ପାଟନା: ବିହାର ନିର୍ବାଚନକୁ ନେଇ ଦେଶରେ ଏବେ ସରଗରମ ମାହୋଲ । ଅନେକ ରାଜ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିଲେ ହେଁ ସମସ୍ତଙ୍କ ନଜର ବିହାରର ନିର୍ବାଚନ ପାଣିପାଗ ଉପରେ । ତେବେ ବିହାରର ଭୋଟର କାହାକୁ ଚାହୁଁଛନ୍ତି ନିଜ ନେତା ଭାବରେ । କଣ ରହିଛି ସେମାନଙ୍କ ଏହା ଉପରେ ମତ । କୌଣସି ବରିଷ୍ଠ ରାଜନେତା ନା ଯୁବ ଚେହେରା, କାହା ଉପରେ ଭରସା କରୁଛନ୍ତି ବିହାରର ମୁସଲିମ ଭୋଟର । ଜାଣନ୍ତୁ ନିର୍ବାଚନକୁ ନେଇ କଣ କହୁଛନ୍ତି ମୁସଲମାନ ମହିଳା ।
ବିହାରର ଠାକୁରଗଞ୍ଜ ବିଧାନସଭା ପରିସରରେ ଚା’ ଦୋକାନ କରିଥିବା ଜଣେ ମୁସଲିମ ମହିଳା ଭୋଟର କୁହନ୍ତି, ଆମେ ସମାଜରେ ଶାନ୍ତି ପ୍ରତିଷ୍ଠା କରୁଥିବା ସରକାର ଚାହୁଁଛୁ। ଅନ୍ୟପକ୍ଷରେ, ଗୃହିଣୀ ସଲମା ବାନୋ କହିଛନ୍ତି ଯେ, ଶିକ୍ଷା ଗୁରୁତ୍ୱପୂର୍ଣ୍ଣ କିନ୍ତୁ ମହିଳାଙ୍କ ସୁରକ୍ଷା, ରୋଜଗାର ଏବଂ ବିକାଶ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ଉପରେ ଗୁରୁତ୍ବ ଦେଉଥିବା ସରକାର ସେ ଚାହାନ୍ତି । ସେହିପରି ଅନ୍ୟ କିଛି ମହିଳା ମହିଳା ଏଲଜେପିର ଚିରାଗ ପାସୱାନଙ୍କ ଉପରେ ଭରସା କରିଛନ୍ତି । ଚିରାଗଙ୍କୁ ହିଁ ସେ ନେତା ଭାବରେ ବିବେଚନା କରନ୍ତି । ଆଉ କିଛି ଭୋଟର ଏଲଜେପି ପ୍ରାର୍ଥୀ କାଲିମୁଦ୍ଦିନଙ୍କୁ ଫେରାଇ ଆଣିବାକୁ ଚାହିଁଛନ୍ତି । ଅନ୍ୟକିଛି ଭୋଟର ମୁଖ୍ୟମନ୍ତ୍ରୀ ନୀତିଶଙ୍କ କାର୍ଯ୍ୟକୁ ପସନ୍ଦ କରିଛନ୍ତି । ସେ ମୁସଲମାନ ମହିଳାଙ୍କ ପାଇଁ ଅନେକ କିଛି କରିଥିବା କୁହନ୍ତି ଭୋଟର ।
କେବଳ ଗୃହିଣୀ ନୁହେଁ ଛାତ୍ରଛାତ୍ରୀ ମଧ୍ୟ ନିର୍ବାଚନକୁ ନେଇ ମତ ପ୍ରକାଶ କରିଛନ୍ତି । କିଛି ଛାତ୍ରଛାତ୍ରୀ ଯୁବ ଚେହେରା ଚିରାଗ ପାଶୱାନଙ୍କୁ ବହୁତ ପସନ୍ଦ କରିଛନ୍ତି । ଏନେଇ ଛାତ୍ରୀ ସାନିଆ କୁହନ୍ତି, ଚିରାଗ ପାଶୱାନ ଜଣେ ଯୁବ ନେତା । ସେ ବିହାରର ବିକାଶ ପାଇଁ ଏକାକୀ ଲଢେଇ କରୁଛନ୍ତି। ଆଜିକା ସମୟରେ ଯୁବକମାନେ କେଉଁ ପ୍ରକାରର ଚାକିରି ଚାହୁଁଛନ୍ତି ତାହା ସେ ଭଲ ଭାବରେ ବୁଝି ପାରିବେ | ତେଣୁ ଯୁବକମାନେ ନିଶ୍ଚିତ ଭାବରେ ଏଲଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ।
ସେହିପରି ଆଉ ଜଣେ ଛାତ୍ର କୁହନ୍ତି , ଚିରାଗ ଜଣେ ଯୁବ ନେତା। ସେ ବିହାରର ଲୋକଙ୍କୁ ରୋଜଗାର ଦେବା ବିଷୟରେ ଚିନ୍ତା କରୁଛନ୍ତି। ତାଙ୍କଠାରୁ ବହୁତ ଆଶା ଅଛି । ତାଙ୍କର ରାଜନୀତିରେ ରହିବା ଶିକ୍ଷା ଏବଂ ନିଯୁକ୍ତି ସୁଯୋଗରେ ଉନ୍ନତି ଆଣିବ। ଆଉ ତାଙ୍କ ସ୍ଲୋଗାନକୁ ସେ ବେଶ୍ ପସନ୍ଦ କରିଛନ୍ତି ।
ଅନ୍ୟପଟେ ଗୃହିଣୀ ଅମିଶା ଖାତୁନ କୁହନ୍ତି, ବିଶେଷ କରି ଶିକ୍ଷା ଏବଂ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବହୁତ ଭଲ କାମ କରିଛନ୍ତି । ଏପରିକି ମହିଳାମାନଙ୍କ ପାଇଁ ମଧ୍ୟ ଭଲ କାମ କରିଥିବା ସେ କୁହନ୍ତି । ସେହିପରି ନାବାଳିକା ବିବାହ ରୋକିବା ଦିଗରେ ସିଏମ ନୀତିଶକୁମାର ଅନେକ ପଦକ୍ଷେପ ନେଇଛନ୍ତି । ଏପରିକି ଝିଅ ମାନଙ୍କ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ କାର୍ଯ୍ୟ କରିଛନ୍ତି । ତାଙ୍କ ଶାସନରେ ମହିଳାଙ୍କୁ ସମ୍ମାନ ସହ ପୁରୁଷଙ୍କୁ ମଧ୍ୟ ମର୍ଯ୍ୟାଦା ଦିଆଯାଉଥିବା କହିଛନ୍ତି ଜଣେ ଗୃହିଣୀ ।
ଅନେକ ମହିଳା ଭୋଟର ତିନି ତଲାକ ଉଚ୍ଛେଦ କରିବାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଅନ୍ୟ ଜଣେ ସ୍ନାତକ ଛାତ୍ର ନାଜିଆ ଇକବାଲ କୁହନ୍ତି, ଏହି ନିର୍ବାଚନରେ ମହିଳାଙ୍କ ସୁରକ୍ଷା ଏବଂ ଶିକ୍ଷା ଏକ ବଡ଼ ପ୍ରସଙ୍ଗ। ଏହି ପ୍ରସଙ୍ଗରେ ସମସ୍ତ ଦଳ ନିଜର ଆଭିମୁଖ୍ୟ ସଠିକ୍ କରିବା ଉଚିତ୍।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