ନୂଆଦିଲ୍ଲୀ: ସାରା ଦେଶରେ ଗତମାସ 16 ତାରିଖରୁ ଆରମ୍ଭ ହୋଇଥିବା ଟିକାକରଣର ସ୍ଥିତି ଏବଂ ଅଗ୍ରଗତି ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । 2021 ଫେବୃଆରୀ 6 ତାରିଖ ସନ୍ଧ୍ୟା 6 ଟା ସୁଦ୍ଧା ମୋଟ 56,36,868 ଟୀକାକରଣ ହେଉଛି । ଯେଉଁଥିରୁ 52,66,175 ସ୍ବାସ୍ଥ୍ୟକର୍ମୀ ରହିଛନ୍ତି । ସେହିପରି କୋଓ୍ବୀନ ଆପରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ସଂଖ୍ୟା 54.7% ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ମନୋହର ଅଗ୍ନି ।
13 ଟି ରାଜ୍ୟ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ 60% ରୁ ଅଧିକ ଟିକାକରଣ ଶେଷ କରିଛନ୍ତି ।ଉକ୍ତ ରାଜ୍ୟମାନଙ୍କ ମଧ୍ୟରେ ବିହାର 76.6%,ମଧ୍ୟପ୍ରଦେଶ 76.1%, ତ୍ରିପୁରା 76%, ଉତ୍ତରାଖଣ୍ଡ 71.5%, ମିଜୋରାମ 69.7%, ଉତ୍ତରପ୍ରଦେଶ 69%, କେରଳ 68.1%, ଓଡିଶା 67.6%, ରାଜସ୍ଥାନ 67.3 %, ଲକ୍ଷାଦ୍ବୀପ 64.5%, ଆଣ୍ଡାମାନ 62.9%, ଛତିଶଗଡରେ 60.5% ଟିକାକରଣ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ସେହିପରି ଆଜି ପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ମୋଟ 22 ଜଣଙ୍କ ମୃତ୍ୟୁ ହୋଇଥିବା ସୂୂଚନା ରହିଛି । ଏଥିମଧ୍ୟରୁ ଡାକ୍ତରଖାନାରେ 9 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବଂ ଡାକ୍ତରଖାନାର ବାହାରେ13 ଜଣଙ୍କ ମୃତ୍ୟୁ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ କଣସି ନୂତନ ମୃତ୍ୟୁ ଖବର ହୋଇନାହିଁ | ଏହି ମୃତ୍ୟୁଗୁଡିକ ମଧ୍ୟରୁ କୌଣସିଟି ଏପର୍ଯ୍ୟନ୍ତ କୋଭିଡ-19 ଟୀକାକରଣ କାରଣ ଜନିତ ହୋଇଥିବା ଜଣା ପଡିନଥିବା ସେ ପ୍ରକାଶ କରିଛନ୍ତି ।
ଆଜି ପର୍ଯ୍ୟନ୍ତ ଟିକାକରଣ ପରେ ଅସୁସ୍ଥତା କାରଣରୁ କୋଭିଡ ହସ୍ପିଟାଲରେ 28 ଜଣ ଭର୍ତ୍ତି ହୋଇଛନ୍ତି । ଏଥିମଧ୍ୟରୁ 19 ଜଣ ଚିକିତ୍ସା ପରେ ଡିସଚାର୍ଜ ହୋଇଥିବା ସୂଚନା ରହିଛି । ଏବଂ ଏହି ଅସୁସ୍ଥତା କାରଣରୁ 9 ଜଣଙ୍କର ମୃତ୍ୟୁ ହୋଇଛି। ଗତ 24 ଘଣ୍ଟା ମଧ୍ୟରେ କେହି ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ଖବର ମିଳିନଥିବା ମଧ୍ୟ କହିଛନ୍ତି ସଚିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