ଏମ.ସି ରାଜନ , ବ୍ୟୁରୋ ଚିଫ, ଇଟିଭି ଭାରତ, ଚେନ୍ନାଇ
ଏ ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ପ୍ରଥମଥର ପାଇଁ ରାଜ୍ୟ ରାଜନୀତିର ଦୁଇ ବେଶ ଲୋକପ୍ରିୟ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁପସ୍ଥିତିରେ ହେବାକୁ ଯାଉଛି । ଅତୀତରେ କଂଗ୍ରେସର କେ. କାମରାଜ ଓ ଡିଏମକେର ସି.ଏନ ଆନ୍ନାଦୁରାଇଙ୍କ ଭଳି ଷ୍ଟଲୱର୍ଟ ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିଲେ ।
ପରେ ମୁଥୁଭେଲ କରୁଣାନିଧି ଓ ଏମ.ଜି ରାମଚନ୍ଦ୍ରନଙ୍କ ବା ଏମଜିଆର ଏବଂ ଜୟଲଳିତାଙ୍କ ଭଳି ଷ୍ଟଲୱର୍ଟ ତାମିଲନାଡୁ ରାଜନୀତିରେ ନିଜର ଛାପ ଛାଡିଥିଲେ । ତେବେ, ଜୟଲଳିତା ଓ କରୁଣାନିଧିଙ୍କ ଅବର୍ତ୍ତମାନରେ ପୁଣି ଥରେ ତାମିଲନାଡୁରେ ରାଜନୌତିକ ଶୂନ୍ୟସ୍ଥାନ ପ୍ରସଙ୍ଗ ନେଇ ଚର୍ଚ୍ଚା ହେବାରେ ଲାଗିଛି । ଜୟା ଓ କରୁଣାଙ୍କ ନିଧନ ପରେ ରାଜନୈତିକ ମହତ୍ତାକାଂକ୍ଷା ରଖୁଥିବା ତାମିଲ ସିନେମାର ବ୍ୟକ୍ତିବିଶେଷ ଓ ବିଜେପି ସେମାନଙ୍କ ପାଇଁ ସୁଯୋଗ ଦେଖୁଛନ୍ତି । ତାମିଲନାଡୁ ରାଜନୀତିରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ପ୍ରକୃଷ୍ଟ ସମୟ ଆସିଯାଇଛି ବୋଲି ବିଜେପି ମନେକରୁଛି ।
ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପାଦ ଥାପିବା ପୂର୍ବରୁ ହିଁ ଓହରି ଯାଇଛନ୍ତି । କିନ୍ତୁ କମଲ ହାସନ ନିଜର ରାଜନୈତିକ ଯାତ୍ରା ଜାରି ରଖିଛନ୍ତି । ନିଜକୁ ସେ ଜୟା ବା କରୁଣାଙ୍କ ବିକଳ୍ପ ଭାବେ ଉପସ୍ଥାପନ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ରାଜ୍ୟରେ ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଉପରେ ଯଦି ନଜର ପକାଇବା, ତାହା ହେଲେ ରାଜନୈତିକ ଓ ନେତୃତ୍ବ ଶୂନ୍ୟତାର ଉପସ୍ଥିତି ନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।
