ରାଞ୍ଚି: ଉତ୍ତର ପ୍ରଦେଶର ଝାନ୍ସୀରେ କେନ୍ଦ୍ର ସଡ଼କ ପରିବହନ, ଜାତୀୟ ରାଜପଥ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ଜନସଭାକୁ ସମ୍ବୋଧିତ କରିବାକୁ ଆସିଥିଲେ । ରବିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀତିନ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ଜଳପଥ ନିର୍ମାଣ ନେଇ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ୫୫୦ କିଲୋମିଟର ଦୀର୍ଘ ବେତବା ନଦୀ ଉପରେ ଜଳପଥ ନିର୍ମାଣ କରାଯିବ ।
ଏହି ଅବସରରେ ଗଡ଼କରୀ ଜଳପଥ ଘୋଷଣା ଉପରେ ଡିପିଆର ପ୍ରସ୍ତୁତ କରିବାକୁ ଆଦେଶ ଦେଇଛନ୍ତି । ନୀତିନ କହିଛନ୍ତି, ମୁଁ ସେହିଭଳି ନେତାଙ୍କ ମଧ୍ୟରୁ ନୁହେଁ, ଯେଉଁ ନେତା ଲୋକଙ୍କୁ କେବଳ ମିଛ ସପ୍ନ ଦେଖାଇଥାନ୍ତି । ମୁଁ ଲୋକଙ୍କୁ ସପ୍ନ ଦେଖାଏ ଓ ସେହି ସପ୍ନକୁ ପୁରା ମଧ୍ୟ କରିଥାଏ ।
ସେ କହିଛନ୍ତି ବେତବା ନଦୀ ମଧ୍ୟପ୍ରଦେଶର ହୋସଙ୍ଗାବାଦ ଅଂଚଳରୁ ଆରମ୍ଭ ହୋଇ ଉତ୍ତର ପ୍ରଦେଶର ହମିରପୁରରେ ପହଞ୍ଚି ଯମୂନା ନଦୀରେ ଲୀନ ହୋଇଛି । ଏହି ନଦୀରେ ଜଳପଥ ନିର୍ମାଣ ହୋଇଗଲେ, ଯାତାୟତ ସୁଗମ ଓ ସୁବିଧା ହୋଇଯିବ ।
ଗଡ଼କରୀ କହିଛନ୍ତି, କେନ-ବେତବା ନଦୀକୁ ଯୋଡ଼ିବା ପାଇଁ ପ୍ରସ୍ତୁତି କରାଯାଉଛି । ଯଦି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ବୁଝାମଣା ପତ୍ରରେ ସ୍ୱାକ୍ଷର କରି ଦିଅନ୍ତି ତେବେ ୩ ଦିନ ମଧ୍ୟରେ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଟେଣ୍ଡର ଜାରି କରି ଦିଆଯିବ । ଗଡ଼କରୀ ୬୦୦ କୋଟି ଅଧିକ ଟଙ୍କାରେ ନିର୍ମିତ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।