପଲବ୍ଧି ଦୃଷ୍ଟିରୁ ଦୁଇ ଦେଶ ପାଇଁ ଏହା ଖୁବ୍ ଗୁରୁତ୍ବପୂର୍ଣ୍ଣ । ଏବଂ ଦ୍ବୀପପୁଞ୍ଜକୁ ନେଇ ଗଠିତ ଏହି ଦେଶର ଭୌଗୋଳିକ ସ୍ଥିତି କାରଣରୁ ଏହା ଖୁବ୍ ନିରାପଦ ସ୍ଥାନ । ଯେଉଁଠି ଭୂତାଣୁ ସଂକ୍ରମଣ ହୋଇଛି ସେ ସବୁ ସଂକ୍ରମିତ ଅଞ୍ଚଳ ହୋଇ ରହିଛି । କିନ୍ତୁ ତାହା ବ୍ୟତୀତ ମୋଟାମୋଟି ଭାବେ ଏ ଦେଶ ଖୁବ ସୁରକ୍ଷିତ ।”
ସେ ଯାହାହେଲେ ବି ଅନ୍ତର୍ଜାତୀୟ ଆତିଥେୟତା ଏବଂ ବିମାନ ଚଳାଚଳ କ୍ଷେତ୍ରରେ ସୃଷ୍ଟି ହୋଇଥିବା ବିଭିନ୍ନ ସଂକଟପୂର୍ଣ୍ଣ ସ୍ଥିତିକୁ ବିଚାର କଲେ ଅନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ ଲୋକଙ୍କ ଆତ୍ମବିଶ୍ବାସ ହାସଲ କରିବା ଅନ୍ୟତମ ଆହ୍ବାନ ରୂପେ ଉଭା ହୋଇଛି । ବର୍ତ୍ତମାନ ସମୟରେ ଥାଇଲାଣ୍ଡ ଏବଂ ବିଭିନ୍ନ ୟୁରୋପୀୟ ଦେଶ ଭଳି ଲୋକପ୍ରିୟ ପର୍ଯ୍ୟଟନ କ୍ଷେତ୍ର ପାଇଁ ଘରୋଇ ପର୍ଯ୍ୟଟନ ହିଁ ରାଜସ୍ବର ଏକମାତ୍ର ଉତ୍ସ ହୋଇ ରହିଛି ।
ସ୍ମିତା ଶର୍ମାଙ୍କ ସହିତ ବାର୍ତ୍ତାଳାପ କରି ଦିଲ୍ଲୀସ୍ଥିତ ଜର୍ମାନୀ ଦୂତାବାସର ମୁଖପାତ୍ର ହାନ୍ସ ଖ୍ରୀଷ୍ଟିଆନ ୱିଙ୍କଲର କହିଛନ୍ତି, “ପ୍ରଥମ ଥର ପାଇଁ ଅଧିକ ଜର୍ମାନୀ ନାଗରିକ ଦେଶ ଭିତରେ ଛୁଟି କାଟିବାକୁ ଆସିଛନ୍ତି । ଛୁଟିଦିନରେ ଘରେ ରହୁ ନଥିବା ଅଧିକାଂଶ ଜର୍ମାନୀ ବାସିନ୍ଦା ଇଟାଲୀ, ସ୍ପେନ୍, ଗ୍ରୀସ୍ ଭଳି ଦକ୍ଷିଣ ୟୁରୋପୀୟ ଦେଶକୁ ଯାଇଥାଆନ୍ତି ଏବଂ ସ୍ପେନ୍ରେ ସଂକ୍ରମଣ ସଂଖ୍ୟା ବଢ଼ିବା ପରେ ଏହି ଦେଶଗୁଡ଼ିକ ଏବେ ପଜିଟିଭ୍ ତାଲିକାରେ ରହିଛନ୍ତି । ଏହି ସବୁ ଦେଶରୁ ଫେରୁଥିବା ପର୍ଯ୍ୟଟକମାନଙ୍କ ସଂପର୍କରେ ଆମେ ଜର୍ମାନୀରେ ଆଲୋଚନା କରୁଛୁ । ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ କି ପୃଥକ୍ବାସରେ ରଖାଯିବ । ଜର୍ମାନୀରେ ଏସିଆର ଦୁଇଟି ଦେଶ, କେବଳ ଥାଇଲାଣ୍ଡ ଓ ଭିଏତନାମ ପଜିଟିଭ୍ ତାଲିକାରେ ଅଛନ୍ତି । ସୈଦ୍ଧାନ୍ତିକ ଭାବରେ ଏହା ଚୀନ ହେବା କଥା । କିନ୍ତୁ କେବଳ ପାରସ୍ପରିକ ନୀତି କ୍ଷେତ୍ରରେ ହିଁ ଏହା ସମ୍ଭବ ହେବ । ଜର୍ମାନୀର ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ବାଧାବିଘ୍ନ ରହିଥିଲେ ହେଁ ଯେତେ ବଡ଼ ଆକାରରେ ଆଶଙ୍କା କରାଯାଉଥିଲା, ତାହା ସେତେ ବଡ଼ ନୁହେଁ । କାରଣ ଅଧିକ ସଂଖ୍ୟକ ଜର୍ମାନୀ ଲୋକେ ଘରେ ହିଁ ରହୁଛନ୍ତି ।”
ଯାହାହେଲେ ବି ବିମାନ ଚଳାଚଳ ବାବଦ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ଖର୍ଚ୍ଚ ବୃଦ୍ଧି ପାଇବା ସମ୍ଭାବନା ରହିଛି ବୋଲି ସେ ଚେତାଇ ଦେଇଥିଲେ । “ଜର୍ମାନୀକୁ ଆସୁଥିବା ଅଧିକାଂଶ ଲୋକ ଫ୍ରାନ୍ସ, ନେଦରଲାଣ୍ଡ୍ସ, ୟୁକେ ଏବଂ ସ୍ପେନ୍ ଭଳି ଆମ ପଡ଼ୋଶୀ ଦେଶରୁ ଆସିଥାଆନ୍ତି । ଜର୍ମାନୀକୁ ଆସୁଥିବା ଯାତ୍ରୀଙ୍କ ସଂଖ୍ୟା ନୁହେଁ, ବରଂ ପରିଚାଳନା ବାବଦ ଖର୍ଚ୍ଚ ହିଁ ଗୁରୁତ୍ବପୂର୍ଣ୍ଣ । ତେଣୁ ଯାହା ଭାରତର ସ୍ଥିତି, ଠିକ୍ ସେହିଭଳି ହୋଟେଲ ଓ ରେସ୍ତୋରାଁରେ ସଂପୂର୍ଣ୍ଣ ସଂଖ୍ୟାର ଗ୍ରାହକଙ୍କୁ ନିଆଯାଇ ପାରିବ ନାହିଁ । ବିମାନ ଚଳାଚଳ ସଂସ୍ଥାରେ ମଧ୍ୟ ଆମର ସ୍ଥିତି ଖୁବ୍ ସାଂଘାତିକ ଏବଂ ଫ୍ରାନ୍ସରେ ଏୟାର ଫ୍ରାନ୍ସ ହେଉ କି ଜର୍ମାନୀରେ ଲୁଫ୍ଥାନ୍ସା, କରଦାତାଙ୍କ ଦ୍ବାରା ହିଁ ଏହି ସଂସ୍ଥାଗୁଡ଼ିକୁ ବଞ୍ଚାଇ ରଖିହେବ । ତେଣୁ ଏହି ସବୁ ବିମାନ ଚଳାଚଳ କମ୍ପାନୀକୁ ଦେବାଳିଆ ସ୍ଥିତିରୁ ରକ୍ଷା କରିବା ପାଇଁ ବିଭିନ୍ନ ସରକାର ସେମାନଙ୍କ ଅଂଶଧନ କିଣି ନେଇଛନ୍ତି । ଏହି ଯାତ୍ରା ପରିଚାଳନାକାରୀ ଓ ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ଖୁବ୍ କଷ୍ଟକର ସ୍ଥିତିରେ ରହିଛନ୍ତି । ହୋଟେଲ ଓ ରେସ୍ତାରାଁଗୁଡ଼ିକ ତିଷ୍ଠି ରହିଛନ୍ତି, କିନ୍ତୁ ପରିଚାଳନା ବାବଦ ଖର୍ଚ୍ଚ ବୃଦ୍ଧି କାରଣରୁ ଜର୍ମାନୀର କେତେକ ଖ୍ୟାତନାମା ରେସ୍ତୋରାଁ ବନ୍ଦ ହୋଇଯାଇଛି । ଦର ବଢ଼ାଇଲେ ବି ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଆପଣ ଗ୍ରାହକଙ୍କ ନିକଟରୁ ଅର୍ଥ ନେଇପାରିବେ । ତେଣୁ ସେମାନେ ଅତି ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ।” କେତେକ ୟୁରୋପୀୟ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଭୂତାଣୁ ସଂକ୍ରମଣ ଦେଖାଦେଇଥିବା ସଂପର୍କରେ ଚେତାଇ ଦେଇ ହାନ୍ସ ଖ୍ରୀଷ୍ଟିଆନ କହିଛନ୍ତି ଯେ, ପୁନରୁଦ୍ଧାର ନିମନ୍ତେ ସମୟ ସୀମା ନିର୍ଦ୍ଧାରଣ ସଂପର୍କରେ କହିବା ଖୁବ କଷ୍ଟକର ।
ମିଳିତ ଜାତିସଂଘ ବାଣିଜ୍ୟ ଓ ବିକାଶ ସମ୍ମିଳନୀ (UNCTAD) ପକ୍ଷରୁ ଜୁଲାଇ 1 ତାରିଖରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ବିଶ୍ବ ପର୍ଯ୍ୟଟନ କ୍ଷେତ୍ର ଅତି କମ୍ରେ 1.2 ଟ୍ରିଲିଅନ୍ (ଲକ୍ଷ କୋଟି) ଆମେରିକୀୟ ଡଲାର ବା ବିଶ୍ବର ମୋଟ ଘରୋଇ ଉତ୍ପାଦ (GDP)ର 1.5 ପ୍ରତିଶତ କ୍ଷତି ସହିବା ଆଶଙ୍କା ରହିଛି । ମିଳିତ ଜାତିସଂଘର ବିଶ୍ବ ପର୍ଯ୍ୟଟନ ସଂଗଠନ କରିଥିବା ଆକଳନ ଅନୁସାରେ, ଭାରତରୁ ବିଦେଶକୁ ଯାଉଥିବା ପର୍ଯ୍ୟଟକଙ୍କ ସଂଖ୍ୟା 2019ରେ 2 କୋଟି 90 ଲକ୍ଷ ଥିବା ବେଳେ 2020ରେ ଏହା ଏକ କୋଟିକୁ ଖସି ଆସିବ । 2017ରେ 2 କୋଟି 30 ଲକ୍ଷ ଭାରତୀୟ ପର୍ଯ୍ୟଟକ ଦରିଆପାରି ଯାତ୍ରା କରିଥିବା ବେଳେ ଏଥିରେ 5 କୋଟି ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି କୋଭିଡ୍ ପରିସ୍ଥିତି ପୂର୍ବରୁ ସଂପାଦିତ ଅନେକ ଆକଳନରେ ଦର୍ଶାଯାଇଥିଲା । ଭାରତୀୟମାନଙ୍କ ସବୁଠାରୁ ପ୍ରିୟ ପର୍ଯ୍ୟଟନସ୍ଥଳୀରେ ସିଙ୍ଗାପୁର, ଥାଇଲାଣ୍ଡ, ଇଣ୍ଡୋନେସିଆ, ମାଳଦ୍ବୀପ, ନେପାଳ, ଶ୍ରୀଲଙ୍କା ଓ ଭୁଟାନ ରହିଛି । ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରର ଏତେ ଶୀଘ୍ର ପୁନରୁଦ୍ଧାର ସମ୍ଭାବନା ନାହିଁ ବୋଲି ନୂଆଦିଲ୍ଲୀସ୍ଥିତ ଥାଇଲାଣ୍ଡ ପର୍ଯ୍ୟଟନ ସଂସ୍ଥାର ନିର୍ଦ୍ଦେଶକ ବାଚିରାଚାଇ ସିରିସମ୍ପନ ଅନୁଭବ କରନ୍ତି ।
