ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ବିଦ୍ୟୁତ କାଟ ନେଇ ଜୋର ଧରିଛି ରାଜନୀତି । ଏନେଇ ଜନସାଧାରଣ ଓ ବିରୋଧୀଙ୍କ ଟାର୍ଗେଟରେ ଥିବା ଉଦ୍ଧବ ସରକାର ଘଟଣାକୁ ବାହ୍ୟ ଷଡଯନ୍ତ୍ରର ଆଖ୍ୟା ଦେଇ ଖସିଯିବାକୁ କରୁଛନ୍ତି ପ୍ରୟାସ ।
ମହାରାଷ୍ଟ୍ର ଶକ୍ତି ମନ୍ତ୍ରୀ ଡ. ନୀତିନ ରାଉତ ବୁଧବାର କହିଛନ୍ତି ଯେ ଅକ୍ଟୋବର 12ରେ ମୁମ୍ବାଇ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବିଦ୍ୟୁତ କାଟ ଘଟଣାରେ ବାହ୍ୟ ଶକ୍ତିର ଷଡଯନ୍ତ୍ରକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ରାଉତ ଏକ ଟ୍ବିଟ କରି ଲେଖିଛନ୍ତି, ସୋମବାର ମୁମ୍ବାଇ, ଥାନେ, ନବି ମୁମ୍ବାଇରେ ବିଦ୍ୟୁତ କାଟ ଘଟଣାରେ ଅନ୍ତର୍ଘାତି ସମ୍ଭାବନାକୁ ଅସ୍ବୀକାର କରାଯାଇପାରିବ ନାହିଁ ।
ମୁମ୍ବାଇ ବିଦ୍ୟୁତ ଯୋଗାଣ ବିଭାଗ ଅନୁଯାୟୀ ଟାଟାର ବିଦ୍ୟୁତ ଯୋଗାଣ ବିଫଳତା କାରଣରୁ ମୁମ୍ବାଇ ଏବଂ ଉପାନ୍ତ ଅଞ୍ଚଳରେ ବିଦ୍ୟୁତ କାଟ ହୋଇଥିଲା । ଏଣୁ କେନ୍ଦ୍ରୀୟ, ପୂର୍ବାଞ୍ଚଳ ଏବଂ ପଶ୍ଚିମାଞ୍ଚଳ ଲାଇନର ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା । ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁମ୍ବାଇରେ ଗ୍ରୀଡ ବିଫଳତା ସମ୍ପର୍କରେ ଡ. ନୀତିନ ରାଉତ ଏବଂ ବିଏମସି କମିଶନର ଆଇଏସ ଚହଲଙ୍କ ସହ କଥା ହୋଇଥିଲେ । ତେବେ ଯଥାଶୀଘ୍ର ବିଦ୍ୟୁତ ସେବାର ପୁନରୁଦ୍ଧାର ପାଇଁ ଉଦ୍ଧବ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି ।