ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟ ସରକାର ଶ୍ରମିକଙ୍କୁ ନିଜ ନିଜ ସହରକୁ ଫେରାଇବା ପାଇଁ ଦାବି କରୁଥିବା ବେଳେ କେନ୍ଦ୍ର କିନ୍ତୁ ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଦାଖଲ କରି, ଶ୍ରମିକଙ୍କୁ ଫେରିବା ନେଇ କୌଣସି ଆବଶ୍ୟକତା ନାହିଁ ବୋଲି କହିଛି । ଶ୍ରମିକଙ୍କ ଏପରି ଯିବାଆସିବା ନିଶ୍ଚିତ ଭାବେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଓ ବିପଦ ସୃଷ୍ଟି କରିବ ବୋଲି କେନ୍ଦ୍ର କହିଛି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଏକ ରିପୋର୍ଟରେ କହିଛି ଯେ, ଶ୍ରମିକଙ୍କ କର୍ମସ୍ଥାନରୁ ନିଜ ବାସସ୍ଥାନକୁ ସ୍ଥାନାନ୍ତରିତ ହେବା ଏବଂ ନିଜ ଗାଁକୁ ଫେରିବାର କୌଣସି ଆବଶ୍ୟକତା ନାହିଁ। ଶ୍ରମିକଙ୍କ ସ୍ଥାନାନ୍ତରଣ ଫଳରେ କେନ୍ଦ୍ର ଗ୍ରହଣ କରିଥିବା ପଦକ୍ଷେପର ଉଲଂଘନ ହେଉଛି । ଗ୍ରାମାଞ୍ଚଳ ଗୁଡିକରେ ଏହା ଦ୍ବାରା ଅଧିକ କୋରୋନା ସଂକ୍ରମଣର ଭୟ ରହିଛି ।
ଦେଶ ଏକ ଅପ୍ରତ୍ୟାଶିତ ପରିସ୍ଥିତିର ମୁକାବିଲା କରୁଛି ଏବଂ କୌଣସି ବି ବ୍ୟକ୍ତି ଏହି ସମୟରେ ନିଜର ମୂଲ୍ୟବାନ ଜୀବନ ହରାଇପାରେ। ଏଭଳି ସ୍ଥିତିରେ ପ୍ରବାସୀ ଶ୍ରମିକଙ୍କ ଗତିବିଧିକୁ ଅନୁମତି ଦିଆଯିବା ନିଶ୍ଚିତ ଭାବରେ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବ ବୋଲି ରିପୋର୍ଟରେ କୁହାଯାଇଛି ।
ଆଜି ଏନେଇ ସୁପ୍ରିମକୋର୍ଟ କହିଛି, ପ୍ରବାସୀ ଶ୍ରମିକଙ୍କ ମୌଳିକ ସୁବିଧା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏନଜିଓ ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ 14.3 ଲକ୍ଷ ଲୋକଙ୍କୁ ଆଶ୍ରୟ ଦେବା ସହିତ 37,978 ରିଲିଫ୍ କ୍ୟାମ୍ପ ପ୍ରତିଷ୍ଠା କରିଛନ୍ତି। ଏହା ବ୍ୟତୀତ ପ୍ରାୟ 1,34 କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ 26,225 ଖାଦ୍ୟ ଶିବିର ମଧ୍ୟ ଖୋଲାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ସୋମବାର) ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବାବେଳେ ପ୍ରବାସୀ ଶ୍ରମିକ ଏବଂ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗକୁ ନେଇ ଆଲୋଚନା ହେବ।