ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ରଣଦୀପ ସିଂ ସୁରଜେୱାଲାଙ୍କ ‘ୱିଲଫୁଲ ଡିଫଲ୍ଟର, ବ୍ୟାଡ ଲୋନସ ଓ ରାଇଟ ଅଫ୍’ ଭଳି ବିଭିନ୍ନ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହା ଦ୍ବାରା ସେମାନେ ଲୋକମାନଙ୍କୁ ଭଡକାଉଥିବା ସେ ଉଲ୍ଲେଖ କରିଛନ୍ତି । ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବ୍ୟାଙ୍କ ଠକେଇ ଅଭିଯୋଗରେ 50 ଜଣ ଇଚ୍ଛାକୃତ ଖିଲାପଧାରୀଙ୍କ ତାଲିକା ପ୍ରକାଶ କରିବା ପରେ ରାହୁଳ ଗାନ୍ଧୀ ବିଜେପିକୁ ଟାର୍ଗେଟ କରିଥିଲେ ।
ଅର୍ଥମନ୍ତ୍ରୀ ସୀତାରମଣ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି, ‘ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଓ କଂଗ୍ରେସର ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ସାଧାରଣ ଲୋକଙ୍କୁ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି । ’ ସୀତାରମଣ ଉଠାଯାଇଥିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘କଂଗ୍ରେସ ନେତାଙ୍କ ଆଜିର ପ୍ରୟାସ ହେଉଛି, ୱିଲଫୁଲ ଡିଫଲ୍ଟର, ବ୍ୟାଡ ଲୋନସ ଓ ରାଇଟ ଅଫ୍’2009-10 ରୁ 2013-14 ମଧ୍ୟରେ ଧାର୍ଯ୍ୟ ବାଣିଜ୍ୟିକ ବ୍ୟାଙ୍କଗୁଡିକ 1,45,226.00 କୋଟି ଟଙ୍କାର ରାଇଟ ଅଫ୍ କଥା କୁହାଯାଇଛି । ରାହୁଲ ଗାନ୍ଧୀ ଏନେଇ ଡ. ମନମୋହନ ସିଂଙ୍କ ସହ ପରାମର୍ଶ କରିଥିଲେ କି ? ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆରବିଆଇ ଦ୍ବାରା ସ୍ଥାପିତ ଚାରି ବର୍ଷର ପ୍ରୋଭିଜନିଂ ସାଇକେଲ ଅନୁଯାୟୀ ଏନପିଏ ପାଇଁ ବ୍ୟବସ୍ଥା କରାଯାଇଛି । ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯିବା ପରେ ବ୍ୟାଙ୍କଗୁଡିକ ପ୍ରଦାନ କରାଯାଇଥିବା ଏନପିଏକୁ ବନ୍ଦ କରିଦେବା ସହ ଋଣ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି । କାହା ପାଇଁ କୌଣସି ଋଣ ଛାଡ କରାଯାଇନାହିଁ ।’ ଯେଉଁ ଖିଲାପକାରୀମାନେ ମାନେ ବ୍ୟାଙ୍କ ଅନୁମତି ବିନା ସକ୍ଷମ ଥାଇ ଦେୟ ପ୍ରଦାନ କରିନାହାନ୍ତି, ଡାଇଭର୍ଟ କିମ୍ବା ସିଫନ ଅଫ ପାଣ୍ଠି ଦେବାର କ୍ଷମତା ଥାଇ ମଧ୍ୟ ପରିଶୋଧ କରନ୍ତି ନାହିଁ ସେମାନେ ଇଚ୍ଛାକୃତ ଖିଲାପଧାରୀ ଭାବେ ବର୍ଗୀକୃତ ହୁଅନ୍ତି । ଏଭଳି ଲୋକମାନେ ୟୁପିଏ ସରକାରଙ୍କ ଫୋନ ବ୍ୟାଙ୍କିଙ୍ଗରୁ ଉପକୃତ ହୋଇଥିଲେ ବୋଲି ସୀତାରମଣ କହିଛନ୍ତି ।
ସହଯୋଗୀ ରହିଥିବା ଋଣ ଖିଲାପକାରୀଙ୍କୁ ନାମକୁ ବିଜେପି ଲୁଚାଉଥିବା କଥା ରାହୁଲ ଟ୍ବିଟରରେ ଅଭିଯୋଗ କରିଥିଲେ । ଏହା ସହିତ ସେ ସଂସଦରେ 50 ଜଣ ବ୍ୟାଙ୍କ ଋଣ ଖିଲାପରକାରୀଙ୍କ ନାମ ପ୍ରକାଶ କରିବାକୁ କହିଥିଲେ ମଧ୍ୟ ଅର୍ଥମନ୍ତ୍ରୀ ଉତ୍ତର ଦେବାକୁ ମନା କରିଥିବା ସେ ଉଲ୍ଲେଖ କରିଥିଲେ । ସେହିପରି ଆରବିଆଇ ନିରବ ମୋଦି, ମେହୁଲ ଚୋକସି ଓ ଅନ୍ୟ ବିଜେପି ହିତାକାଂକ୍ଷୀମାନଙ୍କ ନାମ ତାଲିକାରେ ନଥିବା ରାହୁଲ ଅଭିଯୋଗ କରିଥିଲେ।
ଏହି ଅଭିଯୋଗର ଜବାବ ଦେଇ ସୀତାରମଣ ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ କଥାକୁ ମଧ୍ୟ ମନେ ପକାଇଛନ୍ତି । 2006-2008 ଅବଧିରେ ବହୁ ସଂଖ୍ୟକ ବ୍ୟାଡ ଲୋନ୍ସ କରାଯାଇଥିବା ନେଇ ରଘୁରାମ ରାଜନ କହିଥିଲେ । ଏପରିକି ଯେଉଁମାନଙ୍କ ନାମରେ ପୂର୍ବରୁ ଋଣଖିଲାପକାରୀ ଭାବେ ରହିଛି ସେମାନଙ୍କୁ ମଧ୍ୟ ଋଣ ଦିଆଯାଇଥିବା କଥା ଅର୍ଥମନ୍ତ୍ରୀ କହିଛନ୍ତି ।
ନିରବ ମୋଦିଙ୍କ ମାମଲାରେ 2,387 କୋଟିରୁ ଅଧିକ ମୂଲ୍ୟର ଅସ୍ଥାବର ତଥା ଚଳନଶୀଳ ସମ୍ପତ୍ତି ଜବତ କରାଯାଇଛି । ଏହା ସହ 1,898 କୋଟି ଟଙ୍କା ଓ 489.75 କୋଟି ଟଙ୍କା ଜବତ ହୋଇଛି । ଏଥିରେ 961.47 କୋଟି ଟଙ୍କା ବିଦେଶୀ ସଂପତ୍ତି ରହିଛି । ସେ ବ୍ରିଟେନରେ ଜେଲରେ ରହିଥିବା ଅର୍ଥମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ମେହୁଲ ଚୋକସି ମାମଲାରେ 67.9 କୋଟି ଟଙ୍କା ବିଦେଶୀ ସଂପତ୍ତି ସହିତ 1,936.95 କୋଟି ଟଙ୍କା ଠାବ କରାଯାଇଛି ଓ ସେହିପରି 597.75 କୋଟି ଟଙ୍କା ଜବତ କରାଯାଇଛି । ଅନ୍ୟ ପକ୍ଷରେ ତାଙ୍କୁ ରେଡକର୍ଣ୍ଣର ନୋଟିସ ଜାରି କରାଯାଇଛି । ତାଙ୍କୁ ପ୍ରତ୍ୟାର୍ପଣ କରିବା ପାଇଁ ଆଣ୍ଟିଗୁଆକୁ ଅନୁରୋଧ କରାଯାଇଛି । ମେହୁଲ ଚୋକସିଙ୍କୁ ପଳାତକ ଅପରାଧୀ ଘୋଷଣା ପାଇଁ ଶୁଣାଣି ଚାଲିଥିବା ସେ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ବିଜୟ ମାଲ୍ୟାଙ୍କ ମାମଲାରେ ମୋଟ 8,040 କୋଟି ଟଙ୍କା ଠାବ କରାଯାଇଥିବା ବେଳେ 1,693 କୋଟି ଟଙ୍କାର ସମ୍ପତ୍ତି ଜବରଦଖଲ କରାଯାଇଛି । ଜବତ ସମୟରେ ତାଙ୍କ ସେୟାରର ମୂଲ୍ୟ 1,693 କୋଟି ଟଙ୍କା ଥିଲା । ତାଙ୍କୁ ପଳାତକ ଅପରାଧୀ ଘୋଷଣା କରାଯାଇଛି । ସେହିପରି ଭାରତକୁ ପ୍ରତ୍ୟାର୍ପଣ ଅନୁରୋଧରେ ବ୍ରିଟେନ ହାଇକୋର୍ଟ ମଧ୍ୟ ତାଙ୍କୁ ଭାରତକୁ ହସ୍ତାନ୍ତର କରିବା ପାଇଁ ରାୟ ଦେଇଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ହିଁ ଏହି ଇଚ୍ଛାକୃତ ଖିଲାପକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ବିଭିନ୍ନ ବ୍ୟାଙ୍କର ଖିଲାପକାରୀଙ୍କ ବିରୋଧରେ ମୋଟ 9,967 ପୁନରୁଦ୍ଧାର ମକଦ୍ଦମା, 3,515 ଏଫଆଇଆର ରୁଜୁ କରାଯାଇଥିବା ବେଳେ ପଳାତକ ସଂଶୋଧନ ଆଇନ ପ୍ରଣୟନ କରିବା ପାଇଁ ଉଦ୍ୟମ ଜାରି ରହିଛି । ନିରବ ମୋଦି, ମେହୁଲ ଚୋକସି ଓ ବିଜୟ ମାଲ୍ୟାଙ୍କ ମାମଲାରେ ମୋଟ 18,332.7 କୋଟି ଟଙ୍କା ଠାବ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି ।
@ANI