ନୂଆଦିଲ୍ଲୀ: ଏସି କୋଚରୁ କମଳ ଓ ପରଦା ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଜାରି କଲା ରେଳ ମନ୍ତ୍ରଣାଳୟ । କୋରୋନା ଭୁତାଣୁ ସଂକ୍ରମଣକୁ ଆଖିଆଗରେ ରଖି ରେଳ ମନ୍ତ୍ରଣାଳୟ ଟ୍ରେନର ଏସି କୋଚରେ କମଳ ଓ ପରଦାକୁ ପ୍ରତ୍ୟାହାର କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ରେଲୱେର ସବୁ ଜୋନକୁ ଏହିଭଳି ନିର୍ଦ୍ଦେଶ ହୋଇଛି । ଏନେଇ ଏସଏମଏସ ଓ ଆଇଭିଏସ ମାଧ୍ୟମରେ ଯାତ୍ରୀଙ୍କୁ ଜଣାଇବା ନେଇ ବିଭାଗ କିହିଛି ।
ନିର୍ଦ୍ଦେଶ ଅନୁସାରେ କୋଚରେ ବ୍ୟବହୃତ ହେଉଥିବା ତକିଆ ଖୋଳ, ଚାଦର, ବେଡ ରୋଲ, ଟାୱାଲକୁ ନିୟମିତ ସଫା କରାଯିବ । ଏସି କୋଚରେ ତାପମାତ୍ରାକୁ 24-25 ଡିଗ୍ରୀ ରଖିବା ସହ ଟ୍ରେନର ସବୁ ଜାଗାକୁ ସଫା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଯାତ୍ରୀ ମାନଙ୍କୁ ନାପକିନ, ଲିକ୍ୟୁଡ ସୋପ ଦେବା ପାଇଁ ହାଉସକିପିଂ ଷ୍ଟାଫ କୁ ସଜାଗ ରଖିବା ପାଇଁ କୁହାଯାଇଛି । ସାଧାରଣତଃ ଏସି କୋଚରେ କମଳକୁ ମାସକୁ ଦୁଇଥର ସଫା କରାଯାଉଥିବା ବେଳେ ପରଦାକୁ ମାସକୁ ଥରେ ସଫା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