ମୁମ୍ବାଇ: ମୁମ୍ବାଇର 26/11 ଆକ୍ରମଣ ସମଗ୍ର ଦେଶକୁ ଏକ ପ୍ରକାର ସ୍ତବ୍ଧ କରିଦେଇଥିଲା । 2008ର ସେହି ରାତି କଥା ମନେ ପକାଇଲେ ଏବେ ବି ଶିହରଣ ସୃଷ୍ଟି ହୋଇଯାଏ । ତେବେ ଏହି ହୃଦୟଥରା ଘଟଣା ଲୋକଙ୍କ ମନରୁ ସମ୍ପୁର୍ଣ୍ଣ ଭାବେ ଲିଭିନଥିବା ବେଳେ ଏବେ ସେହିଭଳି ଆଉ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣର ଧମକ ମିଳିଛି । ମୁମ୍ବାଇର ଏକାଧିକ ପାଞ୍ଚ ତାରକା ହୋଟେଲରେ ବୋମା ବିସ୍ଫୋରଣ କରିବାର ଧମକ ଦିଆଯାଇଛି । ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ନାମରେ ଏକ ଇମେଲ ପଠାଇ ଏଭଳି ଧମକ ଦିଆଯାଇଥିବା ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ମାମଲାର ତଦନ୍ତ କରାଯାଉଛି ।
ଏହି ଇମେଲରେ 4ଟି ହୋଟେଲକୁ ବୋମା ବିସ୍ଫୋରଣରେ ଉଡାଇବାର ଧମକ ଦିଆଯାଇଛି । 24 ଘଣ୍ଟା ମଧ୍ୟରେ 7 କୋଟି ଟଙ୍କା ନଦେଲେ ହୋଟେଲକୁ ବୋମା ବିସ୍ଫୋରଣରେ ଉଡାଇ ଦେବାକୁ ଏହି ଇମେଲରେ କୁହାଯାଇଛି । ଏହି ଟଙ୍କା ବିଟ୍କଏନ ଆକାରରେ ଦେବାକୁ କୁହାଯାଇଛି । ଏଥିରେ ଆହୁରି କୁହାଯାଇଛି ଯେ, ଆହ୍ଲାଙ୍କ ନାମରେ ଆମେ ମରିବାକୁ ପ୍ରସ୍ତୁତ ଅଛୁ, କେହି ବି ଆମକୁ ଅଟକାଇ ପାରିବେ ନାହିଁ ।
ସେପଟେ ଏହି ଧମକକୁ ଗମ୍ଭୀରତାର ସହ ନେଇ ମୁମ୍ବାଇ ପୋଲିସ ସମସ୍ତ ହୋଟେଲକୁ ଯାଇ ତଦନ୍ତ ଚଳାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଏଟିଏସ ଏବଂ ବିଡିଡିଏସକୁ ହୋଟେଲରେ ନିୟୋଜିତ କରାଯାଇଛି । ଇମେଲଟି କେଉଁଠୁ ଆସିଥିଲା ଏବଂ କିଏ ପଠାଇଥିଲା ସେନେଇ ମଧ୍ୟ ପୋଲିସ ତଦନ୍ତ ଚଳାଇଛି ।
ସୂଚନାଯୋଗ୍ୟ ଯେ ନଭେମ୍ବର ୨୬, ୨୦୦୮ରେ ମୁମ୍ବାଇର ହୋଟେଲ୍ ତାଜ ପ୍ୟାଲେସ ସମେତ ଏକାଧିକ ସ୍ଥାନରେ ପାକିସ୍ତାନ ପ୍ରାୟୋଜିତ ଲସ୍କର-ଇ-ତୋଏବାର ୧୦ ଜଣ ଆତଙ୍କବାଦୀ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
@ANI