ଚେନ୍ନାଇ:
ରାଜନୀତିରେ ଆଚମ୍ବିତ ହେଲା ଭଳି ଘଟଣା କେବେ କେମିତି ଘଟେ । ଆଉ ଦ୍ରାବିଡ ଭୂମି ତାମିଲନାଡୁରେ ଏହି ଉକ୍ତି ବିଶେଷ ଭାବେ ଲାଗୁ ହେବ । ୧୯୬୭ ମସିହାରେ କଂଗ୍ରେସ ସରକାରର ପତ୍ତନ ହେବା ପରଠାରୁ ଦୁଇ ପ୍ରମୁଖ ଆଞ୍ଚଳିକ ଦଳ–ଡିଏମକେ ଓ ଏଆଇଏଡିଏମକେ ହିଁ ତାମିନାଡୁକୁ ଶାସନ କରିଆସିଛନ୍ତି । ଦଶକ ଦଶକ ଧରି ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନରେ ଦୁଇ ପ୍ରମୁଖ ଦ୍ରାବିଡ ପାର୍ଟି ମଧ୍ୟରେ ହିଁ ପ୍ରତିଦ୍ବନ୍ଦିତା ହୋଇ ଆସିଛି । ଏବେ ନା ଆମ୍ମା ଜୟଳଲିତା ନାକଲାଇନର କରୁଣାନିଧି ଜୀବିତ ଅଛନ୍ତି । ଦୁଇ ପାରସ୍ପରିକ ରାଜନୈତିକ ଶତ୍ରୁଙ୍କ ଅନୁପସ୍ଥିତିରେ ‘ପଲିଟିକାଲ ଭାକ୍ୟୁମ’ ଏବେ ସେମାନଙ୍କର ପ୍ରିୟ ସ୍ଲୋଗାନରେ ପରିଣତ ହୋଇଥିବା ପରି ଲାଗୁଛି, ଯେଉଁମାନେ କି ଏହି ସଂଜ୍ଞା ବଦଳାଇବାକୁ ପ୍ରୟାସ କରୁଛନ୍ତି ।
ପ୍ରଥମେ ରଜନୀକାନ୍ତ ଏହି ‘ପଲିଟିକାଲ ଭାକ୍ୟୁମ’ ପ୍ରସଙ୍ଗ ଉଠାଇଥିଲେ । ପରେ କମଲ ହାସଲ ନିଜକୁ ମସିହା ଭାବେ ଉପସ୍ଥାପନ କରିବାକୁ ପ୍ରଚେଷ୍ଟା କଲେ । ଏବେ ଗୈରିକ ବ୍ରିଗେଡ ମଧ୍ୟ ଦ୍ରାବିଡ ରାଜନୀତିର ଗୋଳିଆ ପାଣିକୁ ଡେଇଁଛି । କିନ୍ତୁ ସେମାନେ ଏଥିରେ କ'ଣ ସଫଳ ହୋଇଛନ୍ତି କି ? ତାହା ହିଁ ଏବେ ବଡ ପ୍ରଶ୍ନ । ଦ୍ରାବିଡ ରାଜନୈତିକ ପ୍ରକଳ୍ପ ଏବେ ବି ଜୀବିତ ରହିଛି । ଆମ୍ମା ଓ କଲାଇନରଙ୍କ ଅନୁପସ୍ଥିତି ସତ୍ତ୍ବେ ଏଆଇଏଡିଏମକେ ଓ ଡିଏମକେ ନିଷ୍କ୍ରିୟ ହୋଇଯାଇ ନାହାନ୍ତି କି, ପ୍ରାସଙ୍ଗିକତା ହରାଇ ନାହାନ୍ତି । ଏହା ସ୍ବୀକାର କରିବାକୁ ହେବ ଯେ, ଉଭୟ ଆମ୍ମା ଓ କଲାଇନର ଥିଲେ ଅଦ୍ବିତୀୟ ରାଜନୈତିକ ନେତା । ଆମ୍ମା ଓ କରୁଣାନିଧିଙ୍କ ସମୟରେ ରାଜ୍ୟ ରାଜନୀତିରେ ଜାତୀୟ ଦଳଗୁଡିକ ପାଇଁ କୌଣସି ସୁଯୋଗ ନଥିଲା ।
ସେମାନଙ୍କ ଅବର୍ତ୍ତମାନରେ ବି ସ୍ଥିତିରେ ସେମିତି କିଛି ପରିବର୍ତ୍ତନ ହେଲା ଭଳି ମନେ ହେଉନାହିଁ । ଦ୍ରାବିଡ ପ୍ରଭୁତ୍ବକୁ ଆହ୍ବାନ କରୁଥିବା ଦଳଗୁଡିକ ଏବେ ବି ପଲିଟିକାଲ ସ୍ପେସ ପାଇଁ ସଂଘର୍ଷରତ । ୨୦୧୯ ଲୋକସଭା ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି । ମୋଦି ମ୍ୟାଜିକ ତାମିଲନାଡୁରେ କାମ ଦେଲାନାହିଁ । ଜାତୀୟ ଧାରା ବିପରୀତ ତାମିଲନାଡୁରେ ଡିଏମକେ ହିଁ ଲୋକସଭା ନିର୍ବାଚନରେ ବାଜିମାତ୍ କରିଥିଲା ।
ବିଧାନସଭା ନିର୍ବାଚନରେ କ୍ଷମତା ବଜାୟ ରଖିବାର କିଛି ମାସ ଡିସେମ୍ବର ୨୦୧୬ରେ ଜୟଲଳିତାଙ୍କ ପରଲୋକ ହୋଇଥିଲା। ୨୦୧୮ ଅଗଷ୍ଟରେ କରୁଣାନିଧିଙ୍କ ଦେହାନ୍ତ ହୋଇଥିଲା । ତେଣୁ ୨୦୧୯ ଲୋକସଭା ନିର୍ବାଚନ ଥିଲା ପ୍ରଥମ ନିର୍ବାଚନ ଯାହା କି ଦୁଇ ନେତାଙ୍କ ଅନୁପସ୍ଥିତିରେ ଲଢାଯାଇଥିଲା । ୨୦୧୬ ବିଧାନସଭା ନିର୍ବାଚନରେ କରୁଣାନିଧିଙ୍କ ପୁଅ ଷ୍ଟାଲିନ ଡିଏମକେର ପ୍ରଚାର ମଙ୍ଗ ଧରିଥିଲେ ମଧ୍ୟ ଲୋକସଭା ନିର୍ବାଚନ ତାଙ୍କ ପାଇଁ ଏସିଡ ଟେଷ୍ଟ ସଦୃଶ ଥିଲା ।
ଲୋକସଭା ଫଳାଫଳ ଘୋଷଣା ହେଲା ପରେ ଷ୍ଟାଲିନ ବେଶ ଭାବବିହ୍ବଳ ହୋଇଯାଇଥିଲେ । ଦଳ ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କଲାବେଳେ ତାଙ୍କ ଆଖିରୁ ଲୁହ ଝରିପଡିଥିଲା । ରାଜନୈତିକ ଦିଗବଳୟରେ ଜଣେ ନୂଆ ନେତାଙ୍କ ଆବିର୍ଭାବ ହୋଇଥିଲା । ମୋଦି ବିରୋଧୀ ଡିଏମକେ ମେଣ୍ଟର ନେତୃତ୍ବ ନେଇ ଷ୍ଟାଲିନ ଜବରଦସ୍ତ ସଫଳତା ହାସଲ କରିଥିଲେ । ଡିଏମକେ ନେତୃତ୍ବଧିନ ସିକ୍ୟୁଲାର ମେଣ୍ଟ ରାଜ୍ୟର ୩୯ଟି ଲୋକସଭା ଆସନରୁ ୩୮ରେ ବିଜୟ ହାସଲ କରି ଏଆଇଏଡିଏମକେ ଓ ବିଜେପି ମେଣ୍ଟକୁ ଜୋରଦାର ଝଟକା ଦେଇଥିଲା ।
ସବୁଠୁ ବଡ କଥାଲୋକସଭା ନିର୍ବାଚନରେ ବିପୁଳ ବିଜୟ ସହ ଷ୍ଟାଲିନ ଦଳୀୟ ସଂଙ୍ଗଠନକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣାଧୀନ କରି କରୁଣାନିଧିଙ୍କ ଉତ୍ତରାଧିକାରୀ ଭାବେ ଦାବି ଉପସ୍ଥାପନା କରିଥିବା ଅନ୍ୟମାନଙ୍କ ସ୍ବପ୍ନକୁ ଚୂରମାର କରିଦେଇଥିଲେ । କରୁଣାନିଧି ଜୀବିତ ଥିବା ବେଳେ ଡିଏମକେ ମୁଖ୍ୟ ଭାବେ ଅଭିଷିକ୍ତ ହେବା ପୂର୍ବରୁ ହିଁ ବଡ ଭାଇ ଏମ.