ନିମାପଡ଼ା: ଦୁଲୁକିବ ଅର୍କକ୍ଷେତ୍ର । କୋଣାର୍କ ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଘୁଙ୍ଗୁର ତାଳେ ତାଳେ କମ୍ପିବ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ । ଶାସ୍ତ୍ରୀୟ ସଙ୍ଗୀତ ଓ ବାଦ୍ୟ ପୁଣି ଥରେ ଦର୍ଶକଙ୍କୁ କରିବ ମନ୍ତ୍ରମୁଗ୍ଧ । ଚଳିତବର୍ଷ ଡିସେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ୩୫ ତମ କୋଣାର୍କ ଉତ୍ସବ ଓ ୧୪ ତମ ଅର୍ନ୍ତଜାତୀୟ ବାଲୁକା କଳା ପ୍ରଦର୍ଶନୀ । ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ପହଞ୍ଚିଛି ।
କୋଣାର୍କ ମହୋତ୍ସବ:
ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଓଟିଡିସି ପକ୍ଷରୁ ଆୟୋଜିତ ହେଉଥିବା ଏହି ଉତ୍ସବ ୫ଦିନ ଧରି ଚାଲିବ । ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତି ସନ୍ଧ୍ୟା ୬ଟାରୁ ଓଡ଼ିଶୀ, କୁଚିପୁଡ଼ି, କଥକ, ମୋହିନୀ ଆଟମ, ମଣିପୁରୀ, ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶିତ ହେବ । ସେହିପରି ଚନ୍ଦ୍ରଭାଗା ବେଳାଭୂମିରେ ସକାଳ ୯ରୁ ରାତି ୯ଟା ପର୍ଯ୍ୟନ୍ତ ଦେଶ ବିଦେଶର ବାଲୁକା ଶିଳ୍ପୀଙ୍କ ଦ୍ଵାରା ବାଲୁକାକଳା ଚିତ୍ରକଳା ପ୍ରଦର୍ଶନ ହେବ । ୧୪ ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ୩୮ଟି ଷ୍ଟଲ କରାଯିବ ।
ମନମୋହିବ ଶାସ୍ତ୍ରୀୟ ନୃତ୍ୟ:
ପ୍ରଥମ ଦିନ ଅର୍ଥାତ୍ ଡିସେମ୍ବର ୧ ତାରିଖରେ ଭୁବନେଶ୍ଵର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ପ୍ରଥମ ଚରଣରେ ଶାସ୍ତ୍ରୀୟ ଓଡିଶୀ ନୃତ୍ୟ ଓ ଦ୍ଵିତୀୟାର୍ଦ୍ଧରେ ନୂଆଦିଲ୍ଲୀର ମାଲତିଶ୍ୟାମଙ୍କ ଦ୍ୱାରା କଥକ ନୃତ୍ୟ ପରିବେଷଣ କରାଯିବ । ସେହିପରି ଦ୍ଵିତୀୟ ଦିବସରେ କୋଲକତାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ପ୍ରୀତିପଟେଲଙ୍କ ଦ୍ୱାରା ମଣିପୁର ନୃତ୍ୟ ପରିବେଷଣ କରାଯିବ ଓ ଦ୍ଵିତୀୟ ଚରଣରେ କୋଲକତା ଶ୍ରୀଞ୍ଜନ ନୃତ୍ୟାଳୟର ବିଶିଷ୍ଠ ଓଡିଶୀ ଗୁରୁ ଆଲୋକ କାନୁନଗୋ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷଣ କରାଯିବ । ତୃତୀୟ ଦିବସରେ କୋଲକାତାର ଦର୍ପଣୀ ଅର୍ଣ୍ଣବ ବନ୍ଦୋପାଧ୍ୟାୟଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ ହେବାକୁ ଥିଲାବେଳେ ଦ୍ୱିତୀୟାଅର୍ଦ୍ଧରେ ଆମେରିକାର ଡକ୍ଟର ସୁନନ୍ଦା ନାୟାରଙ୍କ ଦ୍ଵାରା ମୋହିନୀ ଆଟ୍ଟମ ନୃତ୍ୟ ପରିବେଷଣ ହେବ ।
ଚତୁର୍ଥ ଦିନରେ କୁଚୁପୁଡ଼ି ନୃତ୍ୟ:
ଚତୁର୍ଥ ଦିନରେ ପ୍ରଥମେ ହାଇଦ୍ରାବାଦର ଦୀପିକା ରେଙ୍ଗୀ ଦ୍ୱାରା କୁଚୁପୁଡ଼ି ନୃତ୍ୟ ପରିବେଷଣ ହେବାକୁ ଥିବାବେଳେ ଦ୍ୱିତୀୟ ଚରଣରେ ଭୁବନେଶ୍ଵରର ରୁଦ୍ରାକ୍ଷ ଫାଉଣ୍ଡେସନର ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ ହେବ । ଶେଷ ତଥା ପଞ୍ଚମ ଦିବସର କୋଲକତାର ବିଶିଷ୍ଠ ଅନ୍ତର୍ଜାତୀୟ ନୃତ୍ୟଙ୍ଗନା ଡୋନା ଗାଙ୍ଗୁଲିଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବା ସହ ଦ୍ଵିତୀୟ ଚରଣ ତଥା ଶେଷରେ ନୂଆଦିଲ୍ଲୀର ଗୀତାଚନ୍ଦ୍ରନ ଅନୁଷ୍ଠାନ ପକ୍ଷରୁ ଭାରତ ନାଟ୍ୟମ ପରିବେଷଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ସୁରକ୍ଷା ବ୍ୟବସ୍ଥା:
ସେହିଭଳି ଚନ୍ଦ୍ରଭାଗା କୋଣାର୍କ ମୁଖ୍ୟ ରାସ୍ତା ନିକଟ ହେଲିପ୍ୟାଡ୍ରେ ଅପେରା, ମୀନବଜାର, ଚନ୍ଦ୍ରଭାଗା ମେଳା ପଡିଆରେ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜିତ ହେବ । ଚଳିତବର୍ଷ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି କୋଣାର୍କରେ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବ ।
ଇଟିଭି ଭାରତ, ନିମାପଡ଼ା