କୋଲକାତା: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବାମୀ ବିବେକାନନ୍ଦଙ୍କ 157 ତମ ଜନ୍ମ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ବେଲୁର ମଠ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶର ଯୁବପିଢିଙ୍କୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବେଲୁର ମଠ ସମ ପବିତ୍ର ଭୂମିରେ ପାଦ ପକାଇବା ତୀର୍ଥଯାତ୍ରା ଠାରୁ କୌଣସି ଭାବରେ କମ ନୁହେଁ ବୋଲି କହିଛନ୍ତି । ଏହାସହ ଏହି ସ୍ଥାନକୁ ଆଗମନ କରିବା ତାଙ୍କ ପାଇଁ ସର୍ବଦା ନିଜ ଗୃହକୁ ଆସିବା ଭଳି ବୋଲି କହିଛନ୍ତି ମୋଦି ।
ଏହି ସଭାରେ ସମ୍ବୋଧନ କରି ପିଏମ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ପୁନର୍ବାର ପିଏମ ସ୍ପଷ୍ଟ କରିଛନ୍ତି ଯେ, ନାଗରିକତା ଆଇନକୁ ନେଇ ଦେଶବାସୀଙ୍କୁ କୌଣସି ପ୍ରକାର ବିପଦ ନାହିଁ । ଏହାକୁ ନେଇ ବିଭ୍ରାନ୍ତିକର ସୂଚନା ପ୍ରଚାର କରାଯାଉଛି । ଏହା ନାଗରିକତା ନେବା ଆଇନ ନୁହେଁ, ନାଗରିକତା ଦେବା ଆଇନ ବୋଲି କହିଛନ୍ତି ପିଏମ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସିଟିଜେନସିପ୍ ଆକ୍ଟ, ନାଗରିକତା ଛଡାଇବା ପାଇଁ ନୁହେଁ, ନାଗରିକତା ପ୍ରଦାନ କରିବା ଆଇନ ଅଟେ । ନାଗରିକତା ସଂଶୋଧନ ଆଇନ ସେହି ଆଇନରେ କେବଳ ଏକ ସଂଶୋଧନ ମାତ୍ର । ଏତେ ସ୍ପଷ୍ଟ ଓ ପ୍ରାଞ୍ଜଳ ଭାବରେ ଏହି ଆଇନ ଅଟେ, ମାତ୍ର କିଛି ଲୋକ ଏହି ଆଇନକୁ ନେଇ ଭ୍ରମାତ୍ମକ ତଥ୍ୟ ଖେଳାଉଛନ୍ତି ।
ଏହାସହ ପିଏମ ମୋଦି ଆହୁରି କହିଛନ୍ତି, ଆଜିର ଯୁବକ ଲୋକଙ୍କ ମନର ଭ୍ରମ ଦୂର କରୁଛନ୍ତି, ଯାହା ତାଙ୍କୁ ଖୁସି ଦେଉଛି । ପାକିସ୍ତାନରେ ଯେଉଁଭଳି ଭାବରେ ଅନ୍ୟ ଧର୍ମର ଲୋକେ ନିର୍ଯ୍ୟାତନାର ଶିକାର ହେଉଛନ୍ତି, ତାହାକୁ ନେଇ ସାରା ଦୁନିଆରେ ଭାରତୀୟ ଯୁବକ ମାନେ ସ୍ବର ଉତ୍ତୋଳନ କରୁଛନ୍ତି ।
ବିରୋଧୀଙ୍କ ଉପରେ ଟାର୍ଗେଟ କରି ବର୍ଷିଛନ୍ତି ମୋଦି । ରାଜନୀତିରେ ଲୋକେ ବୁଝାସୁଝା ହୋଇଥିଲେ ବି ଏହି ଆଇନକୁ ବୁଝିବାକୁ ଚାହୁଁନାହାଁନ୍ତି । ଏହାସହ ସେ ଆହୁରି କହିଛନ୍ତି ଯେ, ଏହି ଆଇନ ରାତାରାତି ଆସିନି, ଅନେକ ବିଚାରବିମର୍ଷ ଓ ଚର୍ଚ୍ଚା ପରେ ଏହାକୁ ଅଣାଯାଇଛି । ମାତ୍ର କିଛି ରାଜନୈତିକ ଦଳ ଏହାକୁ ଜାଣିଶୁଣି ବୁଝିବା ପାଇଁ ଚାହୁଁନାହାଁନ୍ତି ।
ସଭାରେ ସମ୍ଭୋଧନ କରି ମୋଦି ଉତ୍ତରଭାରତ ରାଜ୍ୟମାନଙ୍କୁ ନେଇ ପ୍ରଧାନମନ୍ତ୍ରୀ ସ୍ଥିତି ସ୍ପଷ୍ଟ କରିଛନ୍ତି । ଉତ୍ତର ଭାରତ ଆମର ଗର୍ବ, ଏହାର ସଂସ୍କୃତି, ରୀତି-ନୀତି, ଜନସଂଖ୍ୟା ଉପରେ ଏହି ଆଇନ କୌଣସି ବିପରୀତ ପ୍ରଭାବ ନପଡିବା କେନ୍ଦ୍ର ସରକାର ଧ୍ୟାନ ରଖିଛନ୍ତି । ଏତେ ସବୁ ସ୍ବଚ୍ଛତା ଓ ସ୍ପଷ୍ଟତା ପରେ ମଧ୍ୟ କିଛି ଲୋକ ନିଜ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଏହାକୁ ବିରୋଧ କରୁଥିବା କହିଛନ୍ତି ମୋଦି ।
ଏଠାରେ ଉଲ୍ଲୋଖଯୋଗ୍ୟ ଯେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବାମୀ ବିବେକାନନ୍ଦଙ୍କ 157 ତମ ଜନ୍ମ ଜୟନ୍ତୀଙ୍କୁ ସାରା ରବିବାର ସକାଳେ କୋଲକାତା ସ୍ଥିତ ଐତିହାସିକ ବେଲୁର ମଠରର ରାମକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହାସହ ମଠରେ ସାଧୁ ସନ୍ଥଙ୍କ ସହ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ । ରାମକୃଷ୍ଣ ପରମହଂସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପିଏମ ।