ଲକ୍ଷ୍ନୌ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଘନଉଛି କି ଯୁଦ୍ଧ ଆଶଙ୍କା ? ବିଜେପିର ଜଣେ ନେତାଙ୍କ ଏପରି କିଛି ବୟାନ ସାମ୍ନାକୁ ଆସିଛି, ଯାହାକୁ ନେଇ ଉଠିବାରେ ଲାଗିଛି ଏପରି ପ୍ରଶ୍ନ । ଗୋଟିଏ ପକ୍ଷେ ଲଦାଖରେ ଚୀନ ସହ ଉତ୍ତେଜନା ଲାଗି ରହିଥିବା ବେଳେ ଅନ୍ୟପକ୍ଷେ ଆତଙ୍କବାଦକୁ ନେଇ ଚିନ୍ତାର କାରଣ ପାଲଟିଛି ପାକିସ୍ତାନ । ଏହି ମଧ୍ୟରେ ଯୁଦ୍ଧ ସ୍ଥିତିକୁ ନେଇ ବଡ ବୟାନ ଦେଇଛନ୍ତି ଉତ୍ତରପ୍ରଦେଶ ବିଜେପି ରାଜ୍ୟ ସଭାପତି ସ୍ବତନ୍ତ୍ର ଦେବ ସିଂହ ।
ପାକିସ୍ତାନ ଓ ଚୀନ ସହ କେବେ ଯୁଦ୍ଧ ହେବା ତାହା ପ୍ରଧାନମନ୍ତ୍ରୀ ମୋଦି ସ୍ଥିର କରିସାରିଥିବା ସ୍ବତନ୍ତ୍ର ଦେବ ସିଂହ ନିଜ ବୟାନରେ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ତଥା ସମ୍ବିଧାନର ଧାରା 370 ଉଚ୍ଛେଦ ସହ ନିଜର ଏହି ଦାବିକୁ ଯୋଡି ବୟାନ ଦେଇଛନ୍ତି ସ୍ବତନ୍ତ୍ର ।
ସମାଚାର ଏଜେନ୍ସି ପିଟିଆଇ ଅନୁଯାୟୀ ସ୍ବତନ୍ତ୍ର ଦେବ ସିଂ କହିଛନ୍ତି ଯେ ରାମ ମନ୍ଦିର ଏବଂ ଧାରା 370 ଭଳି ପାକିସ୍ତାନ ଓ ଚୀନ ସହ କେତେବେଳେ ଯୁଦ୍ଧକୁ କରିବେ ସେନେଇ ପ୍ରଧାନମନ୍ତ୍ରୀ ମୋଦି ନିଷ୍ପତ୍ତି ନେଇସାରିଛନ୍ତି। ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓରେ ସ୍ବତନ୍ତ୍ର ଦେବ ଏହା କହୁଥିବାର ଶୁଣିବାକୁ ମିଳୁଛି।
ବାଲିଆରେ ବିଜେପି ବିଧାୟକ ସଞ୍ଜୟ ଯାଦବଙ୍କ ଘରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ବତନ୍ତ ଦେବ ସିଂ ଭାଷଣ ଦେଇଥିଲେ। ସ୍ବତନ୍ତ୍ର ନିଜ ସମ୍ବୋଧନରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର କର୍ମୀଙ୍କୁ ଆତଙ୍କବାଦୀଙ୍କ ସହ ତୁଳନା କରିଥିବା ଜଣାପଡିଛି ।
ଅନ୍ୟପକ୍ଷେ ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଚୀନ ସହ ସୀମା ବିବାଦ ଦୂର କରିବାକୁ ଚାହୁଁଛି। ଏହାସହ କାହାକୁ ସୀମାରେ ଏକ ଇଞ୍ଚ ମଧ୍ୟ ଜମି ଛଡ଼େଇ ନେବାକୁ ଦେବେ ନାହିଁ ବୋଲି ପ୍ରତିକ୍ରିୟା ଦେଇଥିଲେ ରାଜନାଥ ।