ମୁମ୍ବାଇ: ମହାରାଷ୍ଟ୍ରର ଏକ ସରକାରୀ ହସ୍ପିଟାଲର ଡାକ୍ତରୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଆଉ ଜଣେ ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ଏହି ମାମଲାରେ ପୂର୍ବରୁ 2 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଡାକ୍ତର ହେଲେ ଅଙ୍କିତା ଖଣ୍ଡେଲୱାଲ। ପ୍ରଥମେ ଏହି ଘଟଣାକୁ ନେଇ କୌଣସି ଶକ୍ତ ପଦକ୍ଷେପ ନିଆଯାଇ ନଥିବାବେଳେ ପିଡୀତାଙ୍କ ପରିବାରର ଅନୁରୋଧ କ୍ରମେ ପ୍ରମୁଖ ତିନି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ ।
ତେବେ ଭକ୍ତି ମେହେର ଓ ହେମା ଆହୁଜା ଏହି ମାମଲାରେ ପୂର୍ବରୁ ଗିରଫ ହୋଇସାରିଥିଲେ । ମୃତ ଛାତ୍ରୀ ପାୟଲ ଅନୁସୂଚିତ ଜନଜାତିର ହୋଇଥିବାବେଳେ ଉକ୍ତ ତିନି ଡାକ୍ତର ତାଙ୍କୁ ମାନସିକ ନିର୍ଯ୍ୟାତନା ସହ ଜାତିଗତ ଟିପ୍ପଣୀ ଦେଉଥିବାରୁ ଗତ 22ରେ ଆତ୍ମହତ୍ୟା କରିଥିଲେ ଛାତ୍ରୀ ।
ଏହା ବ୍ୟତୀତ ରାଷ୍ଟ୍ରୀୟ ମହିଳା ଆୟୋଗ ମଧ୍ୟ ଏହି ମାମଲାକୁ ନେଇ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ମାମଲାରେ ହୋଇଥିବା ତଦନ୍ତ ବିଷୟରେ ଅବଗତ କରାଇବାକୁ ଅନୁରୋଧ କରିଛନ୍ତି । ଆଇପିସି ଧାରା ୩୦୬ ଏବଂ ଏସି-ଏସଟି ଆଇନ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇ ଆଜି କୋର୍ଟ ଚାଲାଣ କରାଯିବ । ମହାରାଷ୍ଟ୍ର ଡାକ୍ତର ଆସୋସିଏସନ ମଧ୍ୟ ସମ୍ପୃକ୍ତ ତିନି ଛାତ୍ରୀଙ୍କୁ ନିଲମ୍ବିତ କରିବା ସହ ଡାକ୍ତରୀ ଲାଇସେନ୍ସ ରଦ୍ଦ କରିଦେଇଥିବା ଜଣାପଡ଼ିଛି ।