ଭାରତ ଷ୍ଟେଜ 6 (BS6) ଲାଗୁ କରିବା ପାଇଁ ଭାରତ ପ୍ରସ୍ତୁତ
ଦେଶରେ ଜନସଂଖ୍ୟା ବୃଦ୍ଧି ସହିତ ତାଳ ଦେଇ ଯାନବାହନ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତି ବର୍ଷ ଲକ୍ଷ ଲକ୍ଷ ନୂତନ ଯାନବାହନ ରାସ୍ତାରେ ଚଳାଚଳ କରୁଛି । ସେଗୁଡିକରୁ ନିର୍ଗତ କାର୍ବନ ବା ଅଙ୍ଗାରକ ଯୋଗୁଁ ପ୍ରଦୂଷଣର ମାତ୍ରା ବିପଜ୍ଜନକ ସ୍ତର ପର୍ଯ୍ୟନ୍ତ ବଢୁଛି । ବିଶ୍ବର ସବୁଠାରୁ ଅଧିକ ପ୍ରଦୂଷିତ ଦଶଟି ଯାକ ସହର ଭାରତରେ ଅବସ୍ଥିତ ହୋଇଥିବା ଘଟଣାରୁ ହିଁ ପରିସ୍ଥିତିର ଭୟାବହତା ପ୍ରକଟିତ ହେଉଛି । ଦେଶରେ ପ୍ରଦୂଷଣ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି, ପ୍ରଥମ ଥର ପାଇଁ 1991 ମସିହାରେ ପେଟ୍ରୋଲ ଏବଂ ଡିଜେଲ ଗାଡ଼ିରୁ କାର୍ବନ ନିର୍ଗମନର ସ୍ତର ଉପରେ କେତେକ କଟକଣା ଜାରି କରାଯାଇଥିଲା । ତା’ ପରଠାରୁ ବିଭିନ୍ନ ଯାନବାହନରୁ ପ୍ରଦୂଷଣ ହାର କମାଇବା ଲାଗି ଲିଡ୍-ଫ୍ରି ପେଟ୍ରୋଲ ବିକ୍ରି ଏବଂ ‘କାଟାଲିଟିକ୍ କନ୍ଭର୍ଟର’ର ବ୍ୟବହାର ଆରମ୍ଭ ହେଲା । 2002 ମସିହାରେ ଭାରତ ସରକାରଙ୍କ ଦ୍ବାରା ନିଯୁକ୍ତ ମାଶେଲକର କମିଟି ଯାନବାହନରୁ କାର୍ବନ ନିର୍ଗମନ ନିୟନ୍ତ୍ରଣ କରିବା ଲାଗି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।
ପୂର୍ବରୁ ୟୁରୋପୀୟ ସଂଘ କାର୍ବନ ନିର୍ଗମନ ନିୟନ୍ତ୍ରଣର ମାନ ନିର୍ଦ୍ଧାରଣ ସହିତ ସାରା ବିଶ୍ବରେ ଚଳାଚଳ କରୁଥିବା ଯାନବାହନର ପ୍ରଦୂଷଣ ନିୟନ୍ତ୍ରଣ କରିବା ସକାଶେ କେତେକ ନିୟମ ପ୍ରଚଳନ କରିସାରିଛି । ରିପୋର୍ଟ ପ୍ରସ୍ତୁତ କରିବା ଲାଗି କମିଟି ଏହି ସବୁ ମାପଦଣ୍ଡକୁ ଆଦର୍ଶ ରୂପେ ଗ୍ରହଣ କରିଥିଲେ । ମାଶଲେକର କମିଟି ରିପୋର୍ଟକୁ ଗ୍ରହଣ କରି, କେନ୍ଦ୍ର ସରକାର 2003 ମସିହାରେ ଜାତୀୟ ଯାନବାହନ ଇନ୍ଧନ ନୀତିଘୋଷଣା କରିଥିଲେ । ଏହାକୁ ‘ଭାରତ ଷ୍ଟେଜ୍’ ବୋଲି ନାମିତ କରାଗଲା ଏବଂ ଏହା ୟୁରୋପୀୟ ମାନଦଣ୍ଡ ସହିତ ସମାନ । କାର୍ବନ ନିର୍ଗମନ ସଂପର୍କିତ ନିୟମାବଳୀରେ ପରିବର୍ତ୍ତନ ଅନୁସାରେ, ପର୍ଯ୍ୟାୟ ଭିତ୍ତିରେ ଏହାର ପାହ୍ୟାବୃଦ୍ଧି କରାଯାଉଛି । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଯାନବାହନ ନିର୍ମାଣ ଶିଳ୍ପରେ ଏବଂ ପେଟ୍ରୋଲଜାତ ସାମଗ୍ରୀ ଉତ୍ପାଦନରେ ବୈପ୍ଳବିକ ପରିବର୍ତ୍ତନର ଧାରା ବଜାୟ ରହିଛି । ୟୁରୋ-2 ନିୟମାବଳୀ ଅନୁଯାୟୀ 2003ରେ ‘ଭାରତ ଷ୍ଟେଜ୍’ ପ୍ରଚଳନ ଆରମ୍ଭ କରାଯାଇଥିଲା ଏବଂ ତା’ପରଠାରୁ ଆଧୁନିକ ୟୁରୋପୀୟ ମାନଦଣ୍ଡ ଅନୁସାରେ ଏଥିରେ
ପରିବର୍ତ୍ତନ କରାଯାଉଛି ।
ଏପ୍ରିଲ 1ରୁ ‘ଭାରତ ଷ୍ଟେଜ୍ 6’ ପ୍ରଚଳିତ ହେବ । କାର୍ବନ ନିର୍ଗମନକୁ ନିୟନ୍ତ୍ରଣ କରିବା ଏବଂ ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ଯାନବାହନ ଇଞ୍ଜିନର ମାପଦଣ୍ଡ ନିର୍ଦ୍ଧାରଣ କରେ ଭାରତ ଷ୍ଟେଜ୍ । ‘ଭାରତ ଷ୍ଟେଜ୍ 6’
ଇଞ୍ଜିନ୍ଗୁଡ଼ିକ ପାଇଁ ଅଧିକ ମାତ୍ରାରେ ବିଶୋଧିତ ଇନ୍ଧନର ଆବଶ୍ୟକତା ଥିବାରୁ, ବିଭିନ୍ନ ତୈଳ ବିଶୋଧାନାଗାର ସେମାନଙ୍କ ଫ୍ୟାକ୍ଟରୀଗୁଡ଼ିକର ଆଧୁନିକୀକରଣ କରିସାରିଲେଣି । ଏହି ଆଧୁନିକୀକରଣ ପାଇଁ ଉଭୟ ସରକାରୀ ଓ ବେସରକାରୀ କମ୍ପାନିଗୁଡ଼ିକୁ 30,000 କୋଟିରୁ ଅଧିକ ଟଙ୍କା ବ୍ୟୟ କରିବାକୁ ପଡ଼ିଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ BS4 ଗାଡ଼ି ବିକ୍ରି ଓ ପଞ୍ଜୀକରଣର ସମୟ ସୀମା ମାର୍ଚ୍ଚ 31 ତାରିଖ ଦିନ ଅତିକ୍ରାନ୍ତ ହୋଇଯିବ । ଏପ୍ରିଲ 1ରୁ ଦେଶରେ କେବଳ BS6 ଗାଡ଼ି ବିକ୍ରି କରାଯିବ । ସମଗ୍ର ବଜାରରେ BS6 ଲାଗୁ କରିବା ପାଇଁ କେନ୍ଦ୍ର ସରକାର