କେ ଆଲାଗିରିଙ୍କୁ ଦଳରୁ ବରଖାସ୍ତ କରାଯାଇଥିଲା । ତାମିଲନାଡୁର ଦକ୍ଷିଣାଞ୍ଚଳରେ ଡିଏମକେର ଷ୍ଟ୍ରଙ୍ଗମ୍ୟାନ ଭାବେ ପରିଚିତ ଥିଲେ ଆଲାଗିରି । କିନ୍ତୁ ଦଳରୁ ବରଖାସ୍ତ ହେବା ପରଠାରୁ ତାଙ୍କର ରାଜନୈତିକ ବନବାସ ଚାଲିଛି । ତାଙ୍କର ରାଜନୈତିକ ପୁନଃଥଇଥାନର ସମ୍ଭାବନା ବି ନାହିଁ । ଭଉଣୀ କାନିମୋଝିଙ୍କୁ ବି ଦଳର ଆଗଧାଡିର ନେତା ଭାବେ ପରିଗଣିତ କରାଯାଉଥିଲା, କିନ୍ତୁ ତାଙ୍କ ପଛରେ ବିଶେଷ ସମର୍ଥନ ନାହିଁ ।
ସରକାର ବିରୋଧୀ ହାୱା ଓ ଶାସକ ଏଆଇଏଡିଏମକେ ବିଜେପି ସହ ହାତ ମିଳାଇଥିବାରୁ ଡିଏମକେକୁ ଏହା ସୁହାଇଲା ଭଳି ଲାଗୁଛି । ଆଉ ଷ୍ଟାଲିନ ଆସନ୍ତା ବିଧାନସଭା ନିର୍ବାଚନରେ ଏହି ସୁଯୋଗ ହାତଛଡା କରିବାକୁ ଚାହିଁବେ ନାହିଁ ।ଏଆଇଏଡିଏମକେ ଏବେ ବହୁଗୋଷ୍ଠୀରେ ପରିଣତ ହୋଇଥିବା ଦଳ ବୋଲି ଜଣାପଡୁଛି । କିନ୍ତୁ ଦଳରେ ନେତାଙ୍କ ଅଭାବ ନାହିଁ । ଶଶିକଳା ନିଜର ରାଜନୈତିକ ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଇ.କେ ପଲାନିସ୍ବାମୀଙ୍କୁ ହେୟ ମନେ କରାଯାଇପାରିବ ନାହିଁ । ନିଜ ରାଜନୈତିକ ବିଚକ୍ଷଣତାର ପରିଚୟ ଦେଇ ପଲାନିସ୍ବାମୀ ମହତ୍ତ୍ବକାଂକ୍ଷୀ ଉପମୁଖ୍ୟମନ୍ତ୍ରୀ ଓ.ପନିରସେଲଭାମଙ୍କୁ ନିୟନ୍ତ୍ରଣ କରିପାରିଛନ୍ତି । ଲୋକସଭା ନିର୍ବାଚନରେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏଆଇଏଡିଏମକେ ଏକାସଙ୍ଗେ ହୋଇଥିବା ବିଧାନସଭା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀଙ୍କ ନେତୃତ୍ବରେ ୨୨ଟି ଆସନ ମଧ୍ୟରୁ ୯ଟିରେ ବିଜୟୀ ହୋଇପାରିଥିଲା । ଏଥିଯୋଗୁଁ ସଂଙ୍କଟଜନକ ସ୍ଥିତିରେ ଥିବା ସରକାର ରତନରୁ ରକ୍ଷା ପାଇଯାଇଥିଲା ।
