ନୂଆଦିଲ୍ଲୀ: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି । ଏହି ଧନ୍ୟବାଦ ପ୍ରସ୍ତାବ ଉପରେ ଗୁରୁବାର ଲୋକସଭାରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଏହି ଧନ୍ୟବାଦ ପ୍ରସ୍ତାବକୁ ଲୋକସଭାରେ ପାରିତ କରାଯିବ । ଏହାପରେ ଏହି ପ୍ରସ୍ତାବକୁ ରାଜ୍ୟସଭାରେ ପାରିତ କରାଯିବ ।
ତେବେ ଲୋକସଭାରେ ମୋଦି ନିଜ ଅଭିଭାଷଣ ଦେବା ସମୟରେ ଶାସକ ଦଳ ସାଂସଦ ଜୟ ଶ୍ରୀରାମର ନାରା ଦେଇଥିଲେ । ଯାହାର ଜବାବରେ ବିରୋଧୀ ସାଂସଦ ମହାତ୍ମା ଗାନ୍ଧୀଙ୍କ ଜୟଗାନରେ ନାରା ଦେଇଥିଲେ । ଏହାପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହା କେବଳ ଟ୍ରେଲର ବୋଲି କହିଥିଲେ । ତେବେ ମୋଦି ବିରୋଧୀ ସାଂସଦଙ୍କୁ ଜବାବ ଦେଇ ଏହା ଆପଣମାନଙ୍କ ପାଇଁ ଟ୍ରେଲର ହୋଇପାରେ ଆମ ପାଇଁ ଆମ ଜୀବନ ବୋଲି କହିଛନ୍ତି ।
ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ଅଭିଭାଷଣ ଆଶାର ଭାବନା ଜାଗୃତ କରିଛି । ନୂଆ ଭାରତର ଭିଜନ ଉପରେ ଦୃଷ୍ଟି ଆକର୍ଷଣ କରିଛି । ଭବିଷ୍ୟତରେ ଦେଶକୁ ଉନ୍ନତି ଦିଗରେ ନେବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛି ।
ଏହି ସମୟରେ ୟୁପିଏ ସରକାରଙ୍କ ସମାଲୋଚନା କରି ମୋଦି କହିଛନ୍ତି, ଭାରତର ସାଧାରଣ ଜନତା କେବଳ ସରକାର ବଦଳାଇ ନାହାଁନ୍ତି । ବରଂ ସେମାନେ 'ସରୋକାର'ର ଚିନ୍ତାଧାରା ମଧ୍ୟ ବଦଳାଇଛନ୍ତି । ଯଦି ବର୍ତ୍ତମାନର ସରକାର ମଧ୍ୟ ପୁରୁଣା ସରକାରଙ୍କ ବିଚାରଧାରା ଏବଂ କାର୍ଯ୍ୟ ପ୍ରକ୍ରିୟାର ଅନୁସରଣ କରିଥାନ୍ତେ ତାହେଲେ ଧାରା 370 ଉଚ୍ଛେଦ ହୋଇନଥାନ୍ତା । ମୁସଲମାନ ମହିଳା ତିନି ତଲାକ ଭଳି କୁପ୍ରଥାରୁ ମୁକ୍ତ ହୋଇନଥାନ୍ତେ । ରାମ ମନ୍ଦିର ସମସ୍ୟାର ସମାଧାନ ମଧ୍ୟ ହୋଇନଥାନ୍ତା । କରତାରପୁର କରିଡର ନିର୍ମାଣ ହୋଇନଥାନ୍ତା କି ଭାରତ-ବାଂଲାଦେଶ ବିବାଦର ସମାଧାନ ହୋଇନଥାନ୍ତା ବୋଲି ମୋଦି କହିଛନ୍ତି । ଭାରତ ବର୍ତ୍ତମାନ ସମସ୍ୟାର ସମାଧାନ ପାଇଁ ଦୀର୍ଘଦିନ ପର୍ଯ୍ୟନ୍ତ ଅପେକ୍ଷା କରିବ ନାହିଁ ବୋଲି ସେ କହିଛନ୍ତି ।
ମୋଦି ସରକାରଙ୍କ ଲକ୍ଷ୍ୟ ବେଗ, ଆବେଗ, ସଂକଳ୍ପ ଓ ସିଦ୍ଧାନ୍ତ ବୋଲି ମୋଦି କହିଛନ୍ତି । ସେ କହିଛନ୍ତି, ଆମ ସରକାର ଦ୍ରୁତ ଗତିରେ କାମ କରୁଛି । ଏହି କାରଣରୁ ଦେଶର ଜନତା ଆମକୁ ଆଉ ଥରେ ସେବା କରିବାକୁ ସୁଯୋଗ ଦେଇଛନ୍ତି । ଆମ ସରକାର ଦ୍ରୁତ ଗତିରେ କାର୍ଯ୍ୟ କରିଥିବା ଯୋଗୁଁ 37 କୋଟି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖିବ କମ ସମୟ ମଧ୍ୟରେ ଖୋଲିଛି । 11 କୋଟି ଲୋକଙ୍କ ଘରେ ଶୌଚାଳୟ ନିର୍ମାଣ ହୋଇଛି । 13 କୋଟି ଗରିବଙ୍କ ଘରେ ଗ୍ୟାସ ସଂଯୋଗ ହୋଇଛି । ଗରିବଙ୍କ ପାଇଁ 2 କୋଟି ନୂଆ ଘର ନିର୍ମାଣ ହୋଇଛି ବୋଲି ସେ କହିଛନ୍ତି ।