ନୂଆଦିଲ୍ଲୀ: ଲକଡାଉନ ବନ୍ଦ କରିବା ପୂର୍ବରୁ ଆଗାମୀ 7ଦିନ ଗୁରୁତ୍ବପୂର୍ଣ୍ଣ । ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ମଙ୍ଗଳବାର କହିଛନ୍ତି ମହାମାରୀ କୋରୋନା ପାଇଁ ଲଗାଯାଇଥିବା ଲକଡାଉନର ଏହା ହେଉଛି ଶେଷ ସପ୍ତାହ । ବର୍ତ୍ତମାନ ଭାରତରେ ଯେଭଳି ଭାବରେ କୋରୋନାର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି ଏହା ଉପରେ ସରକାରର ତୀକ୍ଷ୍ମ ନଜର ରହିଛି ।
ସରକାର ଯେଉଁ ଭଳି ନିଷ୍ପତ୍ତି ନେଲେ ମଧ୍ୟ ସାଧାରଣ ଲୋକ ଏହାକୁ ଗ୍ରହଣ କରନ୍ତୁ ବୋଲି ଉପରାଷ୍ଟ୍ରପତି ଲୋକଙ୍କୁ ଅପିଲ କରିଛନ୍ତି । ସାଧାରଣ ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ କହିଛନ୍ତି । ସାରା ଦେଶରେ ମହାମାରୀ କୋରୋନାକୁ ନେଇ ଗତ ମାର୍ଚ୍ଚ 24 ତାରିଖରୁ ଲକଡାଉନ ଘୋଷଣା କରାଯାଇଛି । ଏହି ସଙ୍କଟ ସମୟରେ ଲୋକଙ୍କ ମଧ୍ୟରେ ଧୈର୍ଯ୍ୟ ଓ ବିଶ୍ବାସର ଆବଶ୍ୟକତା ରହିଛି । ମହାମାରୀ କୋରୋନାକୁ ମୁକାବିଲା କରିବା ପାଇଁ ସାରା ଭାରତରେ ଲୋକଙ୍କ ମଧ୍ୟରେ ଏକତା ରହିଛି ବୋଲି କହିଛନ୍ତି ।
ସାରା ବିଶ୍ବରେ ଦିନକୁ ଦିନ କାୟା ବିସ୍ତାର କରିଥିବା କୋରୋନା ଭାଇରସ ଭାରତରେ ମଧ୍ୟ ଲଗାତାର ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ 4421ଆକ୍ରାନ୍ତ ହୋଇଥିଲା ବେଳେ 114 ଜଣ ମୃତ୍ୟୁବରଣ କରିଛନ୍ତି । ବିଶ୍ବସ୍ତରରେ ଇଟାଲି, ଆମେରିକା, ସ୍ପେନ, ଫ୍ରାନ୍ସ ଦେଶରେ ମହାମାରୀ କୋରୋନାର କରାଳ ରୂପ ଦେଖିବାକୁ ମିଳିଛି ।