ନୂଆଦିଲ୍ଲୀ: ଜାମିଆରୁ ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି । ପ୍ରଥମ ଭିଡିଓର ପୋଲିସ ଛାତ୍ରଙ୍କ ଉପରେ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଥିବା ବେଳେ ଦ୍ବିତୀୟ ଭିଡିଓରେ କିଛି ଛାତ୍ର ଲାଇବ୍ରେରୀରେ ପଥର ଧରି ପ୍ରବେଶ କରୁଥିବାର ଦେଖିବାକୁ ମିଳିଛି । ଦ୍ବିତୀୟ ଭିଡିଓଟି ପୋଲିସ ଲାଠିଚାର୍ଜ କରୁଥିବା ପୂର୍ବର ବୋଲି କୁହାଯାଉଛି ।
ଛାତ୍ରମାନେ ପଥର ଧରି ଲାଇବ୍ରେରୀ ମଧ୍ୟରେ ପ୍ରବେଶ କରିବା ପରେ ଲାଇବ୍ରେରୀର କବାଟ ବନ୍ଦ କରିଦିଆଯାଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । କବାଟ ବନ୍ଦ କରିବାପରେ କମ୍ପ୍ୟୁଟର ଡେସ୍କକୁ କବାଟ ସାମ୍ନାରେ ଟାଣି ରଖାଯାଇଥିବାର ଦେଖିବାକୁ ମିଳିଛି । ଯେପରିକି କେହି ବି କବାଟ ଖୋଲି ପାରିବେ ନାହିଁ । ତେବେ କ୍ରାଇମବ୍ରାଞ୍ଚର ଏସଆଇଟି ଏହି ଫୁଟେଜର ଯାଞ୍ଚ କରୁଛି ।
ପ୍ରକାଶଥାଉକି, ଏହି ଭିଡିଓ ପୂର୍ବରୁ ଜାମିଆ ସମନ୍ବୟ କମିଟି ଏକ ଭିଡିଓ ଜାରି କରିଥିଲେ । ଯେଉଁଥିରେ ପୋଲିସ ସୁରକ୍ଷାକର୍ମୀ ଲାଇବ୍ରେରୀ ଭିତରେ ପଶି ଛାତ୍ରଙ୍କ ଉପରେ ଲାଠିଚାର୍ଜ କରିଥିଲେ । ଡିସେମ୍ବର 15ରେ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ସମୟରେ ଜାମିଆ ମଧ୍ୟରେ ପୋଲିସ ପଶି ଲାଠିଚାର୍ଜ କରିଥିବା କମିଟି ଦାବି କରୁଛି । ଭିଡିଓରେ ଛାତ୍ରଛାତ୍ରୀ ପାଠ ପଢୁଥିବା ସମୟରେ ପୋଲିସ ପଶିଥିବାର ଦେଖିବାକୁ ମିଳିଥିଲା ।