ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପର ଠାରୁ ଦେଶ ରାଜଧାନୀର ରାଜନୈତିକ ସ୍ଥିତି ଉଷ୍ମ ରହିଛି । ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ବଡ ଖବର ସାମ୍ନାକୁ ଆସିଛି । ଭାରତୀୟ ଜାତୀୟ କଂଗ୍ରେସ ଦିଲ୍ଲୀରେ ନିର୍ଭୟା ମାଆଙ୍କୁ ଟିକଟ ଦେଇପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।
ସବୁଠୁ ବଡ କଥା ହେଉଛି କି କଂଗ୍ରେସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୁଦ୍ଧରେ ନିର୍ଭୟା ମାଆଙ୍କୁ ନିର୍ବାଚନୀ ମୈଦାନରେ ଓହ୍ଲାଇବାକୁ ଚାହୁଁଛି । ଅରବିନ୍ଦ କେଜ୍ରିଓ୍ବାଲ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ଲଢିବେ । ଏପରି ସ୍ଥିତିରେ କଂଗ୍ରେସ ନେତା କିର୍ତ୍ତି ଆଜାଦ ଟ୍ବିଟ କରି ଲେଖିଛନ୍ତି ଯେ ଆଶା ଦେବୀ ଆପଣଙ୍କର ସ୍ବାଗତ । ପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ ନିର୍ଭୟା ପରିବାରକୁ ଅନେ ଥର ଭେଟିଥିବା ଦେଖିବାକୁ ମିଳିଛି । ଖବର ସାମ୍ନାକୁ ଆସିବା ପରେ ନିର୍ଭୟା ମାଆ ଏ ବିଷୟରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ରାଜନୀତିରେ କୌଣସି ରୁଚି ନଥିବା ବେଳେ ଟିକଟକୁ ନେଇ କଂଗ୍ରେସ ପକ୍ଷରୁ କେହି ସମ୍ପର୍କ କରିନଥିବା କହିଛନ୍ତି ନିର୍ଭୟାଙ୍କ ମାଆ ।