ଜୟପୁର: ରାଜସ୍ଥାନରେ ରାଜନୈତିକ ଛକାପଞ୍ଝା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡାକି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଉଦ୍ୟମ କରୁଥିବା ବେଳେ ଏନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଜୁଲାଇ 31ରୁ ବିଧାନସଭା ଅଧିବେଶନ ଆରମ୍ଭ କରିବା ନେଇ ରାଜ୍ୟପାଳଙ୍କ କଲରାଜ ମିଶ୍ରଙ୍କୁ ଦେଇଥିବା ପ୍ରସ୍ତାବରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ପ୍ରମାଣ ବିଷୟରେ କିଛି ଉଲ୍ଲେଖ କରିନାହିଁ । ଏନେଇ ବିଶେଷ ସୂତ୍ରରୁ ପ୍ରକାଶ ପାଇଛି ।
ରାଜସ୍ଥାନ ସରକାର ଜୁଲାଇ 31 ରୁ ବିଧାନସଭା ଅଧିବେଶନ ଆରମ୍ଭ କରିବାକୁ ରାଜ୍ୟପାଳଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି । ବିଧାନସଭାରେ କୋରୋନା ଭାଇରସ ଏବଂ ଅନ୍ୟାନ୍ୟ ବିଲ୍ ଉପରେ ଆଲୋଚନା କରିବାକୁ ପ୍ରସ୍ତାବରେ କୁହାଯାଇଛି । ହେଲେ ଏହି ପ୍ରସ୍ତାବରେ ଫ୍ଲୋର୍ ଟେଷ୍ଟ ବିଷୟରେ କୌଣସି ଉଲ୍ଲେଖ ନଥିବା ସୂତ୍ରରୁ ପ୍ରକାଶ ପାଇଛି ।
200 ସଦସ୍ୟ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ବର୍ତ୍ତମାନ କଂଗ୍ରେସରେ 107 ଜଣ ବିଧାୟକ ଅଛନ୍ତି । ସେମାନଙ୍କ ମଧ୍ୟରେ ସଚିନ ପାଇଲଟ ଏବଂ ଅନ୍ୟ 18 ଜଣ ବିଧାୟକ ମଧ୍ୟ ଅଛନ୍ତି । ସେମାନଙ୍କୁ ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଜୋଶୀଙ୍କ ଅଯୋଗ୍ୟ ଘୋଷଣା କରିଛନ୍ତି । ସେପଟେ ହାଇକୋର୍ଟ ବାଚସ୍ପତିଙ୍କ ଏହି ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି । କୋର୍ଟଙ୍କ ଝଟକା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡାକି ବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରୁଛନ୍ତି । କିନ୍ତୁ ରାଜ୍ୟପାଳ କଲରାଜ ମିଶ୍ର ଏଥିରେ ଏକମତ ହେଉନାହାନ୍ତି।
ଏହାପୂର୍ବରୁ ଜୁଲାଇ 23 ତାରିଖ ରାତିରେ ଖୁବ୍ କମ୍ ସମୟର ନୋଟିସରେ ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟ ସରକାର ଏକ ଦସ୍ତାବିଜ ଉପସ୍ଥାପନ କରିଥିଲେ । କିନ୍ତୁ ସାଧାରଣ ପ୍ରକ୍ରିୟା ଅନୁଯାୟୀ ଅଧିବେଶନ ଡାକିବା ପାଇଁ 21 ଦିନିଆ ବିଜ୍ଞପ୍ତି ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ । ତେବେ ବିଧାନସଭା ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଏକପ୍ରକାର ମୁହାଁମୁହିଁ ହୋଇଛନ୍ତି । ରାଜସ୍ଥାନରେ ଚାଲିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ରାଷ୍ଟ୍ରପତି ଭବନ ଯିବ । ଆବଶ୍ୟକସ୍ଥଳରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଶନିବାର ଗେହଲଟ୍ କହିଥିଲେ । ଏଭଳି ସ୍ଥିତିରେ ପ୍ରସ୍ତାବରେ କଂଗ୍ରେସ ଫ୍ଲୋର୍ ଟେଷ୍ଟ ବିଷୟରେ ଉଲ୍ଲେଖ କରିନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।