ସ୍ଥିର କରିଥିବା ବେଳେ ଇଲେକ୍ଟ୍ରିକ ଯାନ ବିକ୍ରି ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି । ଏଥିରେ ଯାନବାହନ ଶିଳ୍ପ ଜଗତରେ କିଛିଟା ସଂଶୟ ସୃଷ୍ଟି ହୋଇଥିଲା । ବଜାରରେ ଇଲେକ୍ଟ୍ରିକ୍ ଯାନବାହନର ପ୍ରବେଶ ଲାଗି ଏବେ ବି ପର୍ଯ୍ୟାପ୍ତ ସମୟ ରହିଛି । ଯଦିଓ 2030 ସୁଦ୍ଧା ଖୁବ୍ ଧୁମଧାମରେ ବଜାରକୁ ଇଲେକ୍ଟ୍ରିକ୍ ଗାଡ଼ି ଆଣିବା ଲାଗି କେନ୍ଦ୍ର ସରକାର ଯୋଜନା କରିଛନ୍ତି, ତଥାପି ଏଥିରେ ବିଳମ୍ବ ହେବାର ସମ୍ଭାବନା ରହିଛି ।
ବହୁବିଧ ସୁବିଧା
ଏପ୍ରିଲ 1ରୁ ଆଗକୁ ସାରା ଦେଶରେ BS6 ମାନଦଣ୍ଡ ଉପଯୋଗୀ ଇନ୍ଧନ ଉପଲବ୍ଧ ହେବ । ବୀମା ଓ ଟିକସ ବାବଦଦେୟ ବୃଦ୍ଧି ସହିତ ଯାନବାହନ ବିକ୍ରି କରିବା କଷ୍ଟକର ହୋଇପାରେ । ଦ୍ରବ୍ୟ ଓ ସେବା କର ବା GST ହ୍ରାସ କରିବା ଦ୍ବାରା ଗାଡ଼ି ବିକ୍ରି ବୃଦ୍ଧି ହୋଇପାରେ ଏବଂ କ୍ଷତିରେ ଚାଲୁଥିବା ଯାନବାହନ ଶିଳ୍ପର ଅବସ୍ଥା ସୁଧୁରିପାରେ । 2030 ସୁଦ୍ଧା ଭାରତ 10 ଟ୍ରିଲିଅନ୍ (ଲକ୍ଷ କୋଟି) ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ନୀତି ଆୟୋଗ ଆଶା କରୁଛି । ଯାନବାହନ ଶିଳ୍ପ କ୍ଷେତ୍ରରେ, 2025 ସୁଦ୍ଧା 150 ସିସିରୁ କମ୍ ଇଲେକ୍ଟ୍ରିକ୍ ଚାଳିତ ଦୁଇଚକିଆ ଗାଡ଼ି ଏବଂ 2023 ସୁଦ୍ଧା ତିନିଚକିଆ ଗାଡ଼ି ପ୍ରଚଳନ କରାଇବାକୁ ପ୍ରସ୍ତାବ ରହିଛି । ଇଲେକ୍ଟ୍ରିକ୍ ଚାଳିତ ଯାନବାହନ ପରିପ୍ରେକ୍ଷୀରେ BS6 ପ୍ରସଙ୍ଗ ଉପରେ ଆଲୋଚନା ଆରମ୍ଭ ହୋଇଛି । ଇଲେକ୍ଟ୍ରିକ୍ ଯାନବାହନ ବଜାରରେପ୍ରବେଶ କରିସାରିଛି । କିନ୍ତୁ, ଚାର୍ଜିଂ ପଏଣ୍ଟ ଏବଂ ‘ବ୍ୟାକ୍ ଅପ୍’ ବା ରକ୍ଷଣାବେକ୍ଷଣ କେନ୍ଦ୍ର ଉପଲବ୍ଧ ହୋଇ ନଥିବା କାରଣରୁ ସାଧାରଣ ଯାନବାହନ ତୁଳନାରେ ସେଗୁଡ଼ିକର ବିକ୍ରି କମ୍ ରହିଛି । ଫଳରେ, କେବଳ ସହର ଭିତରେ ଏବଂ ଅଳ୍ପ ଦୂର ପର୍ଯ୍ୟନ୍ତ ଚଳାଚଳ କରିବାରେ ଏହି ଗାଡ଼ିଗୁଡ଼ିକ ସୀମିତ ରହିଛି ।
ଏହି ଗାଡ଼ିରେ ଲିଥିଅମ୍-ଆୟନ ବ୍ୟାଟେରୀ ବ୍ୟବହୃତ ହୋଇଥାଏ । ଏହି ବ୍ୟାଟେରୀ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ କଞ୍ଚାମାଲ ଯୋଗାଣରେ ଅଭାବ ରହିଥିବାରୁ ଏଗୁଡ଼ିକର ଉତ୍ପାଦନ ସେତେଟା ଉତ୍ସାହଜନକ ହୋଇପାରିନାହିଁ । କେବଳ ଅଳ୍ପ କେତେକ ଦେଶରେ ହିଁ ଏହି ବ୍ୟାଟେରୀର କଞ୍ଚାମାଲ ଉପଲବ୍ଧ ହୋଇଥାଏ । ଏହି କାରଣରୁ ଏବଂ ଅନ୍ୟାନ୍ୟ ଅନେକ ପ୍ରତିବନ୍ଧକ ଯୋଗୁଁ ଅନ୍ୟୂନ 15 ବର୍ଷ ଯାଏଁ ଇଲେକ୍ଟ୍ରିକ୍ ଚାଳିତ ଯାନବାହନ ପାରମ୍ପରିକ ପେଟ୍ରୋଲ ଓ ଡିଜେଲ ଗାଡ଼ି ସହିତ ପ୍ରତିଯୋଗିତା କରିପାରିବ ନାହିଁ । ହେଲେ ଅଟୋମୋବାଇଲ ଶିଳ୍ପ ଏ କ୍ଷେତ୍ରରେ ଅଗ୍ରଗତିକରିପାରିବ ବୋଲି ବିଶେଷଜ୍ଞମାନେ ଆଶ୍ବାସନା ଦିଅନ୍ତି । ଭବିଷ୍ୟତରେ ବହୁସଂଖ୍ୟକ ବ୍ୟାଟେରୀ ଚାର୍ଜିଂ ଷ୍ଟେସନ୍ର ଆବଶ୍ୟକତା ଦୃଷ୍ଟିରୁ ଅନେକ କମ୍ପାନୀ ଇଲେକ୍ଟ୍ରିକ ଯାନବାହନ କ୍ଷେତ୍ରରେ ବିପୁଳ ପୁଞ୍ଜି ବିନିଯୋଗ ଲାଗି ଯୋଜନା କରୁଛନ୍ତି । ସାରା ବିଶ୍ବରେ ଫସିଲ୍ ଫୁଏଲ୍ ବା ଜୀବାଶ୍ମ ଇନ୍ଧନର ବ୍ୟବହାର କମିବାରେ ଲାଗିଛି । ପେଟ୍ରୋଲଜାତ ସାମଗ୍ରୀ କ୍ଷେତ୍ରରେ ସାଉଦି ଆରବ ଏବଂ ରୁଷ ମଧ୍ୟରେ ପ୍ରତିଯୋଗିତା ଯୋଗୁଁ ଏଗୁଡ଼ିକର ଦର ହ୍ରାସ ପାଇଛି । ଏହାର ପରିଣାମରେ, ପାରମ୍ପରିକ ଗାଡ଼ି ବ୍ୟବହାର ତୁଳନାତ୍ମକ ଭାବେ ଭଲ ବୋଲି ବିଚାର କରାଯାଉଛି । BS6 ମାନଦଣ୍ଡ ପ୍ରଚଳନ ଯୋଗୁଁ ଲିଡ୍, ସଲଫର, କାର୍ବନ ମନୋକ୍ସାଇଡ୍ ଏବଂ ନାଇଟ୍ରୋଜେନ୍ ଭଳି ପ୍ରଦୂଷଣକାରୀ ତତ୍ତ୍ବର ମାତ୍ରା କମ୍ ହେବ । ଏହି ସବୁ କାରଣକୁ ବିଚାର କଲେ BS6 ଉପଯୋଗ ଦ୍ବାରା ବିଭିନ୍ନ ଉପାୟରେ ଦେଶର ଫାଇଦା ହେବ । ଯାନବାହନର ଚଳାଚଳ ଯୋଗ୍ୟ ସମୟ ଅବଧିକୁ 15 ବର୍ଷରେ ସୀମିତ ରଖିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି । 15 ବର୍ଷ ଅତିକ୍ରାନ୍ତ ହେବା ପରେ ଏହି ଗାଡ଼ିଗୁଡ଼ିକୁ ରଦ୍ଦି ସାମଗ୍ରୀରେ ପରିଣତ କରି ବାହାର କରିଦିଆଯିବ । ଏଭଳି ଏକ ନିଷ୍ପତ୍ତି ନିଆଗଲେ ନୂଆ ଯାନବାହନ ବିକ୍ରି ପୁଣି ବଢ଼ିବାରେ ଲାଗିବ ।
ପରିବେଶ-ସ୍ବାସ୍ଥ୍ୟରକ୍ଷା
BS6 ଯାନବାହନ ଏବଂ ସେଗୁଡ଼ିକର ଇନ୍ଧନର ଦର ଅଧିକ ହେବ । ହେଲେ, ସାଧାରଣ ସ୍ବାସ୍ଥ୍ୟରକ୍ଷା ସହିତ ପରିବେଶର ସୁରକ୍ଷା ଦିଗରେ BS6ର ଅବଦାନ ବେଶ୍ ଅଧିକ ରହିବ । ପ୍ରକୃତରେ, BS4 ପରେ ପଞ୍ଚମ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯିବା ଉଚିତ ଥିଲା । କିନ୍ତୁ, ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ଭିତରେ ବେଶୀ କିଛି ଫରକ ନ ଥିବାରୁ ଏପ୍ରିଲ୍ 1ରୁ ସିଧାସଳଖ ଷଷ୍ଠ ପର୍ଯ୍ୟାୟ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ସ୍ଥିର କରିଛନ୍ତି । ସାଧାରଣ ଲୋକ ଏବଂ ଯାନବାହନ ଶିଳ୍ପ ପ୍ରତି ଏହା ଏକ ପ୍ରକାର ଲାଭଦାୟକ ହେବ । ଯଦି ପଞ୍ଚମ ପର୍ଯ୍ୟାୟ ଲାଗୁ କରାଯାଇଥାଆନ୍ତା, ତେବେ ପର୍ଯ୍ୟାୟକ୍ରମେ ଯାନବାହନ ଶିଳ୍ପର ଆଧୁନିକୀକରଣ ଲାଗି ଅତ୍ୟଧିକ ଖର୍ଚ୍ଚ କରିବାକୁ ପଡ଼ିଥାଆନ୍ତା । ଏବେ, ଅଧିକ ବିଶୋଧିତ ଇନ୍ଧନ ଯୋଗୁଁ ଗାଡ଼ିଗୁଡ଼ିକର ମାଇଲେଜ୍ ଭଲ ହେବ ଏବଂ ଯାନବାହନ ଜନିତ ପ୍ରଦୂଷଣର ହାର କମିବ । BS6 ମାପଦଣ୍ଡରେ ନିର୍ମିତ ଇଞ୍ଜିନ ଯୋଗୁଁ, ପେଟ୍ରୋଲଚାଳିତ ଗାଡ଼ିରେ 25 ପ୍ରତିଶତ ଏବଂ ଡିଜେଲ ଗାଡ଼ିରେ 68 ପ୍ରତିଶତ କାର୍ବନ ନିର୍ଗମନ କମିବ । ସାଧାରଣ ପରିବହନରେ ବ୍ୟବହୃତ ବହୁସଂଖ୍ୟକ ଡିଜେଲ ଗାଡ଼ି ସହିତ କ୍ୟାବ୍ ବା ଟ୍ୟାକ୍ସି ସେବାରେ ନୂଆ ଗାଡ଼ିଗୁଡ଼ିକର ବ୍ୟବହାର ଯୋଗୁଁ ପ୍ରଦୂଷଣ ହ୍ରାସ ପାଇବ । ମିଳିତ ଜାତିସଂଘର ଏକ ଅଧ୍ୟୟନ ଅନୁସାରେ, ବିଶ୍ବରେ ପ୍ରତି 10 ଜଣରେ ନଅ ଜଣ ପ୍ରଦୂଷିତ ବାୟୁରେ ଜୀବନ ଧାରଣ କରନ୍ତି । ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଦୂଷଣକାରୀ ଗ୍ୟାସ୍ର ଗଭୀର ପ୍ରଭାବ ପଡୁଛି । ଭାରତରେ ପ୍ରଦୂଷଣ ଯୋଗୁଁ ପ୍ରତି ବର୍ଷ ପାଞ୍ଚ ବର୍ଷରୁ କମ୍ ବୟସର ପାଖାପାଖି ଏକ ଲକ୍ଷ ଶିଶୁ ପ୍ରାଣ ହରାଉଛନ୍ତି । ପ୍ରଦୂଷଣ ଯୋଗୁଁ ଶ୍ବାସ, ହୃଦ୍ରୋଗ ଏବଂ ଶ୍ବାସକ୍ରିୟା ସମ୍ବନ୍ଧିତ ରୋଗ ହୁଏ । ଯାନବାହନର ପ୍ରଦୂଷଣ କମିଲେ ଏହି ସବୁ ରୋଗର ପ୍ରାଦୁର୍ଭାବ ବି କମ୍ ହେବ । ବର୍ତ୍ତମାନ ଚାଲିଥିବା BS4 ଯାନବାହନରୁ 50 ppm ପର୍ଯ୍ୟନ୍ତ ସଲ୍ଫର ନିର୍ଗମନ ହେଉଛି । BS6 ଯାନବାହନରେ ଏହା 10 ପ୍ରତିଶତକୁ ହ୍ରାସ ପାଇବ । BS6 ମାପଦଣ୍ଡ, ୟୁରୋପୀୟ ଦେଶ ସମୂହରେ କାର୍ଯ୍ୟକାରୀ ହୋଇଥିବା ୟୁରୋ6 ମାପଦଣ୍ଡ ପାଳନ କରୁଛି । ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ବି ୟୁରୋ6 ମାପଦଣ୍ଡ ଅନୁସରଣ କରନ୍ତି । BS6 ଯାନବାହନ ଚାଲିଲେ ଆଧୁନିକ ଗାଡ଼ି ଓ ବିଶୋଧିତ ଇନ୍ଧନ ବ୍ୟବହାରକାରୀ ରୂପେ ଆମେ ପରିଚିତ ହେବୁ । ବର୍ତ୍ତମାନ ଚାଲିଥିବା ପୁରୁଣା ଗାଡ଼ିଗୁଡ଼ିକ ପାଇଁ ବି ନୂତନ ଇନ୍ଧନ ସୁବିଧାଜନକ ହେବେ ଏବଂ ପରିବେଶ ସୁରକ୍ଷା ଦିଗରେ ସହାୟତା କରିବ । ଏବେ ଆମେ ଫସିଲ୍ ଫୁଏଲ୍ ଆମଦାନି ଉପରେ ଅତି ମାତ୍ରାରେ ନିର୍ଭର କରୁଛୁ । ଏହି ନୂଆ ପଦ୍ଧତିରେ ଅଧିକ ମାଇଲେଜ୍ ମିଳୁଥିବାରୁ ଇନ୍ଧନ ବ୍ୟବହାର ବି ହ୍ରାସ ପାଇବ । ଫଳରେ ତୈଳ ଆମଦାନୀ କମିବ ଏବଂ ସେହି କାରଣରୁ ବିଦେଶୀ ମୁଦ୍ରା ବଞ୍ଚିବ ।
ବହୁ ସଂକଟର ସମ୍ମୁଖୀନ ହୋଇଛୁ !
ବେଶ୍ କିଛି ଦିନ ହେଲା ଆମ ଦେଶର ଯାନବାହନ ଶିଳ୍ପ ସଂକଟ ଭିତରେ ଗତି କରୁଛି । ନିକଟ ଅତୀତରେ BS6 ପ୍ରବର୍ତ୍ତନ ଯୋଗୁଁ ଏହି ଶିଳ୍ପ ଉପରେ ଭାରୀ ବୋଝ ପଡ଼ିଛି । ହେଲେ ପରିବେଶ ବିଶେଷଜ୍ଞମାନଙ୍କର ଯୁକ୍ତି ଅନୁସାରେ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟରକ୍ଷା ଦୃଷ୍ଟିରୁ ଏହି ପରିବର୍ତ୍ତନ ଅପରିହାର୍ଯ୍ୟ । ନୂଆ ପଦ୍ଧତି ପ୍ରଚଳିତ ହେବା ପରେ ଗାଡ଼ିଗୁଡ଼ିକର ମୂଲ୍ୟବୃଦ୍ଧି ହୋଇଛି । ଏପ୍ରିଲ 1ରୁ କେବଳ BS6 ମାପଦଣ୍ଡ ଅନୁସାରେ ନିର୍ମିତ ଇଞ୍ଜିନ୍ର ପଞ୍ଜୀକରଣ ହେବ। ଏହା ସହିତ ଲକ୍ଷ ଲକ୍ଷ BS4 ଯାନବାହନ ବଜାରରେ ରହିଯିବ । ଏଗୁଡ଼ିକ ରଦ୍ଦି ସାମଗ୍ରୀ ରୂପେ ବିବେଚିତ ହେବ ବୋଲି ସରକାରୀ ଅଧିକାରୀମାନେ ସ୍ପଷ୍ଟ କରିଦେଇଛନ୍ତି । ନିର୍ଦ୍ଧାରିତ ସମୟସୀମା ପାଖେଇ ଆସୁଥିବା ବେଳେ BS4 ଗାଡ଼ି କିଣିବା ଲାଗି ବହୁ ଲୋକ ଆଗ୍ରହ ପ୍ରକାଶ କରୁନାହାନ୍ତି । ମାଲ ପରିବହନ କ୍ଷେତ୍ରରେ ସଂଖ୍ୟାଧିକ ଟ୍ରକ୍ ବ୍ୟବହୃତ ହୁଏ । BS6 ଗାଡ଼ି କିଣିବା ଆଶାରେ ବହୁ ମାଲିକ ନୂଆ ଟ୍ରକ୍ କିଣିବା ଯୋଜନା ସ୍ଥଗିତ ରଖିଛନ୍ତି । ଏଣୁ, ବହୁ ଆନୁସଙ୍ଗିକ ବ୍ୟବସାୟ ବି ମାନ୍ଦା ପଡ଼ିଯାଇଛି । BS6 ମାପଦଣ୍ଡରେ ଦୁଇଚକିଆ ଗାଡ଼ି ଏବଂ ଯାତ୍ରୀବାହୀ କାର୍ ବଜାରକୁ ଆସିସାରିଛି । ଗତ ଏକ ବର୍ଷ ହେଲା ଯାନବାହନ ଶିଳ୍ପର ଆଧୁନିକୀକରଣ କରାଯାଉଛି । ହେଲେ, ଗ୍ରାହକମାନେ ଏବେ ବି BS6 ସଂପର୍କରେ ଭଲ ଭାବରେବୁଝି ନାହାନ୍ତି । ପରିବେଶବିତ୍ମାନଙ୍କ ମତରେ, BS6 ମାପଦଣ୍ଡରେ ନିର୍ମିତ ଯାନବାହନର ଫାଇଦା ସଂପର୍କରେଲୋକଙ୍କୁ ଅବଗତ କରାଇବା ଦିଗରେ ଯଦି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମନ୍ବିତ ଭାବରେ ପ୍ରଚାର ଅଭିଯାନଚଳାଇ ଥାଆନ୍ତେ, ତେବେ ବର୍ତ୍ତମାନ ସୁଦ୍ଧା ନୂଆ ଯାନବାହନ ସଂପର୍କରେ ଗ୍ରାହକମାନେ ବେଶ୍ ଭଲ ଭାବରେ ବୁଝି ପାରିଥାଆନ୍ତେ ।