ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ମାମଲା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯାଇଛି । ନ୍ୟାସନାଲ କନଫରେନ୍ସ ପାର୍ଟିର ନେତା ମହମ୍ମଦ ଆକବର ଲୋନ ଓ ହସନାନ ମାସୁଦି ସର୍ବୋଚ୍ଚ ନ୍ୟାୟାଳୟରେ ଯାଚିକା ଦାଏର କରି ରାଷ୍ଟ୍ରପତିଙ୍କ ଆଦେଶକୁ ଅସାମ୍ବିଧାନିକ ଘୋଷଣା କରିବାକୁ ଆବେଦନ କରିଛନ୍ତି । ଏହା ସହିତ ଜମ୍ମୁ କାଶ୍ମୀର ପୁର୍ନଗଠନ ବିଲ୍କୁ ପାରିତ କରିବାର କେନ୍ଦ୍ର ସରକାରଙ୍କ ପ୍ରକ୍ରିୟା ମଧ୍ୟ ଅସାମ୍ବିଧାନିକ ବୋଲି ପାର୍ଟି କହିଛି ।
ରାଜ୍ୟର ନାଗରିକଙ୍କ ବିନା ସମ୍ମତିରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଏହି ଆଦେଶ ଏବଂ ବିଲ୍ ସମ୍ବିଧାନର ଅନୁଚ୍ଛେଦ 14 ଏବଂ 21ରେ ଥିବା ଅଧିକାରର ଉଲଙ୍ଘନ କରୁଥିବା ଦାଏର ହୋଇଥିବା ଯାଚିକାରେ ଦର୍ଶାଯାଇଛି । ମହମ୍ମଦ ଆକବର ଲୋନ ଓ ହସନାନ ମାସୁଦି ଲୋକସଭାରେ ନ୍ୟାସନାଲ କନଫରେନ୍ସର ସାଂସଦ ଅଛନ୍ତି । ଏହା ପୂର୍ବରୁ ଲୋନ ଜମ୍ମୁ ଓ କଶ୍ମୀର ବିଧାନସଭାର ବାଚସ୍ପତି ଥିଲେ । ସେହିପରି ମାସୁଦି ଜମ୍ମୁ କଶ୍ମୀର ହାଇକୋର୍ଟର ପୂର୍ବତନ ବିଚାରପତି ଭାବରେ କାର୍ଯ୍ୟ କରିସାରିଛନ୍ତି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଗତ ୫ ତାରିଖରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ରାଜ୍ୟସଭାରେ ସଂକଳ୍ପ ଆଗତ କରିଥିଲେ । ଏହି ସହିତ ଜମ୍ମୁ କାଶ୍ମୀର ପୁର୍ନଗଠନ ବିଲ ମଧ୍ୟ ଉଭୟ ଗୃହରେ ପାରିତ ହୋଇସାରିଛି । ବର୍ତ୍ତମାନ ଜମ୍ମୁ କାଶ୍ମୀର ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଯଥା- ଜମ୍ମୁ କାଶ୍ମୀର ଏବଂ ଲଦାଖ ଭାବେ ବିଧିବଦ୍ଧ ଘୋଷିତ ହୋଇଛି ।