ଆମ୍ମାଙ୍କ ମୃତ୍ୟୁ ପରେ କ୍ଷମତା ହିଁ ଏଆଇଏଡିଏମକେକୁ ଏ ଯାଏଁ ଏକତ୍ର କରି ରଖିଛି । ତେବେ, ମୁଖ୍ୟମନ୍ତ୍ରୀ ଭାବେ ଇପିଏସ ଅତି ଯତ୍ନ ସହକାରେ ଏମଜିଆର ଓ ଜୟଲଳିତାଙ୍କ ଭଳି ନିଜର ଏକ ଲୋକାଭିମୁଖୀ ଭାବମୂର୍ତ୍ତି ଗଠନ କରିପାରିଛନ୍ତି । ଏହାଛଡା ନିଜକୁ ଜଣେ କୃଷକ ଭାବେ ଉପସ୍ଥାପନ କରିପାରିଛନ୍ତି । ଇପିଏସ ପଶ୍ଚିମ ତାମିଲନାଡୁର କୋଙ୍ଗୁ ବେଲ୍ଟରୁ ଆସନ୍ତି । ଏଠାକାର ଗଉଣ୍ଡର ସଂପ୍ରଦାୟଙ୍କ ସମର୍ଥନ ତାଙ୍କ ପଛରେ ରହିଛି । ଏହି ଅଞ୍ଚଳ ଏଆଇଏଡିଏମକେର ‘ପକେଟ୍ ବୋରୋ’ ଭାବେ ପରିଚିତ।
ଦଳର ଗୋଟିଏ ଗୋଷ୍ଠୀ ପାଇଁ ତ ମୁଖ୍ୟମନ୍ତ୍ରୀ ନେତା ଭାବେ ସ୍ବୀକୃତ ହୋଇସାରିଲେଣି । ନିକଟରେ ସେ ରାଜ୍ୟକୁ ପୁଞ୍ଜି ନିବେଶ ପାଇଁ ବିଦେଶ ଗସ୍ତରେ ବାହାରିବା ବେଳେ ଚେନ୍ନାଇ ବିମାନବନ୍ଦରରେ ଏଆଇଏଡିଏମକେର ଅନେକ ନେତା ତାଙ୍କ ଚରଣ ସ୍ପର୍ଶ କରିଥିଲେ । ତେବେ, ଶଶିକଳା ଓ ତାଙ୍କ ପୁତୁରା ଟିଟିଭି ଦିନକରନ ସହଜରେ ନେତୃତ୍ବ ଦୌଡରୁ ଓହରିବା ଭଳି ଦେଖାଯାଉନାହିଁ । ବର୍ତ୍ତମାନ ପରିସ୍ଥିତିରେ ଶଶିକଳା ଓ ଇପିଏସ ମଧ୍ୟରେ ଦଳର ନେତୃତ୍ବ ପାଇଁ ଲଢେଇ ହେବା ଅନୁମାନ କରାଯାଉଛି । ତେବେ,ଦଳକୁ ମଜବୁତ ରଖିବାକୁ ଉଭୟଙ୍କ ମଧ୍ୟରେ ବୁଝାମଣାକୁ ସମ୍ଭାବନାକୁ ବି ଏଡାଇ ଦେଇ ହେବ ନାହିଁ। ବିଜେପି ଦୁଇ ଗୋଷ୍ଠୀ ମଧ୍ୟରେ ଏକ ସମ୍ମାନଜନକ ବୁଝାମଣା ପାଇଁ ଉଦ୍ୟମ ଆରମ୍ଭ କରିଛି ।
ଏହା ସତ ଯେ, ୨୦୧୯ ଲୋକସଭା ନିର୍ବାଚନରେ ଏଆଇଏଡିଏମକେର ଭୋଟ ସେୟାର ୪୪ ଦଶମିକ ୩ ପ୍ରତିଶତରୁ ୩୧ ଦଶମିକ ୨୬ ପ୍ରତିଶତକୁ ହ୍ରାସ ପାଇଥିଲା । କିନ୍ତୁ ରାଜନୈତିକ ବିଷାରଦଙ୍କ ଭବିଷ୍ୟବାଣୀକୁ ଭୁଲ ପ୍ରମାଣିତ କରି ଡିଏମକେକୁ କେହି ଯାଇ ନ ଥିଲେ । ଜୟଲଳିତାଙ୍କ ନିଧନ ପରେ ବି ଏଆଇଏଡିଏମକେ ତାର ଅସ୍ତିତ୍ବ ବଜାୟ ରଖି ଡିଏମକେକୁ ଆଗ ଭଳି ଟକ୍କର ଦେବାର କ୍ଷମତା ରଖେ । ବର୍ତ୍ତାମାନ ପରିସ୍ଥିତିରୁ ସ୍ପଷ୍ଟ ଯେ,ତାମିଲନାଡୁ ରାଜନୀତିରେ ‘ପଲିଟିକାଲ ଭାକ୍ୟୁମ’ ଜମା ନାହିଁ ।