ସମ୍ବଲପୁର: ବୁର୍ଲା ଭୀମସାରରୁ ନବଜାତ ଶିଶୁପୁତ୍ର ଚୋରି ଘଟଣା । ସମ୍ବଲପୁର ରେଙ୍ଗାଲି ସ୍ଥିତ ଗଣେଶ ନଗରରୁ ଚୋରି ହୋଇଥିବା ଶିଶୁପତ୍ରକୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଶିଶୁକୁ ପ୍ରଥମେ ବୁର୍ଲା ମେଡିକାଲକୁ ନିଆଯାଇ ଏସଏନସିୟୁରେ ରଖାଯାଇଛି । ଏକ ମେଡିକାଲ ଟିମ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଛନ୍ତି । ଶିଶୁକୁ ଚୋରି କରିଥିବା ମହିଳା ଓ ତାଙ୍କ ସ୍ଵାମୀଙ୍କୁ ପୋଲିସ ଅଟକ ରଖିଛି । ଗତ ନଭେମ୍ବର ୨୬ରେ ବୁର୍ଲା ଭୀମସାରରୁ ୩ ଦିନର ନବଜାତ ଶିଶୁକୁ ଚୋରି କରି ନିଆଯାଇଥିବା ଅଭିଯୋଗ ହୋଇଥିଲା ।
ଶିଶୁପୁତ୍ର ଉଦ୍ଧାର:
ଶିଶୁପୁତ୍ରକୁ ମହିଳା ଜଣକ ମେଡ଼ିକାଲରୁ ଚୋରି କଲା ପରେ ଏକ ଅଟୋ ଜରିଆରେ ମେଡିକାଲରୁ ଅଇଁଠାପାଲି ବସଷ୍ଟାଣ୍ଡ ନିକଟକୁ ଯାଇଥିଲେ । ସେଠାରୁ ପୁଣି ଆଉ ଏକ ଗାଡିରେ ରେଙ୍ଗାଲି ଗଣେଶ ନଗର ସ୍ଥିତ ତାଙ୍କ ଭଡା ଘରକୁ ଯାଇ ଲୁଚି ଯାଇଥିଲେ । ପୋଲିସ ସିସିଟିଭି ଫୁଟେଜ ଆଧାରରେ ମହିଳାଙ୍କ ଧରିବା ପାଇଁ ତଦନ୍ତ ଚଳାଇଥିଲେ । ପୋଲିସ ପକ୍ଷରୁ ଚୋରକୁ ଧରିବା ପାଇଁ ୪ଟି ଟିମ ଗଠନ କରାଯାଇଥିଲା । ଆଜିି ସମ୍ବଲପୁର ରେଙ୍ଗାଲିର ଗଣେଷ ନଗରରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଚୋରି କରିଥିବା ମହିଳା ଓ ତାଙ୍କ ସ୍ଵାମୀଙ୍କୁ ଅଟକ ପଚରାଉଚରା କରୁଛି ପୋଲିସ । ତେବେ ଶିଶୁକୁ ନିଜେ ଲାଳନପାଳନ ପାଇଁ ନେଉଥିଲେ ନା ଆଉ କାହାକୁ ବିକ୍ରି କରିବା ପାଇଁ ନେଇଥିଲେ ତାହା ସ୍ପଷ୍ଟ ହୋଇନାହିଁ ।
୨ ଜଣ ଅଟକ:
ଏନେଇ ସମ୍ବଲପୁର ଅତିରିକ୍ତ ଏସପି ହରେଶ ଚନ୍ଦ୍ର ପାଣ୍ଡେ କହିଛନ୍ତି, "ଚୋରି ହୋଇଥିବା ଶିଶୁପୁତ୍ରକୁ ଆଜି ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ ଶିଶୁପୁତ୍ରକୁ ଚୋରି କରିବା ପରେ ରେଙ୍ଗାଲି ସ୍ଥିତ ଗଣେଶ ନଗରରେ ନେଇ ରଖିଥିବା ଖବର ମିଳିଥିଲା । ଗଠନ ହୋଇଥିବା ପୋଲିସ ଟିମ୍ ସେଠାକୁ ଯାଇ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି । ମହିଳାଙ୍କର ପରିଚୟ ମିଳିଛି । ତାଙ୍କ ସହ ତାଙ୍କ ସ୍ବାମୀ ମଧ୍ୟ ଅଛନ୍ତି । ବର୍ତ୍ତମାନ ତଦନ୍ତ ଚାଲିଛି । ଏହାପରେ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି ଜଣାପଡ଼ିବ ।"
ସେହିପରି ଶିଶୁପୁତ୍ର ମାଆ ସୀତାଦେବୀ ଦାସ କହିଛନ୍ତି, "ମୋ ଛୁଆକୁ ଫେରି ପାଇଁ ମୁଁ ବହୁତ ଖୁସି । ଓଡ଼ିଶା ପୋଲିସକୁ ଧନ୍ୟବାଦ । ମତେ ଓଡ଼ିଶା ପୋଲିସ ଉପରେ ବିଶ୍ୱାସ ଥିଲା । ଛତିଶଗଡ ଠାରୁ ଓଡ଼ିଶା ପୋଲିସ ଭଲ କାମ କରିଛନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ...ଭୀମସାରରୁ ନବଜାତ ଶିଶୁ ଚୋରି ଘଟଣା, ଅଭିଯୁକ୍ତକୁ ଧରିବାକୁ ୪ଟି ଟିମ ଗଠନ ଏହା ମଧ୍ୟ ପଢ଼ନ୍ତୁ...ଭୀମସାରରୁ ଶିଶୁ ପୁତ୍ର ଚୋରି ଅଭିଯୋଗ, CCTVରେ ମହିଳା କଏଦ |
କ'ଣ ଥିଲେ ଘଟଣା:
ସୂଚନା ଅନୁସାରେ, ଛତିଶଗଡ଼ର ମହାଶମୁନ୍ଦ ଜିଲ୍ଲାର ମୋହନ ଦାସଙ୍କ ପତ୍ନୀ ସୀତା ଦାସ ପ୍ରସବ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ନଭେମ୍ବର ୨୪ ତାରିଖରେ ଡାକ୍ତର ସମ୍ବଲପୁର ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରିଥିଲେ । ସେମାନେ ବରଗଡରୁ ଭୀମସାର ଆସିଥିଲେ । ସେଠାରେ ରାତି ୨ଟା ରାତିରେ ସୀତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ସୀତାଙ୍କ ସେବା କରିବା ପାଇଁ ତାଙ୍କ ସହ ତାଙ୍କର ଭଉଣୀ ମଧ୍ୟ ଥିଲେ । ତେବେ ସୀତାଙ୍କ ପ୍ରସବ ପରେ ଜଣେ ଅଜଣା ମହିଳା ଆସି ସୀତାଙ୍କ ଭଉଣୀ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ତାଙ୍କୁ ବିଭିନ୍ନ ପ୍ରକାର ଛୋଟ ବଡ଼ ସହାୟତା କରି ବଡ଼ ଚତୁରତାର ସହ ପରିବାରର ମନରେ ବିଶ୍ୱାସ ଜନ୍ମାଇଥିଲେ । ମହିଳା ଜଣଙ୍କର ଚାଲ ବାବଦରେ ପରିବାର ପୁରାପୁରି ଅନଭିଜ୍ଞ ଥିଲେ । ଅଜଣା ମହିଳା ଜଣଙ୍କ ଶିଶୁପୁତ୍ରକୁ ଖେଳାଇବାକୁ କହି ବାହାରକୁ ନେଇଥିଲେ । ଖେଳାଇବା ଓ ବୁଲାଇବା ବାହାନାରେ ସେଠାରୁ ଛୁଆକୁ ଧରି ଚମ୍ପଟ ମାରିଥିଲେ । ତେବେ ମହିଳା ଜଣକ ଶିଶୁପୁତ୍ରକୁ କୋଳରେ ଧରି ବାହାରୁଥିବାର ଦୃଶ୍ୟ ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି । ଏନେଇ ପରିବାର ଲୋକ ଅଭିଯୋଗ କରିବା ପରେ ପରେ ପୋଲିସ ସିସିଟିଭି କ୍ୟାମେରା ଯାଞ୍ଚ କରିବା ସହ ତନାଘନା ଆରମ୍ଭ କରିଥିଲା । ଆଜି ସେହି ମହିଳାଙ୍କ ଠାରୁ ଚୋରି ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି ।
ଇଟିଭି ଭାରତ, ସମ୍ବଲପୁର