ହାଇଦ୍ରାବାଦ: ‘ଯେମିତି ଖାଦ୍ୟ, ସେମିତି ସ୍ୱାସ୍ଥ୍ୟ’,‘ଆପଣ କମ ଖାଆନ୍ତୁ ନାହିଁ , କିନ୍ତୁ ଠିକ୍ ଖାଆନ୍ତୁ’। ଖାଦ୍ୟ ବାବଦରେ ଏଭଳି କିଛି ଲୋକପ୍ରିୟ ଉକ୍ତି ରହିଛି । ଗୋଟିଏ ସୁସ୍ଥ ଶରୀର ଓ ମନ ପାଇଁ ଯେ ପୋଷଣ କେତେ ଦରକାର, ତାହା ଏସବୁ ଉକ୍ତି ମନେ ପକାଇଦିଏ । ନିୟମିତ ଖାଦ୍ୟରେ ପୋଷଣ ରହିଲେ ବିଭିନ୍ନ ଉତ୍କଟ ରୋଗର ପ୍ରତିରୋଧ, ନିୟନ୍ତ୍ରଣ ଓ ଚିକିତ୍ସା କରିବାରେ ଏହା ସହାୟକ ହୁଏ । ଏହାଛଡା ଦୈନନ୍ଦିନ ମେଟାବଲିକ୍ କାର୍ଯ୍ୟକଳାପ ବୃଦ୍ଧି କରିଥାଏ ପୋଷଣ ।
ସର୍ବୋତ୍ତମ ଖାଦ୍ୟ ପସନ୍ଦ ଓ ଜୀବନଶୈଳୀ ପରିବର୍ତନ ସଂପର୍କରେ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖରୁ ୭ ତାରିଖ ଯାଏଁ ପାଳନ କରାଯାଏ ‘ଜାତୀୟ ପୋଷଣ ସପ୍ତାହ’। ପ୍ରତିବର୍ଷ ପୋଷଣ ସପ୍ତାହର ଭିନ୍ନ ଭିନ୍ନ ଥିମ୍ ରହିଥାଏ । ଏ ବର୍ଷ ଆମଦେଶର ସରକାର ପୋଷଣ ସପ୍ତାହକୁ ରାଷ୍ଟ୍ରୀୟ ପୋଷଣ ମାହ ୨୦୨୦ ଭାବେ ପାଳନ କରିବାକୁ ନିଷ୍ପତି ନେଇଛନ୍ତି ।
ସେପ୍ଟେମ୍ବର ପହିଲାରୁ ପାଳନ କରାଯିବ ପୋଷଣ ମାହ । ଏଥିପାଇଁ ଦୁଇ ବଡ ଅଭିଯାନ ଆରମ୍ଭ କରାଯିବ । ତାହା ହେଲା-
୧ . ସିଭିୟର ଆକ୍ୟୁଟ ମାଲନ୍ୟୁଟ୍ରିସନ ବା ଗମ୍ଭୀର ତୀବ୍ର କୁପୋଷଣରେ ପୀଡିତ ଶିଶୁଙ୍କ ଚିହ୍ନଟ
୨. ‘ପୋଷଣ ପାଇଁ ଚାରା’ ଅଭିଯାନ କାର୍ଯ୍ୟକ୍ରମ ଅନୁସାରେ କିଚେନ ଗାର୍ଡେନକୁ ପ୍ରୋତ୍ସାହିତ କରିବା ପାଇଁ ଚାରାରୋପଣ କରାଯିବ ।
ସାମଗ୍ରିକ ପୋଷଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ବ୍ୟାପକ ପୋଷଣ ଅଭିଯାନ ହେଉଛି ଏକ ବହୁମନ୍ତ୍ରିସ୍ତରୀୟ ଅଭିଯାନ । ୨୦୨୨ ସୁଦ୍ଧା ଦେଶର ପୋଷଣ ସମସ୍ୟାର ସମାଧାନ ଏହି ଅଭିଯାନ ଅନ୍ତର୍ଗତ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୨୦୧୮ ମସିହା ମାର୍ଚ୍ଚରେ ରାଜସ୍ଥାନ ଝୁନଝୁନୁରୁ ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନର ଶୁଭାରମ୍ଭ କରିଥିଲେ । ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ଅନୁସାରେ ରାଷ୍ଟ୍ରୀୟ ପୋଷଣ ମାହ ୨୦୨୦ର ଲକ୍ଷ୍ୟ ହେଉଛି ୬ ବର୍ଷ ବୟସ୍କ ଶିଶୁ, କିଶୋରୀ ବାଳିକା, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପୋଷଣ ସ୍ଥିତିର ବିକାଶ । ଦେଶର ପ୍ରତ୍ୟେକ କୋଣେ ଅନୁକୋଣେ ପୋଷଣ ଖାଦ୍ୟର ମହତ୍ତ୍ବର ବାର୍ତ୍ତା ପହଞ୍ଚାଇବା ହେଉଛି ପୋଷଣ ମାହର ଉଦ୍ଦେଶ୍ୟ । କଂପ୍ଲିମେଂଟାରୀ ଖାଦ୍ୟ,ଚିକିତ୍ସା ଓ ସଂକ୍ରମଣରୁ ଶିଶୁଙ୍କ ସୁରକ୍ଷା ନେଇ ବି ପୋଷଣ ମାସରେ ଫୋକସ୍ କରାଯିବ । ଶିଶୁଙ୍କୁ ୬ ମାସ ଯାଏଁ ସ୍ତନ୍ୟପାନ ପାଇଁ ମାଆମାନଙ୍କୁ ପ୍ରୋତ୍ସାହନ ଉପରେ ବି ଫୋକସ୍ ରହିଯିବ । ପୋଷଣ ମାସରେ ‘କିଚେନ ନ୍ୟୁଟ୍ରି ଗାର୍ଡେନ’ ପାଇଁ ଚାରା ରୋପଣ ଉପରେ ବି ଫୋକସ କରାଯିବ । ଲୋକଙ୍କୁ ପୋଷଣଯୁକ୍ତ ପନିପରିବା ଓ ଫଳ ଲଗାଇବା ପାଇଁ ପ୍ରୋତ୍ସାହିତ କରାଯିବ ।
ଫଳ ଓ ପନିପରିବା ମାଇକ୍ରୋ ନ୍ୟୁଟ୍ରିଏସନର ଭଲ ଉତ୍ସ । ଭଲ ସ୍ୱାସ୍ଥ୍ୟ, ପୋଷଣ ପାଇଁ ଏସବୁ ପନିପରିବା ଓ ଫଳ ନିୟମିତ ଖାଇବା ଜରୁରୀ । ଉଦାହରଣ ସ୍ୱରୂପ, ଲୌହସାର ସମୃଦ୍ଧ ପନିପରିବା ଓ ଫଳ ଖାଇଲେ ଏହା ଆନାମିଆ ହ୍ରାସ କରିଥାଏ । ସ୍ଥାନୀୟ ଅଞ୍ଚଳରେ ଉତ୍ପାଦନ ହେଉଥିବା ସାଇଟ୍ରସ ଫଳ, ହଳଦୀ, ଅଦା ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ବିଭିନ୍ନ ରୋଗ ସଂକ୍ରମଣରୁ ସୁରକ୍ଷା ଦେଇଥାଏ । ଭାରତର ଅଧିକାଂଶ ଅଂଚଳରେ ପନିପରିବା ଓ ଫଳ ଉତ୍ପାଦନ ପାଇଁ ସେପ୍ଟେମ୍ବର ମାସ ଉପଯୁକ୍ତ ହୋଇଥାଏ । ତେଣୁ ପୋଷଣ ପାଇଁ ଚାରା ଅଭିଯାନ ଦ୍ୱାରା ତୃଣମୂଳ ସ୍ତରରେ ପନିପରିବା ଓ ଫଳ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖାଯାଇଛି ।
ଶିଶୁଙ୍କ ମଧ୍ୟରେ କୁପୋଷଣ ଦୂର କରିବା ପାଇଁ ଆମ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡିବ । ମିଳିମିଶି କାମ କରିବାକୁ ହେବ । ଏଥିପାଇଁ ପୋଷଣ ଯୁକ୍ତ ଚାରା ରୋପଣ ଅଭିଯାନକୁ ଆଗକୁ ନେବାକୁ ହେବ । ଜାତୀୟ ପୋଷଣ ସପ୍ତାହ ସାରାଦେଶରେ ବିଭିନ୍ନ ପ୍ଲାଟଫର୍ମରେ ପାଳନ କରାଯିବ। ଇମିଟିଂ, ୱେବିନାର, ପ୍ରତିଯୋଗିତା,ଚାରାରୋପଣ ଅଭିଯାନର ଫଟୋଗ୍ରାଫ ଜରିଆରେ ଜାତୀୟ ପୋଷଣ ସପ୍ତାହ ପାଳନ କରାଯିବ ।
ଦୀପ୍ତି ବର୍ମା (ପ୍ରୋଗ୍ରାମ ହେଡ୍, ନ୍ୟୁ୍ଟ୍ରିସନ, ଭିଏଲସିସି ହେଲଥକେୟାର ଲିମିଟେଡ, ସ୍କିଲ ଡେଭଲେପମେଣ୍ଟ)