ବେଙ୍ଗାଲୁରୁ: କ୍ୟାନ୍ସର ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ ଦେଉଥିବା ଲୋକପ୍ରିୟ ଆୟୁର୍ବେଦିକ ଡାକ୍ତର ନାରାୟଣମୂର୍ତ୍ତିଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା । ହୃତଘାତରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାପଡିଛି ।
କର୍ଣ୍ଣାଟକ ସଗରାତାଲୁକର ନରସୀପୁରବାସୀ ନାରାୟଣମୂର୍ତ୍ତି କ୍ୟାନସର ସମେତ ବିଭିନ୍ନ ରୋଗର ଉପଚାର ଆୟୁର୍ବେଦିକ ଔଷଧ ଦ୍ବାରା କରୁଥିଲେ । ସେ ଗତ 30 ବର୍ଷରୁ ମେଡିସିନ ଅଭ୍ୟାସ କରୁଥିଲେ । ତେବେ ତାଙ୍କ ଗ୍ରାମ ଶିକାରୀପୁର ହୋଇଥିଲେ ବି ସେ ନରସୀପୁରରେ ରହୁଥିଲେ ।
କ୍ୟାନ୍ସର ପୂର୍ବରୁ ସେ କିଡନୀ ଷ୍ଟୋନ ଭଳି ଅନେକ ରୋଗର ଉପଚାର ପାଇଁ ଆୟୁର୍ବେଦିକ ଔଷଧ ଦେଉଥିଲେ । ଏହାପରେ ସେ ସମସ୍ତ ପ୍ରକାରର କ୍ୟାନ୍ସର ପାଇଁ ଚିକିତ୍ସା କରିବା ଆରମ୍ଭ କରିଥିଲେ । ତେବେ ତାଙ୍କର ଏହି ଔଷଧ ଏବେ ଖୁବ ଲୋକପ୍ରିୟ ହୋଇଛି । ଯେଉଁ କ୍ୟାନ୍ସର ରୋଗୀଙ୍କୁ ଡାକ୍ତର ବି ଚିକିତ୍ସା କରିବାକୁ ଡରୁଥିଲେ, ନାରାୟଣମୂର୍ତ୍ତି ସେମାନଙ୍କ ଚିକିତ୍ସା ପାଇଁ ଆଗେଇ ଆସୁଥିଲେ । ତେବେ 3 ମାସ ପୂର୍ବରୁ କୋରୋନା ଯୋଗୁଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ଆୟୁର୍ବେଦିକ ଉପଚାର ନକରିବା ପାଇଁ କହିଥିଲେ । କିଛି ଦିନ ପୂର୍ବରୁ ସେ କର୍ଣ୍ଣାଟକ ମନ୍ତ୍ରୀ କେଏସ ଇଶ୍ବରପ୍ପାଙ୍କୁ ଭେଟି ମେଡିସିନ ବଣ୍ଟନ ପାଇଁ ଅନୁମତି ମାଗିଥିଲେ ।