ମୁମ୍ବାଇ: ଆଜି ସୁପ୍ରିମକୋର୍ଟରେ ଆରେ କଲୋନୀ ଗଛ କଟା ମାମଲାର ହେବ ଶୁଣାଣି । ସକାଳ 10ଟାରେ ଏକ ସ୍ବତନ୍ତ୍ର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଗଛ କଟାକୁ ବିରୋଧ କରି ରବିବାର ଏକ ଛାତ୍ର ପ୍ରତିନିଧି ଦଳ ଚିଫ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଚିଠି ଲେଖିଥିଲେ । ଆବେଦନରେ ତୁରନ୍ତ ମାମଲାର ଶୁଣାଣି କରିବା ସହ ଗଛ କଟାରେ ରୋକ ଲଗାଇବାକୁ ଦର୍ଶାଇଛନ୍ତି ଛାତ୍ର ପ୍ରତିନିଧି ଦଳ ।
ଅକ୍ଟୋବର 4ତାରିଖରୁ ବେଆଇନ ଭାବେ ଗଛଗୁଡିକ କଟା ଯାଉଛି । ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କୁ ପୋଲିସ ହେପାଜତରେ ନେଇଛି । ତେଣୁ ଏହି ମାମଲାକୁ ତୁରନ୍ତ ଶୁଣାଣି କରାଯାଉ । ତେବେ ଏଥିରେ ବିଳମ୍ବ ନକରି ସୁପ୍ରିମକୋର୍ଟ ମଧ୍ୟ ଆଜି ମାମଲାର ଶୁଣାଣି କରିବାକୁ ଯାଉଛନ୍ତି।
ବମ୍ବେ ହାଇକୋର୍ଟ ଆଦେଶ ପରେ ଗତ ଶୁକ୍ରବାର ଠାରୁ ଆରେ କଲୋନୀ ଗଛ କଟା ଆରମ୍ଭ ହୋଇଛି । ଯାହାକୁ ବିରୋଧ କରିଥିଲେ ପରିବେଶବିତ, ସାମାଜିକ କର୍ମକର୍ତ୍ତା । ଏଥିସହ ପୋଲିସ ଓ ବିକ୍ଷୋଭକାରୀଙ୍କ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ଗିରଫ ହୋଇଥିବାବେଳେ ଗତକାଲି 6ଜଣ ମହିଳାଙ୍କ ସମେତ 29ଜଣକୁ ଛାଡିଦିଆଇଛି ।