ବେଙ୍ଗାଲୁରୁ: ଆଉ କିଛି ସମୟ ପରେ ବିଜେପିରେ ସାମିଲ ହୋଇପାରନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । କଂଗ୍ରେସରୁ ନାରାଜ ଥିବା ଜ୍ୟୋତିରାଦିତ୍ୟ ବିଜେପିରେ ମିଶିବା ନେଇ ମଧ୍ୟପ୍ରଦେଶର ରାଜନୈତିକ ମାହୋଲ ସରଗରମ ରହିଛି । ସିନ୍ଧିଆଙ୍କ ହାତ ଧରି 22 ଜଣ ବିଧାୟକ ମଧ୍ୟ କଂଗ୍ରେସ ଛାଡିଛନ୍ତି । ତେବେ ରାଜନୈତିକ ମୈଦାନରେ କଂଗ୍ରେସକୁ ବଡ କ୍ଷତି ସହିବାକୁ ପଡିଛି । ଏପରି ସ୍ଥିତିରେ କଂଗ୍ରେସ ନେତାଙ୍କ ମନରେ କେଉଁଠି ନା କେଉଠିଁ ଆକ୍ରୋଶର ନିଆଁ କୁହୁଳୁଛି । ନିଜକୁ କେବଳ ସାନ୍ତ୍ବନା ଦେବାରେ ଲାଗିଛି ଦଳ । ଏପରି ସ୍ଥିତିରେ କେହି ବି କଂଗ୍ରେସକୁ ଧ୍ବଂସ କରିପାରିବେ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ଡିକେ ଶିବକୁମାର ।
କଂଗ୍ରେସ ନେତା ଶିବକୁମାର କହିଛନ୍ତି ଯେ ନେତା ଆସିବେ ନେତା ଯିବେ । ହେଲେ କେହି ବି କଂଗ୍ରେସକୁ ଧ୍ବଂସ କରିପାରିବେ ନାହିଁ । ଏହାସହ ପରୋକ୍ଷ ଭାବେ ଶିବକୁମାର କଂଗ୍ରେସ ବିଧାୟକଙ୍କୁ ଚେତାବନୀ ଦେଇଛନ୍ତି । ଯେଉଁ ବିଧାୟକମାନେ ମଧ୍ୟପ୍ରଦେଶରେ ଅଛନ୍ତି ସେମାନେ ନିଜ ସଦସ୍ୟତା ହରାଇବାକୁ କେବେ ଚାହିଁବେ ନାହିଁ ବୋଲି ସେ କହିଛନ୍ତି । ସେମାନେ ଏହାକୁ ବୁଝିବା ସହ ସରକାର ବଞ୍ଚାଇବାକୁ ଫେରିବେ ବୋଲି ଆଶା ଥିବା କହିଛନ୍ତି ଶିବକୁମାର ।
@ANI