ଏକ ସ୍ବତନ୍ତ୍ର ଆଲୋଚନାରେ ସିରିସମ୍ପନ ସ୍ମିତା ଶର୍ମାଙ୍କୁ କହିଲେ, “ଥାଇଲାଣ୍ଡରେ ଘରୋଇ ପର୍ଯ୍ୟଟନ ପ୍ରାୟତଃ ସ୍ବାଭାବିକ ସ୍ଥିତିକୁ ଫେରିଆସିଲାଣି । ଲୋକେ ସ୍ବଚ୍ଛନ୍ଦରେ ସାରା ଦେଶ ଯାତ୍ରା କରିପାରିବେ । ଅନ୍ତର୍ଜାତୀୟ ପର୍ଯ୍ୟଟନକୁ କିଛି ସମୟ ଲାଗିବ । ମୁଁ କହିପାରିବିନି ଯେ ଠିକ୍ କେତେବେଳେ ଏହା ସମ୍ଭବ ହେବ । କିନ୍ତୁ ବର୍ତ୍ତମାନ ସ୍ଥିତିରେ ଆମକୁ ଉଭୟ ସୁରକ୍ଷା ଏବଂ ଅତି ସଂକଟଜନକ ସ୍ଥିତିରେ ରହିଥିବା ଯେ କୌଣସି ଦେଶର ଅର୍ଥନୈତିକ ସନ୍ତୁଳନ ଉପରେ ନଜର ରଖିବାକୁ ହେବ । ଏବେ ଆମେ ଏହି ପର୍ଯ୍ୟାୟରେ ଧୀରେ ଧୀରେ ବାଟ ଖୋଲିବା ଆରମ୍ଭ କରୁଛୁ । ଯେଉଁ ବିଦେଶୀ ନାଗରିକମାନେ ଥାଇଲାଣ୍ଡରେ କାମ କରୁଥିଲେ କିମ୍ବା ଯେଉଁମାନଙ୍କର ଡାକ୍ତରୀ ଚିକିତ୍ସା ଦରକାର ହେଉଥିଲା, ସେମାନଙ୍କ ଆଗମନ ପାଇଁ ଆମେ ବାଟ ଖୋଲିଦେଲୁ । ଥାଇଲାଣ୍ଡର ପର୍ଯ୍ୟଟନ ଶିଳ୍ପ ପ୍ରଭୂତ କ୍ଷତି ସହିଛି ।”
ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରର ପୁନରୁଦ୍ଧାର ସକାଶେ ଅନ୍ତର୍ଜାତୀୟ ପର୍ଯ୍ୟଟକମାନଙ୍କ ବିଶ୍ବାସଭାଜନ ହେବା ସହିତ ଆତ୍ମବିଶ୍ବାସ ଫେରାଇ ଆଣିବା ଉପରେ ଗୁରୁତ୍ବ ପ୍ରଦାନ କରିବା ସହିତ ସେମାନଙ୍କ ‘ଅର୍ଥର ବିନିମୟ ମୂଲ୍ୟ’ ପାଇପାରିଲେ ଲୋକେ ଅଧିକ ଖର୍ଚ୍ଚ ସମ୍ବଳିତ ଯାତ୍ରା କରିବାକୁ ପସନ୍ଦ କରିବେ ବୋଲି ସେ ଆଶାପ୍ରକାଶ କରିଥିଲେ । ଥାଇଲାଣ୍ଡ ପର୍ଯ୍ୟଟନ ବିଭାଗର ଏହି ଅଧିକାରୀ ଜଣକ ଆହୁରି କହିଲେ, “ପ୍ରତ୍ୟେକ ଦେଶ, ପ୍ରତ୍ୟେକ ହୋଟେଲ ବା ରିସୋର୍ଟକୁ ଏବେ ସ୍ବତନ୍ତ୍ର ପରିଚାଳନା ପ୍ରକ୍ରିୟା (SOP) ଅନୁସରଣ କରିବାକୁ ପଡ଼ିବ । ଯୋଗାଣ ଓ ଚାହିଦା ଭିତରେ ଆମେ ସନ୍ତୁଳନ ସ୍ଥାପନ କରିବା ଦରକାର । ଆପଣ ଯଦି ଦର ବଢ଼ାଇବେ, ତେବେ ଦର ବଢ଼ାଇବାର କାରଣ ଗ୍ରାହକ ବୁଝିପାରୁଛନ୍ତି ବୋଲି ଆପଣ ସୁନିଶ୍ଚିତ କରିବା ଆବଶ୍ୟକ । ସେମାନଙ୍କ ଅର୍ଥ ବିନିମୟରେ ସଠିକ ମୂଲ୍ୟ ପାଉଛନ୍ତି ବୋଲି ଗ୍ରାହକ ଅନୁଭବ କରୁଥିବା ଯାଏ ସେମାନେ ଛୁଟି କାଟିବା ବାବଦରେ ଖର୍ଚ୍ଚ କରିବାକୁ ଇଚ୍ଛା ପ୍ରକାଶ କରିବେ ।”
ସ୍ମିତା ଶର୍ମା, ନୂଆଦିଲ୍ଲୀ